ନିଜ ବିଦ୍ୟାଳୟ ଅନ୍ୟତ୍ର ମିଶ୍ରଣ- ଜାତୀୟ ପତାକା ଧରି ଆମ ସ୍କୁଲ ଆମକୁ ଫେରାଇ ଦିଅ ନାରାରେ ସ୍ୱାଧୀନତା ଦିବସ ପାଳିଲେ ଛାତ୍ରଛାତ୍ରୀ


-ନିଜ ବିଦ୍ୟାଳୟ ଅନ୍ୟତ୍ର ମିଶ୍ରଣ କରାଯାଇଥିବାରୁ ପାଠ ପଢା ଠପ ହୋଇ ଯାଇଛି । ଶିକ୍ଷକ ଶିକ୍ଷୟତ୍ରୀ ଆସୁ ନାହାନ୍ତି । ପିଲାମାନେ ନିଜ ବିଦ୍ୟାଳୟକୁ ଆସି ବସି ବସି ନିରାଶରେ ଘରକୁ ଫେରୁଛନ୍ତି । ଏଭଳିଏକ ଘଟଣା ବଡ଼ଚଣା ବ୍ଲକ ଅନ୍ତର୍ଗତ ଅରଖପୁର ପଞ୍ଚାୟତ ଅରଖପୁର ଦଳିତ ସାହିରେ ଦେଖିବାକୁ ମିଳିଥିବା ବେଳେ ଗତ ୧୫ ତାରିଖ ସ୍ଵାଧିନତା ଦିବସ ପାଳନ କରିବା ସହିତ ହାତରେ ଜାତୀୟ ପତାକା ଓ ଅନ୍ୟ ଏକ ହାତରେ ପ୍ଲାକାଡ଼ ଧରି ଛାତ୍ରଛାତ୍ରୀ ମାନେ “ଆମ ବିଦ୍ୟାଳୟ ଆମକୁ ଫେରାଇ ଦିଅ’, ‘ଶିକ୍ଷା ଆମର ମୌଳିକ ଅଧିକାର’,’ଶିକ୍ଷା ଆମର ପରିଚୟ’, ଓ ‘ଆମ ବିଦ୍ୟାଳୟ ଆମର ଗୌରବ’ ଆଦି ବିଭିନ୍ନ ନାରା ଦେଇ ସାହି ପରିକ୍ରମା କରିବା ଦୃଶ୍ୟଟି ପିଲା ମାନଙ୍କର ନିଜ ବିଦ୍ୟାଳୟ ପ୍ରତି କିଭଳି ଆକର୍ଷଣ ଓ ଭଲ ପାଇବା ରହିଛି ତାହା ସମସ୍ତଙ୍କୁ ସୁଚେଇ ଦେଉଥିଲା । ତେବେ ଗତ କାଲି ସ୍ୱାଧୀନତା ପାଳନ ଦିବସରେ ପିଲାମାନେ ଏହି ବିଦ୍ୟାଳୟକୁ ଆସି ବିଦ୍ୟାଳୟରେ କେହି ଶିକ୍ଷକ ନଥିବା ଦେଖି ବିଗତ ବର୍ଷ ମାନଙ୍କର ସ୍ୱାଧୀନତା ଦିବସ ପାଳନ କରିବାର ସ୍ମୃତି ମନେ ପକାଇ ଭାଙ୍ଗି ପଡ଼ିଥିଲେ ।ପରେ ଏହି ବିଦ୍ୟାଳୟରେ ଚାଲୁଥିବା ଅଙ୍ଗନୱାଡି କେନ୍ଦ୍ରର ସହାୟିକା ନିରୂପମା ଜେନା ପିଲା ମାନଙ୍କୁ ଏକାଠି କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପରେ ପରେ ଛାତ୍ରଛାତ୍ରୀ ମାନେ ସାହି ପରିକ୍ରମା କରି ଆମ ସ୍କୁଲକୁ ଆମକୁ ଫେରାଇ ଦିଅ ନାରାରେ ସାହି ରାସ୍ତାକୁ କମ୍ପେଇ ଦେଇଥିଲେ ।
ସୂଚନା ମୁତାବକ ୧୯୨୮ ମସିହାରେ ଅରଖପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା । ଆଉ ଚାରି ବର୍ଷ ପରେ ଶତ ବାର୍ଷିକ ଉତ୍ସବ ପାଳନ ହୋଇଥାନ୍ତା । ଏବେ ଏହି ବିଦ୍ୟାଳୟରେ ୨୭ ଜଣ ଛାତ୍ରଛାତ୍ରୀ ଅଛନ୍ତି । ହେଲେ ଏହି ବିଦ୍ୟାଳୟକୁ ସରକାର ଗତ ଜୁଲାଇ ୨ ତାରିଖରୁ ବାଇଶିମୌଜା ସ୍ଥିତ ଧନଞ୍ଜୟ ବିଦ୍ୟାପୀଠକୁ ସ୍ଥାନାନ୍ତର କରିଛନ୍ତି । ଫଳରେ ଛାତ୍ରଛାତ୍ରୀ, ଅଭିଭାବକ ଓ ସାହି ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅଭିଭାବକ ମାନଙ୍କ କହିବା ମୁତାବକ ଆମ ସ୍କୁଲ ଠାରୁ ମିଶ୍ରଣ ସ୍କୁଲର ଦୂରତ୍ୱ ଅଧିକ ବାଟ ହୋଇଥିବା ବେଳେ ଏକ ଚଳ ଚଞ୍ଚଳ ରାସ୍ତା ଦେଇ କୁନି କୁନି ପିଲାମାନେ ଦୈନିକ ସେଠାକୁ ଯାତାୟତରେ ସମସ୍ୟା ସୃଷ୍ଟି ହେବାକୁ ଥିବାରୁ ଆମ୍ଭେ ପିଲା ମାନଙ୍କୁ ସେଠାକୁ ଛାଡ଼ିବୁ ନାହିଁ । ତେବେ ଏହି ପଞ୍ଚାୟତରେ ଅନ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀ ସଂଖ୍ୟା ଆମ ବିଦ୍ୟାଳୟ ଠାରୁ କମ ଥିବା ବେଳେ ଆମ ବିଦ୍ୟାଳୟ କୁ କାହିଁକି ଅନ୍ୟତ୍ର ମିଶ୍ରଣ କରାଗଲା ବୋଲି ପ୍ରଶ୍ନ ଉଠାଇ ଏହାର ବିଚାର କରାଯାଉ ବୋଲି ଦାବି କରିଛନ୍ତି। ତେବେ ଏହି ବିଦ୍ୟାଳୟ ଅନ୍ୟତ୍ର ମିଶ୍ରଣ ପର ଠାରୁ ଛାତ୍ରଛାତ୍ରୀମାନେ ସେଠାକୁ ପଢିବାକୁ ନଯାଇ ଏହି ବିଦ୍ୟାଳୟରେ ବସି ବସି ଘରକୁ ଫେରୁଥିବା ବେଳେ ଏଠାରେ ନିଯୁକ୍ତ ଶିକ୍ଷକ ଶିକ୍ଷୟତ୍ରୀ ମଧ୍ୟ ଧନଞ୍ଜୟ ବିଦ୍ୟାପୀଠରେ ବସି ବସି ଫେରୁଛନ୍ତି । ଏଥିପ୍ରତି ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ପିଲା ମାନଙ୍କର ଭବିଷ୍ୟତ ଜୀବନ ଗଠନରେ ସହଯୋଗ କରିବାକୁ ଦାବି କରାଯାଇଛି ।
ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ,




