Breaking News

ଖୁଣ୍ଟିଗୋରାରେ ଆଦିବାସୀ ସଂସ୍କୃତିର ପର୍ବ ବରୁଳବୁଢ଼ା ଯାତ୍ରା ଅନୁଷ୍ଠିତ

ଘଣ୍ଟାପଡା,୮।୧୦(ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରାରେ ବରୁଳବୁଢ଼ା ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କୁଦୁର୍କା ପ୍ରଗଣା ଆଦିବାସୀଙ୍କ ମୁଖ୍ୟ ପର୍ବ ଭାବରେ କାହିଁ କେତେ ପୁରୁଷରୁ ସ୍ଥାନୀୟ ଲୋକେ ପୂଜାର୍ଚ୍ଚନା କରିଆସୁଛନ୍ତି । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକ ହୋଇ ଠାକୁରଙ୍କ ପୂଜାକରି ଠାକୁରଙ୍କ ଛତ୍ରଛାୟା ତଲେ ନିଜକୁ ସୁରକ୍ଷିତ ମଣନ୍ତି ଅଞ୍ଚଳବାସୀ । ଏହି ପର୍ବ କୃଷି ସହିତ ସମ୍ପୃକ୍ତ ଥିବାରୁ ଅଞ୍ଚଳବାସୀ ଯେତେବେଳ ଏହି ସମୟରେ ଧାନ ଅମଳ କରିଥାନ୍ତି ସେମାନେ ତାଙ୍କର ପ୍ରଥମ ବୀଜକୁ ଠାକୁରଙ୍କ ନିକଟରେ ଅର୍ପଣ କରିଥାନ୍ତି। ତେଣୁ ଏହି ପର୍ବକୁ ଅରୁଆ ପକା ପର୍ବ ମଧ୍ୟ କହିଥାନ୍ତି । ପୂଜକ ସନ୍ତୋଷ ଝାଙ୍କର ବରୁଆଙ୍କୁ ଆଜ୍ଞାମାଳ ଦେବାପରେ ଦେହେରୀଙ୍କୁ କଳାସ ଲାଗିଥିଲା । କଳାସ ଲାଗିବା ପରେ ଘଣ୍ଟ, ଢୋଲ, ନିସାନ, ଲୁହା, ଛତ୍ରିଛତ୍ର ଆଦି ଧରି ବିଭିନ୍ନ ଘରଘର ବୁଲି ଠାକୁର ଗୁଡି ବା ଖଳା ନିକଟକୁ ଯାଇଥିଲେ । ବିଭିନ୍ନ ଗ୍ରାମରୁ ବରୁଆମାନେ ଆସି ପହଞ୍ଚିବା ପରେ ପବିତ୍ର ଜଳ ଆଣି ଠାକୁର ଶୁଭକାର୍ଯ୍ୟ କରିଥିଲେ । ପ୍ରଥମେ ବରୁଳବୁଢ଼ା ଦେବତାଙ୍କୁ ମୁଖ୍ୟ ଦେବତା ଭାବରେ ପୂଜା କଲାପରେ ଭୀମ, ଶୁଳିଆ, ଦଶମତି, ସିକେରପାଟ, ପୋଡାପାଟ, ପେଞ୍ଜିପାଟ, ପାଟଖଣ୍ତା, ସୁନାଦେଇ, ଧନଦେଇ, ମନଦେଇ, ଚିର୍ଣ୍ଣିଦେଇ, ଡିମୁଲ, ଭୁଆସେନ ଆଦି ଦେବା ଦେବୀଙ୍କୁ ପୂଜା କରାଯାଇଥିଲା । ଠାକୁରଙ୍କୁ ପୂଜାପାଇଁ ଖଇଲିଆ, ମୁଆଁ, ନଡିଆ, ଅରୁଆ ଚାଉଳ ଆଦି ଭୋଗ ଲଗାଯାଇଥିଲା । ମାନସୀକ ପୂରଣ ଧାରୀ ଭକ୍ତମାନେ ଠାକୁରଙ୍କୁ ସନ୍ତୁଷ୍ଟ କରିବା ପାଇଁ ଭୋଗ ରୂପେ ବୋଦା, କୁକୁଡା ଆଦି ବଳି ଦେଇଥିଲେ । ଏହି ଯାତ୍ରା ଦେଖିବା ପାଇଁ ଆଖପାଖ ତଥା ଦୂରଦୂରାନ୍ତରରୁ ବହୁ ଲୋକଙ୍କ ସମାଗମ ହୋଇଥିଲା । ଯାତ୍ରାକୁ ଆକର୍ଷଣ କରିବାପାଇଁ ଖୁଣ୍ଟିଗୋରା ସ୍ଥିତ ରାତ୍ରିକାଳୀନ କ୍ରିକେଟ କ୍ଲବର ସଦସ୍ୟମାନଙ୍କ ଦ୍ଵାରା ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ କୁନିକୁନି କଳାକାରମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ପ୍ରତିଯୋଗୀତାମୂଳକ ଡ୍ୟାନ୍ସ ଧମାକା ସାଂଧ୍ୟ ପରିବେଶକୁ ବେଶ କୋଳାହଳ କରିଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ କଣ୍ଟାମାଳ ବିଧାୟକ ଶ୍ରୀଯୁକ୍ତ କହ୍ନେଇଁ ଚରଣ ଡାଙ୍ଗ, ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ମହିଧର ରଣା, ବୌଦ୍ଧବ୍ଲକ ଅଧ୍ୟକ୍ଷ ପ୍ରୀୟଦର୍ଶୀ ପ୍ରତ୍ୟୁଷ ରଥ, କନ୍ଧମାଳ ସାଂସଦଙ୍କ କଣ୍ଟାମାଳ ବ୍ଲକ ପ୍ରତିନିଧି ଦିପକ ବାରିକ, ଜିଲ୍ଲା ଶିକ୍ଷକ ସଂଘ ସଭାପତି ନିଳାଚଳ ଭୋଇ, ସ୍ଥାନୀୟ ଭାରପ୍ରାପ୍ତ ସରପଞ୍ଚ ରବି ମହାକୁଡ଼, ବିଜେପି ଯୁବନେତା ଓମ୍ ପ୍ରକାଶ ମିଶ୍ର, ଆଦିବାସୀ ନେତା ତଥା ସମାଜସେବୀ ସତ୍ୟନାରାୟଣ ମାଝୀ, ସ୍ଥାନୀୟ ସମିତି ସଭ୍ୟା ପ୍ରତିନିଧି ସୁଧିର ସାହୁ, ବିଜେପିର ବରିଷ୍ଠ ନେତା ଅନିଲ ପ୍ରଧାନ, ବରିଷ୍ଠ ସାମ୍ବାଦିକ ପ୍ରଭାତ କୁମାର ସାହୁ ଯୋଗଦେଇ କଳାକାରଙ୍କୁ ମଞ୍ଚର ଆବଶ୍ୟକତା ଉପରେ ବକ୍ତବ୍ୟ ରଖିଥିଲେ ଏବଂ କଳାକାରଙ୍କୁ ଉତ୍ସାହିତ କରିବାପାଇଁ ଏପରି ମଞ୍ଚ କରିଥିବା ସମସ୍ତ ସଦସ୍ୟଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ସଦସ୍ୟ ସୁଶାନ୍ତ ବାରିକ ମଞ୍ଚ ପରିଚାଳନା କରିଥିବା ସ୍ଥଳେ ସଦସ୍ୟ ବଂଶୀଧର ମାଝୀ ଧନ୍ୟବାଦ ପ୍ରଦାନ କରିଥିଲେ। ତାପରେ ସଦସ୍ୟ ଶଙ୍କର ସାହୁଙ୍କ ମଞ୍ଚ ସଞ୍ଚାଳନରେ ନୃତ୍ୟ ପ୍ରତିଯୋଗୀତା କୁନିକୁନି କଳାକାର ନୃତ୍ୟ ପରିବେଷଣ କରିଥିଲେ। ବିଚାରକ ଭାବେ ସୁରଜ, ସୁନିତ, ସୁଜିତ, ରଶ୍ମିବାଳା ଓ ଯୁଗଳ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମକୁ ନାଇଟକ୍ଳବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ସେହିପରି ଉକ୍ତ ଯାତ୍ରା ଉପଲକ୍ଷେ ମସିଣାଗୋରାରେ ମଧ୍ୟ ରାମଲୀଳାର ସୀତା ଚୋରୀ ଗିତାଭିନୟ ନାଟକ ସକାଳ ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧିରଖିଥିଲ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ସମାଚାର

Related Articles

Back to top button