ଛାତ୍ରଛାତ୍ରୀଙ୍କୁ ବୃତ୍ତିଗତ ପରାମର୍ଶ କାର୍ଯ୍ୟକ୍ରମ-୨୦୨୪ ଅନୁଷ୍ଠିତ


ଗଁଦିଆ, ୧୦/୧୨ /୨୦୨୪( ) : ନିକଟରେ ଗଁଦିଆ ବ୍ଲକ୍ କାବେରା ଗ୍ରାମ ପଞ୍ଚାୟତ ବଡ଼ଜେନା ବିଦ୍ୟାପୀଠ କାବେରା ମାଧପୁରରେ ଛାତ୍ରଛାତ୍ରୀମାନଙ୍କ ପାଇଁ କ୍ୟାରିୟର୍ କାଉନସେଲିଂ/ ବୃତ୍ତିଗତ ପରାମର୍ଶ କାର୍ଯ୍ୟକ୍ରମ -୨୦୨୪ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସଙ୍ଗୀତା ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ସ୍ମାର୍ଟ କ୍ଲାସ୍ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ ସ୍ବତନ୍ତ୍ର ସିବିଆଇ ବିଚାରପତି ତଥା ଶିକ୍ଷାବିତ୍ ଭିକାରୀ ଚରଣ ରାଉତ ଯୋଗଦେଇ ଛାତ୍ରୀଛାତ୍ର ମାନେ କଠିନ ପରିଶ୍ରମ କରି ବାପା ମାଆଙ୍କ ସ୍ଵପ୍ନକୁ ସାର୍ଥକ କରିବା ପାଇଁ ପରାମର୍ଶ ଦେଇଥିଲେ । ଛାତ୍ରୀଛାତ୍ରମାନଙ୍କୁ ଶିକ୍ଷା ଗ୍ରହଣ ପରେ ଉପଯୁକ୍ତ କ୍ୟାରିୟର ବାଛିବା ଏବଂ ଆତ୍ମବିଶ୍ୱାସ ବଢ଼ାଇବା ଦିଗରେ ପଥପ୍ରଦର୍ଶନ କରିଥିଲେ। ବିଶେଷ କରି ଆଇନ୍ ପାଠ ପଢ଼ି କେଉଁ କେଉଁ ବୃତ୍ତିରେ ନିଯୁକ୍ତି ଲାଭ କରି ଜୀବନରେ ସଫଳ ମଣିଷ ପରି ମଣିଷ,କେବଳ ବଡ଼ ମଣିଷ ନୁହେଁ ଭଲ ମଣିଷ ହେବା ସଙ୍ଗେ ସଙ୍ଗେ ଦେଶ ମାତୃକାର ସେବାରେ ନିଜକୁ ନିୟୋଜିତ କରିବାକୁ ଦୃଢ଼ ଆହ୍ବାନ ଦେଇଥିଲେ। ରାଷ୍ଟ୍ରପତି ସ୍କାଉଟ୍,ରାଜ୍ୟ ପୁରସ୍କାର ପ୍ରାପ୍ତ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା ସଂଯୋଜକ,ନିଖିଳ ଓଡ଼ିଶା ସରକାରୀ ମାଧ୍ୟମିକ ଶିକ୍ଷକ ସଂଘ ଢେଙ୍କାନାଳ ଜିଲ୍ଲା ଶାଖା କୋଷାଧ୍ୟକ୍ଷ,ପ୍ରାକ୍ତନ ଚିଫ୍ ଅଫିସର ସମର ଶିକ୍ଷାର୍ଥୀ ଆକାଶ ବାହିନୀ (ବାଳକ),ଷ୍ଟୁଡେଣ୍ଟ ପୋଲିସ୍ କ୍ୟାଡ଼େଟ୍ (ବାଳିକା ଓ ବାଳକ) ବିଭାଗ,ପ୍ରାକ୍ତନ ଛାତ୍ରାବାସ ପରିଚାଳକ,ସଂଯୋଜକ ମୋ ସ୍କୁଲ୍ ଅଭିଯାନ,ବିଦ୍ୟାଳୟ ପୋଷ୍ୟ କାର୍ଯ୍ୟକ୍ରମ,ଉତ୍କର୍ଷ ବିଦ୍ୟାଳୟ କେନ୍ଦ୍ର ଦାୟିତ୍ଵରେ ରହିବା ସହ ଦୀର୍ଘ ୩୬ ବର୍ଷର ନିରବଚ୍ଛିନ୍ନ ଶିକ୍ଷାଦାନ କରି ନିକଟରେ ଅବସର ଗ୍ରହଣ କରିଥିବା ଥିବା ବରିଷ୍ଠ ସହକାରୀ ଶିକ୍ଷକ ଶିକ୍ଷାବିତ୍ ଡା.ଦେବୀ ପ୍ରସାଦ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଛାତ୍ରୀଛାତ୍ରମାନଙ୍କୁ କ୍ୟାରିୟର ଗଠନ ଏବଂ ବୃତ୍ତିଗତ ସଫଳତାର ଗୁରୁତ୍ୱ ଉପରେ ପରାମର୍ଶ ଦେଇଥିଲେ। ଡା.ମିଶ୍ର କଳା,ବିଜ୍ଞାନ ଓ ବାଣିଜ୍ୟ ବିଭାଗ ଗୁଡ଼ିକରେ ଶିକ୍ଷା ଲାଭ କଲାପରେ କେଉଁ କେଉଁ ବୃତ୍ତି ପାଇଁ ନିଜକୁ କିପରି ସୁଦକ୍ଷ କରିପାରିବ ଓ ସେସବୁ କ୍ଷେତ୍ରରେ ସଫଳତା ଲାଭ କରିପାରିବ ସେ ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଅମଣିଷ ନହୋଇ ଆଦର୍ଶ ମଣିଷ ହୋଇ ଦେଶ ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିବାକୁ ଦୃଢ଼ ଆହ୍ବାନ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଅବସରପ୍ରାପ୍ତ ସହକାରୀ ବନ ସଂରକ୍ଷକ/ ଆସିଷ୍ଟାଣ୍ଟ କଞ୍ଜରଭେଟର ଅଫ୍ ଫରେଷ୍ଟ ତଥା ପରିବେଶବିତ୍ ଉପେନ୍ଦ୍ର କୁମାର ରାଉତ ଯୋଗଦାନ କରି ପୋଲିସ୍ ବିଭାଗ,ପ୍ରତିରକ୍ଷା ବିଭାଗ ଓ ଜଙ୍ଗଲ ବିଭାଗ ଗୁଡିକରେ ଥିବା ବିଭିନ୍ନ ପଦବୀ ଗୁଡ଼ିକ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ। ସମସ୍ତ ଅତିଥିବୃନ୍ଦ ଛାତ୍ରୀଛାତ୍ରମାନଙ୍କ ଭବିଷ୍ୟତ ଜୀବନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ବିଭିନ୍ନ ବିଭାଗ ଗୁଡ଼ିକରେ ଚାକିରୀ ପାଇବା ପାଇଁ ବିଭିନ୍ନ ଶିକ୍ଷାଗତ ଯୋଗ୍ୟତା ଓ ସ୍ଵାସ୍ଥ୍ୟଗତ ଶାରୀରିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଛାତ୍ରୀଛାତ୍ରମାନେ ନିଜକୁ କିପରି ପ୍ରସ୍ତୁତ କରିବା ଦରକାର ସେ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ। ଏହି ଅବସରରେ ଆଜିର ମୁଖ୍ୟଅତିଥି ଅବସରପ୍ରାପ୍ତ ସ୍ବତନ୍ତ୍ର ସିବିଆଇ ବିଚାରପତି ତଥା ଶିକ୍ଷାବିତ୍ ଭିକାରୀ ଚରଣ ରାଉତଙ୍କ ସ୍ୱର୍ଗତଃ ଭ୍ରାତା ରାମ ଚନ୍ଦ୍ର ରାଉତଙ୍କ ସୃତିରେ ମେମୋରିଆଲ ପ୍ରାଇଜ୍ ବୋର୍ଡ଼ ଅଫ୍ ସେକେଣ୍ଡାରୀ ଏଡୁକେସନ ଦ୍ଵାରା ପରିଚାଳିତ ବାର୍ଷିକ ହାଇସ୍କୁଲ୍ ସାର୍ଟିଫିକେଟ ପରୀକ୍ଷା- ୨୦୨୩ ରେ ଓ ୨୦୨୪ରେ ସର୍ବାଧିକ ନମ୍ବର ରଖି ସଫଳତା ପାଇଥିବା ଛାତ୍ରୀ ସୂର୍ଯ୍ୟପ୍ରଭା ରାଉତ ଏବଂ ଛାତ୍ର ବିଶ୍ୱଜିତ୍ ବେହେରା ଉଭୟଙ୍କୁ ଅବସରପ୍ରାପ୍ତ ଜଷ୍ଟିସ୍ ରାଉତଙ୍କ ଦ୍ଵାରା ଦ୍ଵାରା ପ୍ରଦତ୍ତ ପ୍ରଶଂସାପତ୍ର ଓ ବ୍ୟାଙ୍କରେ ୧୦ହଜାର ଟଙ୍କା ସ୍ଥାୟୀ ଜମା କରାଯାଇଥିବା ଗଚ୍ଛିତ ଅର୍ଥରାଶିର ସୁଧରୁ ପ୍ରତ୍ୟେକଙ୍କୁ ନଗଦ ଅର୍ଥରାଶି ପ୍ରଦାନ କରିଥିଲେ। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସଙ୍ଗୀତା ଷଡ଼ଙ୍ଗୀ ସ୍ବାଗତ ଭାଷଣ,ଅତିଥି ପରିଚୟ ପ୍ରଦାନ ଓ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ସଂସ୍କୃତ ଶିକ୍ଷୟିତ୍ରୀ ରେଶ୍ ମା ମିଶ୍ର କାର୍ଯ୍ୟକ୍ରମର ସଫଳତା ପାଇଁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଶିକ୍ଷକ ପ୍ରଦ୍ୟୁମ୍ନ ବେହେରା,ପୁଷ୍ପାଞ୍ଜଳି ଲେଙ୍କା,ସୁରେଶ ଚନ୍ଦ୍ର ନାୟକ, କ୍ରୀଡ଼ା ଶିକ୍ଷୟିତ୍ରୀ ନଳିନୀ ମହାନ୍ତି,ସୁମନ ମହାନ୍ତି,ସଞ୍ଜୟ କୁମାର ସାହୁ,ସରଳା ଦଳେଇ,ଜୟନ୍ତୀ ଦେହୁରୀ ଓ ଶେଷ ମଲ୍ଲିକ ପ୍ରମୁଖ ସହକାରୀ ଶିକ୍ଷୟିତ୍ରୀ,ଶିକ୍ଷକ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ବୃନ୍ଦଙ୍କ ସମେତ ବିଦ୍ୟାଳୟର ଶତାଧିକ ଛାତ୍ରୀଛାତ୍ର ଉପସ୍ଥିତ ରହିବା ସଙ୍ଗେ ସଙ୍ଗେ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ଅଂଶଗ୍ରହଣ କରି ଏହାକୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।




