Education

ଢେଙ୍କାନାଳ ସ୍ବୟଂ ଶାସିତ ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟୟନକେନ୍ଦ୍ରର ଉଦ୍ଘାଟନ ସମାରୋହ -୨୦୨୪ ଅନୁଷ୍ଠିତ

ଢେଙ୍କାନାଳ ତା -୧୯/୧୧/୨୦୨୪ ରିଖ :
ଢେଙ୍କାନାଳ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଭାରତ ସରକାରଙ୍କ କେନ୍ଦ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ,ନୂଆଦିଲ୍ଲୀ ଆନୁକୂଲ୍ୟରେ ପରିଚାଳିତ ସଂସ୍କୃତ ଅଧ୍ୟୟନକେନ୍ଦ୍ରର ଉଦ୍ଘାଟନ ସମାରୋହ ଏବଂ ପ୍ରମାଣପତ୍ର ବିତରଣ ମହୋତ୍ସବ -୨୦୨୪ ସଂସ୍କୃତ ସମ୍ଭାଷଣ ଶିକ୍ଷକ ଅରିନ୍ଦମ ପାରୁଇଙ୍କ ଆବାହକତ୍ୱରେ ଓ ସଂଯୋଜନାରେ ଅଧ୍ୟକ୍ଷ ଚିତ୍ତରଞ୍ଜନ ସାହୁଙ୍କର ପୌରୋହିତ୍ୟରେ,ମହାବିଦ୍ୟାଳୟର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ସୁଦୀର୍ଘ ୩୮ବର୍ଷ ସାରସ୍ଵତ ସାଧନା କରି ଅତି ନିକଟରେ ଅବସର ପ୍ରାପ୍ତ ଶିକ୍ଷାବିତ୍ ଛାତ୍ରୀ,ଛାତ୍ରମାନଙ୍କର ପ୍ରିୟ ଅଧ୍ୟାପକ ଡଃ ସୁରେନ୍ଦ୍ର ନାଥ ଷଡ଼ଙ୍ଗୀ ମୁଖ୍ୟଅତିଥି ଭାବରେ ଏବଂ ସଂସ୍କୃତ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ବୈୟାକରଣ ଡ଼ଃ ପ୍ରଦୀପ ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଉଦ୍ଘାଟନ ସମାରୋହକୁ ସୁଶୋଭିତ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ରୂପରେ ବିରାଜିତ ହୋଇଥିଲେ ଯଶସ୍ବୀ ଅଧ୍ୟାପକ,ବିଭିନ୍ନ ପ୍ରସିଦ୍ଧ ସଂସ୍କୃତ ପାଠ୍ୟପୁସ୍ତକଗୁଡିକର ରଚୟିତା,ଛାତ୍ରପ୍ରେମୀ,ସଂସ୍କୃତ ନିଷ୍ଠ ଡଃ ନିର୍ମଳ ସୁନ୍ଦର ମିଶ୍ର । କାର୍ଯ୍ୟକ୍ରମର ଆରମ୍ଭରେ ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ସଂସ୍କୃତ ଅଧ୍ୟୟନକେନ୍ଦ୍ରର ଶୁଭ ଉଦ୍ଘାଟନ କରିଥିଲେ ଓ ସ୍ଵକୀୟ ଅଭିଭାଷଣରେ ସଂସ୍କୃତ ଭାଷାକୁ ଜନସମାଜର ଭାଷାରେ ପରିଣତ କରିବା ପାଇଁ ସମସ୍ତେ ବଦ୍ଧପରିକର ହେବା ପାଇଁ ଦୃଢ଼ ଆହ୍ବାନ ଦେଇଥିଲେ। ଏହାପରେ ସଂସ୍କୃତ ବିଭାଗମୁଖ୍ୟ ଛାତ୍ରପ୍ରେମୀ ବିକାଶ ରଞ୍ଜନ ମହାରଣା ସ୍ବାଗତ ଭାଷଣ,ଅତିଥି ପରିଚୟ ପ୍ରଦାନ, କାର୍ଯ୍ୟକ୍ରମର ଲକ୍ଷ୍ୟ,ଉଦ୍ଦେଶ୍ୟ ତଥା ଆଭିମୁଖ୍ୟ ସୁବିସ୍ତୃତ ବର୍ଣ୍ଣନା କରିଥିଲେ। ମୁଖ୍ୟବକ୍ତା ଆଚାର୍ଯ୍ୟ ଡ଼. ନିର୍ମଳ ସୁନ୍ଦର ମିଶ୍ର ସଂସ୍କୃତ ଭାଷା ବିଶ୍ଵର ଅଧିକାଂଶ ଭାଷାର ଜନନୀ ଓ ବିଶ୍ଵର ସମସ୍ତ ଜ୍ଞାନର ଗନ୍ତାଘର ବୋଲି ଦୃଢ଼ ମତ ପ୍ରକାଶ କରିଥିଲେ।ମୁଖ୍ୟବକ୍ତା ସୁରେନ୍ଦ୍ର ନାଥ ଷଡ଼ଙ୍ଗୀ ସ୍ଵୀୟ ବକ୍ତବ୍ୟରେ ଓଡ଼ିଆ ଭାଷାପ୍ରତି ଅନୁରାଗ,ସଂସ୍କୃତ ଭାଷାର ସୁରକ୍ଷା,ଏହାର ପ୍ରଚାର ପ୍ରସାର ଓ ନିଯୁକ୍ତି ଉପରେ ପ୍ରାଥମିକତା ହିଁ ଆଜିର ଆବଶ୍ୟକତା ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ। ଶିକ୍ଷାବିତ୍ ଡା.ଦେବୀ ପ୍ରସାଦ ମିଶ୍ର ଅନ୍ୟତମ ସମ୍ମାନିତଅତିଥି ଭାବରେ ଯୋଗଦାନ କରି ସଂସ୍କୃତ ଓ ସଂସ୍କୃତିର ସୁରକ୍ଷା ମାଧ୍ୟମରେ ଜୀବନ,ଜ୍ଞାନ ଓ ବିଜ୍ଞାନର ଗବେଷଣା କରିବା ପାଇଁ ସଂସ୍କୃତ ପ୍ରମୁଖ ଭୂମିକା ଗ୍ରହଣ କରିଛି ଓ ସଂସ୍କୃତ ଭାଷା ଶିକ୍ଷା ସମସ୍ତ ଶାସ୍ତ୍ରର ସାର ଓ ମଣିଷ ଜୀବନଚର୍ଯ୍ୟାର ସୁପରିଚାଳନା ପାଇଁ ଏକାନ୍ତ ଅପରିହାର୍ଯ୍ୟ ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।
ଆଜି ଏହି କେନ୍ଦ୍ରଦ୍ବାରା ଶିକ୍ଷାପ୍ରାପ୍ତ ପ୍ରାକ୍ତନ ଛାତ୍ରୀଛାତ୍ର ଜଗବନ୍ଧୁ ସାହୁ,ପୂର୍ଣ୍ଣ ଚନ୍ଦ୍ର ମଲ୍ଲିକ,ହରପ୍ରିୟା ପତି ଓ ଭବାନୀରାଣୀ ମହାନ୍ତ ପ୍ରମୁଖ ଯେଉଁମାନେ କି ବର୍ତ୍ତମାନ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟମାନଙ୍କରେ ଅଧ୍ୟାପନରତ ସେମାନେ ନିଜସ୍ଵ ସଫଳତାର ଅଭିଜ୍ଞତା ଜ୍ଞାପନ ପୂର୍ବକ ଉପସ୍ଥିତ ଛାତ୍ରୀଛାତ୍ର ମାନଙ୍କୁ ସଂସ୍କୃତ ଅଧ୍ୟୟନ କରି ଆଗାମୀ ଜୀବିକା ପ୍ରାପ୍ତ ହେବାପାଇଁ ପ୍ରୋତ୍ସାହିତ କରିଥିଲେ। ଅଧ୍ୟକ୍ଷ ବିଗତ ବର୍ଷରେ ସଂସ୍କୃତ ଅଧ୍ୟୟନକେନ୍ଦ୍ରରେ ସାର୍ଟିଫିକେଟ ଓ ଡିପ୍ଲୋମା କୋର୍ସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀଛାତ୍ରମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଚଳିତ ବର୍ଷରେ ନାମାଙ୍କନ କରିଥିବା ନୂତନ ଛାତ୍ରୀଛାତ୍ରମାନେ ଅଧ୍ୟକ୍ଷଙ୍କ ହସ୍ତରୁ କେନ୍ଦ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ,ନୂଆଦିଲ୍ଲୀ ତରଫରୁ ପ୍ରଦତ୍ତ ପୁସ୍ତକଗୁଡ଼ିକୁ ପ୍ରାପ୍ତକରି ଆନନ୍ଦିତ ହୋଇଥିଲେ। ସଂସ୍କୃତ ଅଧ୍ୟୟନକେନ୍ଦ୍ରର ଛାତ୍ରୀଛାତ୍ରମାନେ ସଂସ୍କୃତ ଭାଷାରେ ପ୍ରଶ୍ନତ୍ତୋରୀ,ବକ୍ତୃତା,ପ୍ରବନ୍ଧ ଲିଖନ ଓ ଗୀତା ଆବୃତ୍ତି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏଥିରେ ସଙ୍ଗୀତା ପଣ୍ଡା,ରୀପ୍ ସିତା ସାହୁ,ସ୍ୱାଗତିକା ରାଉତ,ସୁଶ୍ରୀ ପ୍ରଜ୍ଞାଶ୍ରୀ ବିଶ୍ଵାଳ,ରୁଦ୍ର ନାରାୟଣ ସେଠୀ ପ୍ରମୁଖ ଯଥାକ୍ରମେ ପ୍ରଥମ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ମଞ୍ଚାସୀନ ଅତିଥିବୃନ୍ଦଙ୍କ ଦ୍ଵାରା ପର୍ଯ୍ୟାୟ କ୍ରମେ ପ୍ରଶଂସାପତ୍ର ଓ ମେମେଣ୍ଟୋ ଗ୍ରହଣ କରି ପୁରସ୍କୃତ ହୋଇଥିଲେ। ସଭାପ୍ରାରମ୍ଭରେ ମଞ୍ଚାସୀନ ଅତିଥିବୃନ୍ଦଙ୍କ ଦ୍ଵାରା ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ,ଧୂପ,ପ୍ରଦୀପ ପ୍ରଜ୍ବଳନ ଓ ଛାତ୍ରୀଛାତ୍ରମାନଙ୍କ ଦ୍ଵାରା ସମବେତ ସ୍ବରରେ ମଙ୍ଗଳାଚରଣ ଗାନ କାର୍ଯ୍ୟକ୍ରମକୁ ଆଧ୍ୟାତ୍ମିକ ପରିବେଶରେ ରୂପାନ୍ତରିତ କରିଥିଲା । ମହାବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରିଥିଲେ। ଛାତ୍ରୀଛାତ୍ରମାନେ ସଂସ୍କୃତ ଭାଷାରେ ରମଣୀୟ “ନୈବ କ୍ଲିଷ୍ଟା ନ ଚ କଠିନା” ସଂଗୀତ ଗାନ କରି ସଭାକୁ ସଂସ୍କୃତମୟ ବାତାବରଣରେ ପରିଣତ କରିଥିଲେ। ଅନୁଷ୍ଠାନର ବର୍ଣ୍ଣାଢ଼୍ୟ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ହାସ୍ୟରସାସ୍ପଦ ଏକ ସଂସ୍କୃତ ଗୀତକୁ ଛାତ୍ରୀଛାତ୍ରମାନଙ୍କଦ୍ୱାରା ସୁନ୍ଦର ନାଟକ ଶୈଳୀରେ ଉପସ୍ଥାପନ ଯାହାକି ସଭାର ବାତାବରଣକୁ ଆନନ୍ଦମୟ କରିଥିଲା। ପରିଶେଷରେ ସଂସ୍କୃତ ବିଭାଗର ଅତିଥି ଅଧ୍ଯାପକ ଜିତେନ୍ କୁମାର ମିଶ୍ରଙ୍କ ଦ୍ବାରା ଧନ୍ୟବାଦ ଜ୍ଞାପନ ପୂର୍ବକ ଛାତ୍ରୀଛାତ୍ରମାନଙ୍କ ଦ୍ଵାରା ଶାନ୍ତି ମନ୍ତ୍ର ପାଠ କରିବା ପରେ କାର୍ଯ୍ୟକ୍ରମର ପରିସମାପ୍ତି ଘଟିଥିଲା।

Related Articles

Back to top button