Breaking News

ଗ୍ରାମାଚଂଳରେ ଗଜଲକ୍ଷ୍ମୀ ମହାଆଡ଼ମ୍ବରରେ ମା’ ପଦ୍ମାଳୟାଙ୍କ ପୂଜା

ତାଳଚେର, ୦୮/୧୦ ତାଳଚେର ବ୍ଲକ ଅନ୍ତର୍ଗତ କଳମଛୁଇଁ ଗ୍ରାମର ଗଣପର୍ବ ମା ଗଜଲକ୍ଷ୍ମୀଙ୍କ ପୂଜା ମହାସମାରୋହରେ ପାଳିତ ହେଉଅଛି । ମା’ଧନଦାତ୍ରୀଙ୍କ ଧରାବତରଣ ଅବସରରେ ଦେଉଳଛକ ଠାରୁ ବାଉଁଶଗାଡ଼ିଆ ସାହି ପର୍ଯ୍ୟନ୍ତ ୧୬ଟି ମେଢ଼ରେ ମା ମହାଲକ୍ଷ୍ମୀଙ୍କର ମୃଣ୍ମୟୀ ପ୍ରତିମାକୁ ପୂଜା କରାଯାଉଛି । ସୋମବାର ଦିନ କୁମାର ପୂର୍ଣ୍ଣିମା ଅବସରରେ ଚାରୋଟି ମଣ୍ଡପରେ ମା’ଙ୍କ ପୂଜର୍ଚ୍ଚନା କରା ଯାଇଥିବାବେଳେ ମଙ୍ଗଳବାର ଦିନ ଅବଶିଷ୍ଟ ୧୨ଟି ମଣ୍ଡପରେ ମା ପଦ୍ମାଳୟାଙ୍କର ପୂଜା ପାରମ୍ପରିକ ବିଧିବିଧାନ ଅନୁଯାୟୀ ସଂପନ୍ନ ହୋଇଅଛି । ଏହି ଅବସରରେ ବିଭିନ୍ନ ପୂଜା କମିଟି ପକ୍ଷରୁ କଳସ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଏଥିରେ ଗ୍ରାମର ଶତାଧିକ ମହିଳା ଯୋଗ ଦେଇ ଏକ ଭବ୍ୟ ଶୋଭାଯାତ୍ରାରେ ବାଉଁଶଗାଡ଼ିଆ ନିକଟସ୍ଥ ପୋଖରୀରୁ ପବିତ୍ର ଜଳ ଆଣି ନିର୍ଦ୍ଧାରିତ ପୂଜା ମଣ୍ଡପ ଗୁଡ଼ିକରେ ସ୍ଥାପନ କରିଥିଲେ । ତାପରେ ମା’ ମହାଲକ୍ଷ୍ମୀଙ୍କ ପୂଜା ପାରମ୍ପରିକ ରୀତି ନୀତି ଅନୁଯାୟୀ ଆରମ୍ଭ ହୋଇଥିଲା । ବାଉଁଶଗାଡ଼ିଆ ସାହି ଲକ୍ଷ୍ମୀପୂଜା କମିଟି, ବଡ଼ଠାକୁର ସାହି, ପଦ୍ମପାଦ ଲକ୍ଷ୍ମୀପୂଜା କମିଟି, ପିଢ଼ସାହି, ଏମ୍‌ଏଲ୍‌ଏ ଛକ, ନାଏକ ସାହି, ଗୋଚ୍ଛାୟତ ସାହି, ନୀଳାଚଳ ପୂଜା କମିଟି, ବ୍ୟାଙ୍କ ଛକ, ବୁଢ଼ାବୁରୀ ସାହି, ବଡ଼ଦାଣ୍ଡ ସାହି, ଚାରଗାଡ଼ିଆ, ସୁପର୍ ମାର୍କେଟ, ଦେଉଳଛକ, କାଳୀକାପ୍ରସାଦ ଲକ୍ଷ୍ମୀପୂଜା କମିଟି, ପୁରୁଣାସାହି କଦମ୍ବ ଛକ, ପୁରୁଣାସାହି ଗଜଲକ୍ଷ୍ମୀ ପୂଜା କମିଟି, କଳମଛୁଇଁ କଦମ୍ବ ଛକ ପ୍ରମୁଖ ୧୬ଟି ମଣ୍ଡପରେ ମହାଲକ୍ଷ୍ମୀଙ୍କର ଆରାଧନା କରାଯାଉଛି । ପୂଜା ମଣ୍ଡପଗୁଡ଼ିକୁ ଆକର୍ଷଣୀୟ ଭାବରେ ସଜ୍ଜା ଯାଇଥିବା ବେଳେ ଅତ୍ୟାଧୁନିକ ଏଲ୍‌ଇଡ଼ି ଲାଇଟଯୁ କ୍ତ ସୁଉଚ୍ଚ ବିଦ୍ୟୁତ ତୋରଣ ସହ ଆଲୋକମାଳାରେ ସମଗ୍ର ଗ୍ରାମ ଝଲସି ଉଠୁଛି । କେତେକ ମେଢ଼ରେ ପହିଲଗାମ୍ ଆତଙ୍କବାଦୀ ଆକ୍ରମଣ ଘଟଣା ସହ ଭାରତୀୟ ସୈନିକମାନଙ୍କର ବୀରତ୍ୱର ଗାଥାକୁ ପ୍ରଦର୍ଶନ କରାଯାଇ ଦର୍ଶକଙ୍କୁ ବିମୋହିତ କରୁଛି । ସନ୍ଧ୍ୟାରେ ଭକ୍ତମାନେ ମା’ଙ୍କ ପୂଜାର୍ଚ୍ଚନା କରିବା ସହ ପୂଜାର ଭରପୂର ମଜା ନେଉଛନ୍ତି । ବିଭିନ୍ନ ପୂଜା ମଣ୍ଡପମାନଙ୍କ ପାଖରେ ଦୋଳି, ମୀନାବଜାର, ମନୋହରି ଦୋକାନ, ଫାଷ୍ଟଫୁଡ ଦୋକାନମାନ ଖୋଲାଯାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି । ଚଳିତ ମାସ ୧୫ ତାରିଖ ଦିନ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ ବୋଲି କଳମଛୁଇଁ କେନ୍ଦ୍ରୀୟ ଲକ୍ଷ୍ମୀପୂଜା କମିଟିର ସଭାପତି ଗଗନ ବିହାରୀ ସାହୁ ଓ ସଂପାଦକ ହରେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି । ସେହିଭଳି ଘଂଟପଡ଼ାରେ ମଧ୍ୟ ମହାଆଡ଼ମ୍ବର ସହକାରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ କମିଟି ପକ୍ଷରୁ ବିରାଟ ବିରାଟ ତୋରଣ ସହିତ ରଙ୍ଗବେରଙ୍ଗ ଆଲୋକମାଳାରେ ସଜେଇ ହୋଇଛି ଘଂଟପଡ଼ା ଗ୍ରାମପଂଚାୟତ । ଲକ୍ଷ୍ମୀପୂଜାରେ ପ୍ରାୟ ୩୦ମେଢ଼ ସ୍କୁଲ ସାହି ମେଢ଼ ଉଚ୍ଚକୋଟିର ହୋଇଥିବା ବେଳେ ବରସାହିର ସାଜସଜ୍ଜା ଦର୍ଶକଙ୍କ ମନକୁ ଆକର୍ଷିତ କରୁଛି । ବିଭିନ୍ନ କମିଟି ପକ୍ଷରୁ ପୂଜାରେ ପ୍ରତ୍ୟେକ ଦିନ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ମେଢ଼ ଗୁଡ଼ିକର ବିସର୍ଜନ ୧୨ତାରିଖରେ ରହିଥିବା ବେଳେ ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ଗ୍ରାମବାସୀଙ୍କ ସୂତ୍ରରୁ ଜଣାପଡ଼ିଛି ।

Related Articles

Back to top button