Education

ସପ୍ତଦଶ ସର୍ବଶ୍ରୀ ସ୍ଵନକ୍ଷତ୍ର ଉତ୍ସବ -୨୪ ବସୁଧୈବ କୁଟୁମ୍ବକମ୍ ଓ ସର୍ବେ ଭବନ୍ତୁ ସୁଖିନଃ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବିଶ୍ୱକୁ ଭାରତୀୟ ସାହିତ୍ୟର ଶ୍ରେଷ୍ଠ ଅବଦାନ ଭାରତୀୟ ସାହିତ୍ୟ ଯୁଗେଯୁଗେ ବିଶ୍ୱକୁ ଶ୍ରେଷ୍ଠ ଉପହାର ଦେଇଆସିଛି। ବେଦ, ରାମାୟଣ, ଭଗବତ ଗୀତା ଭଳି ଅନନ୍ୟ ଗ୍ରନ୍ଥ ମାନବିକତାର ବାର୍ତ୍ତା ଦେଇ ଆସୁଛନ୍ତି। କବି ସମ୍ବେଦନଶୀଳତାର ଭକ୍ତ। ସାମ୍ପ୍ରତିକ ସମୟରେ ସାହିତ୍ୟ ହିଁ ଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ ଅଗ୍ର ଭୂମିକା ନେଇଁ ପାରିବ ବୋଲି ସାହିତ୍ୟ ପାଇଁ ସମର୍ପିତ ସର୍ବଶ୍ରୀ ସବାଖିଆ ସାହିତ୍ୟ ସଂସଦର ସପ୍ତଦଶ ସ୍ଵନକ୍ଷତ୍ର ଦିବସ ଅବସରରେ ଅତିଥି ବକ୍ତାଗଣ ମତ ପ୍ରକାଶ କରିଥିଲେ। ବ୍ରହ୍ମାନନ୍ଦ ସାମଲଙ୍କ ପୌରୋହିତ୍ୟରେ ଭବାନୀପାଟଣାର ଅମଲା ଭବନଠାରେ ଅନୁଷ୍ଠିତ ଏଇ ସର୍ବଶ୍ରୀ ଶବ୍ଦ ଉତ୍ସବରେ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ, କଳାହାଣ୍ଡି ତନ୍ମୟ କୁମାର ଦରୱାନ ଉଦ୍ଘାଟନ କରିଥିବାବେଳେ ବରିଷ୍ଠ ରାଷ୍ଟ୍ରବାଦୀ ସାହିତ୍ୟିକ ବିରଞ୍ଚି ନାରାୟଣ ପଣ୍ଡା ଓ ମା ମାଣିକେଶ୍ବରୀ ବିଶ୍ୱ ବିଦ୍ୟାଳୟ, ଓଡିଆ ଭାଷା ଓ ସାହିତ୍ୟ ବିଭାଗର ଅଧ୍ୟାପକ ଡୋଳାମଣି ଧରୁଆ ଅତିଥି ବକ୍ତା ଭାବେ ଯୋଗ ଦେଇଥିଲେ। ଦିବଂଗତ ସାହିତ୍ୟିକଙ୍କୁ ବୈଦିକ ମନ୍ତ୍ର ଧ୍ୱନିରେ ଦୀପଦାନ ସହ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଯୁବଶିଳ୍ପୀ ସୁନନ୍ଦା ମିଶ୍ର ସର୍ବଶ୍ରୀ ସଂଗୀତ ପରିବେଷଣ କରିଥିବାବେଳେ ଉପସଭାପତି
ଡ. ନୀରଦ ଚନ୍ଦ୍ର କହଁର ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ। ଏଇ ଅବସରରେ ଅନୁଷ୍ଠାନର ବାର୍ଷିକ ସାହିତ୍ୟ ପତ୍ରିକା ‘ଦୀପ୍ତିସୁଧା’ ଓ ବ୍ରହ୍ମାନନ୍ଦ ସାମଲଙ୍କ ଗଳ୍ପ ସଂକଳନ ‘ଧୂସର ଦୃଷ୍ଟି’ ଲୋକାର୍ପିତ ହୋଇଥିଲା। ସାହିତ୍ୟ ସାଧନା ପାଇଁ ବରିଷ୍ଠ ସାହିତ୍ୟିକ ସୀମାଞ୍ଚଳ ନାଗଙ୍କୁ ‘ସର୍ବଶ୍ରୀ ସାହିତ୍ୟ ସମ୍ମାନ-୨୪ ଓ ନୂଆପଡା ଜିଲ୍ଲା ତୁକୁଲା ଗ୍ରାମର ଧନେଶ୍ୱର ବାରିକଙ୍କୁ ସର୍ବଶ୍ରୀ ପାଠକ ସମ୍ନାନ-୨୪’ରେ ସମ୍ବର୍ଦ୍ଧିତ କରାଯାଇଥିଲା। ଯୁବକବି ପ୍ରଶାନ୍ତ ଦାଶ ମଞ୍ଚ ସଂଯୋଜନା କରିଥିବାବେଳେ ଯୁବ ପ୍ରତିଭା ପ୍ରତାପ ଚନ୍ଦ୍ର ପଣ୍ଡା, କାଜଲ ମହାରଣା, ରଚିତା ମେହେର, ପ୍ରାଞ୍ଜଳ ଠାକୁର, ଦୀପକ ଦାଶ, ଦୀପ୍ତି ମୁଣ୍ଡ, ସୁଦେଷ୍ଣା ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସମ୍ପାଦକ ବିରଞ୍ଚି ନାରାୟଣ ମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ। ଏଇ ଜିଲ୍ଲା ସ୍ତରୀୟ ଶବ୍ଦ ଉତ୍ସବରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଶତାଧିକ ସାରସ୍ୱତ ସାଧକ ଯୋଗ ଦେଇଥିଲେ। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button