ଗଜଲକ୍ଷ୍ମୀ ପୂଜା ପାଇଁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ..

କେନ୍ଦ୍ରାପଡ଼ା,ତା:୦୭.୧୦. ୨୫କେନ୍ଦ୍ରାପଡ଼ାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ନିମନ୍ତେ ଆଜି ପୂର୍ବାହ୍ନରେ କେନ୍ଦ୍ରାପଡ଼ା ମୁନିସିପାଲିଟି ଟାଉନ ହଲଠାରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲାପାଳ ରଘୁରାମ ଆର ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜାକୁ ଭାଇଚାରାର ଅନନ୍ୟ ଉଦାହରଣ ରୂପେ ଶାନ୍ତି ଓ ଶୃଙ୍ଖଳା ସହିତ ପାଳନ କରିବା ନିମନ୍ତେ ସମସ୍ତ ପୂଜା କମିଟିର ସଭାପତି, ସମ୍ପାଦକ ଏବଂ କର୍ମକର୍ତ୍ତାକୁ ଅନୁରୋଧ କରିଛନ୍ତି | ଏହା ସହିତ ଆଇନ ପରିଧି ମଧ୍ୟରେ ସମସ୍ତେ ଏହି ଗଣପର୍ବକୁ ଉପଭୋଗ କରିବାକୁ ସମସ୍ତଙ୍କୁ ଅପିଲ କରିଛନ୍ତି | ଜିଲ୍ଲାପ୍ରଶାସନ ଏବଂ ପୋଲିସ ପ୍ରଶାସନ ସମସ୍ତ ପୂଜା କମିଟି ସହିତ ସମନ୍ଵୟ ରକ୍ଷାକରି ପ୍ରତେକ ବର୍ଷପରି ଅନନ୍ୟ ଉଦାହରଣ ସୃଷ୍ଟି କରିବାକୁ ଅନୁରୋଧ କରାଯାଇଛି |ଗୁରୁତ୍ୱପୂର୍ଣ ସ୍ଥାନ ମାନଙ୍କରେ ସିସିଟିଭି ଲଗେଇବା,ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ମୁତୟନ, ଚୋରି ଓ ଅସାମାଜିକ ତତ୍ୱକୁ ମୁକାବିଲା ପାଇଁ ସାଧା ପୋଷାକରେ ପୋଲିସ ମୁତୟନ,ସାମାଜିକ ଗଣମାଧ୍ୟମରେ ଗୁଜବର ପ୍ରଚାର ପ୍ରସାର ରୋକିବା ଇତ୍ୟାଦି ଉପରେ ପୋଲିସ ପ୍ରଶାସନ ଗୁରୁତ୍ୱ ଦେଉଥିବା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କୋଟାରିଆ କହିଛନ୍ତି | ରାତି ୧୨ ଟା ପର୍ଯ୍ୟନ୍ତ ମେଲଣ ଏବଂ ଭସାଣିରେ ବାଦ୍ୟଯନ୍ତ୍ର ବଜାଇବା ଉପରେ ଅନୁମତି ପ୍ରଦାନ ନିମନ୍ତେ ପୂଜା କମିଟିଙ୍କ ଅନୁରୋଧକୁ ଆଇନ ଅନୁଯାଇ କାର୍ଯ୍ୟାଦେଶ ଦିଆଯିବ ବୋଲି ଆରକ୍ଷୀ ଅଧିକ୍ଷକ କହିଛନ୍ତି |ସୂଚନା ଯେ,ଗଜଲକ୍ଷ୍ମୀ ପୂଜା ପାଇଁ ମେଲୋଡି,ମେଲଣ ଶୋଭାଯାତ୍ରା ଏବଂ ଭସାଣି ପାଇଁ ତିନିଟି ସମନ୍ଵୟ କମିଟି ଗଠନ କରାଯାଇଛି | ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ ) ରବୀନ୍ଦ୍ର କୁମାର ମଲ୍ଲିକ,ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଧାକର ସାହୁ,ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜ୍ୟୋତିରଞ୍ଜନ ଗୌଡ଼, ଡିଏସପି ଡିଆଇବି ଲକ୍ଷ୍ମୀନାରାୟଣ ତିୱାରୀ,ବିଡ଼ିଓ କେନ୍ଦ୍ରାପଡ଼ା ଅଭିଷେକ ସ୍ୱାଇଁ, ତହସିଲଦାର କେନ୍ଦ୍ରାପଡ଼ା ରବି ନାରାୟଣ ଆଚାର୍ଯ୍ୟ,ଅବକାରୀ ଅଧିକ୍ଷକ ବିପ୍ର ଚରଣ ମଣ୍ଡଳ, ନିର୍ବାହୀ ଅଧିକାରୀ କେନ୍ଦ୍ରାପଡ଼ା ମୁନିସିପାଲିଟି ଅଜିତ ନାରାୟଣ ପ୍ରସାଦ ଗିରି ସମେତ ବିଭିନ୍ନ ପୂଜା କମିଟିର ସଭାପତି, ସମ୍ପାଦକ, କର୍ମକର୍ତ୍ତା, ବୁଦ୍ଧିଜୀବୀ, ସାଧାରଣ ଜନତା, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ | ଶେଷରେ ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |
କେନ୍ଦ୍ରାପଡ଼ାରୁ ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀ ଙ୍କ ରିପୋର୍ଟ (ସମର୍ଥ ସମାଚାର ନିୟୁଜ )