Religion

ଆମ ହାତେ ରାମ ରାଜ୍ୟ

ଅଶ୍ୱିନ ଆସିଛି ଧରଣୀ ହସୁଛି, 

ବସୁଛି ଚୂହା ଚନ୍ଦନ !

କାଶତଣ୍ଡୀ ଫୁଲ ମଳୟ ପରଶେ,

ଝୁଲି ଝୁଲି କରେ ଗାନ !!

 

କର୍ଣ୍ଣେ ଶୁଭିଯାଏ ଘଣ୍ଟ ଘଣ୍ଟା ଆଉ- 

କାହାଳୀ ମୃଦଙ୍ଗ ଧ୍ୱନି ,

କୁମ୍ଭାଟୁଆ ନୀତି ପ୍ରତ୍ୟୁଷରୁ ଗାଏ,

ନାଚିଯା ଧରଣୀ ରାଣୀ !!

 

ଆସୁଛି କି କିଏ ଏ ଧରାପୃଷ୍ଠକୁ,

ଏତେ ଆନନ୍ଦ କି ପାଇଁ,

ଦୁର୍ଗତିନାଶିନୀ ଦୂର୍ଗା ଯେ ଆସନ୍ତି,

ସର୍ବ ମୁଖେ ତ୍ରାହି ତ୍ରାହି !!

 

ମାତୃପୂଜା କରେ ଏସଂସାର ଜନ,

ମାଆ କୁ ନାହିଁ ସମ୍ମାନ,

ନିର୍ଯାତିତା ହୁଏ ଇଜ୍ଜତ ହରାଏ,

କେହି ନଦିଅନ୍ତି ଧ୍ୟାନ !!

 

ମାତୃ ଜାତି ଯେବେ ପୁରୁଷ ହାତରେ,

ସାଜେ ଖେଳନା କଣ୍ଢେଇ,

ମାତୃ ପୂଜା କରି କି ପୁଣ୍ୟ ଅର୍ଜୁଛ,

ମାଆକୁ ଦିଅ ଭଣ୍ଡେଇ !!

 

ମଣିଷ ରାକ୍ଷସ ନାରୀ ଲୋଭୀ ହୋଇ,

ଲୋଲୁପ ପାପୀ ବୁଲାଇ,

ନୀତି ଖୋଜୁଥାଅ ଶିକାର କରିବ,

କୋଉ ଝିଅ ବୋହୁ ନେଇ !!

 

ଏହି କଣ ତୁମ ନାରୀକୁ ସମ୍ମାନ,

ଏହି କି ତୁମ ସଂସ୍କୃତି,

ଯୋଉ ମାଟି ପରେ ମାତୃଶକ୍ତି ପୂଜା,

କାହିଁ ହୁଅ ହୀନ ମତି ?

 

ସୁଧୁରି ଯାଅ ହେ ମଣିଷ ଅସୁର,

ପ୍ରକୃତି ଛଡା ନ ହୁଅ,

ରାବଣ ରହିଛି ତୁମ ପ୍ରକୃତିରେ,

ଏ କଥା ଭୁଲି ନ ଯାଅ !!

 

ଛବିଟିଏ କରି ରାବଣ ନାମରେ 

ଲଗେଇ ଦେଲେ କି ନିଆଁ,

ସରିବନି କଥା ରହିଯିବ ନଥା,

ସୁଧୁରିବନି ଦୁନିଆଁ !!

 

ନିଜ ଘର ନାରୀ ମାଆ ଟିଏ ପରି,

ସବୁରି ଘରକୁ ଚାହଁ,

ସାରା ଦୁନିଆଁ ଟା ତୁମ ପରିବାର,

ସମସ୍ତେ ତୁମ ନିଜର !!

 

ପ୍ରକୃତିରେ ଛନ୍ଦା ନିୟତିରେ ବନ୍ଧା,

ମୋହ ମାୟାର ସଂସାର,

ମଧୁର ସମ୍ପର୍କ ସଂସ୍କୃତି ସଞ୍ଚାରେ,

ଏ କଥା ରାମରାଜ୍ୟର !!

 

ଯେପରି ଗଢିବା ସେପରି ହୋଇବ,

ଜଗତେ ହେବା ଯେ ପୂଜ୍ୟ,

ଆମ ହାତେ ଅଛି ରାବଣ ରାଇଜ,

ଆମ ହାତେ ରାମ ରାଜ୍ୟ !!

ଆମ ହାତେ ରାମ ରାଜ୍ୟ !!

*****************************

କବି -ଭାଗବତ ପ୍ରସାଦ.

ଉପେନ୍ଦ୍ରହେମ ଭବନ,

ତିର୍ତ୍ତୋଲ, ଜଗତସିଂହପୁର.

*****************************

Related Articles

Back to top button