State

ଗଣେଶ ପୂଜା ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

 

ଆସନ୍ତା ସେପ୍ଟେମ୍ବର ୭ ତାରିଖ ଶନିବାର ଦିନ ଢେଙ୍କାନାଳରେ ବିଭିନ୍ନ ପୂଜା ପ୍ରତିଷ୍ଠାନ ଦ୍ବାରା ଗଣେଶ ପୂଜା ଆୟୋଜନ ନିମନ୍ତେ ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭାଗୃହଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି ( ସାଧାରଣ )କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଢେଙ୍କାନାଳରେ ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କର ଯେପରି ଶାନ୍ତି ଶୃଙ୍ଖଳାର ସହ ଉତ୍ସବ ମୁଖର ହୋଇପାରିବ ସେଥ‌ିପାଇଁ ସେ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି ।

ସଦର ଉପଜିଲ୍ଲାପାଳ ଶ୍ରୀ ସପନ କୁମାର ନନ୍ଦ ସ୍ବାଗତ ଭାଷଣ ଦେଇ ପୂଜା ଆୟୋଜନ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ । ବୈଠକରେ ନିଆ ଯାଇଥିବା ନିଷ୍ପତି ଗୁଡିକୁ ସଠିକ ଭାବେ କାର୍ଯ୍ୟକାରୀ କରିବାକୁ ସେ ସମସ୍ତ ପୂଜା ପ୍ରତିଷ୍ଠାନର କର୍ମ କର୍ତ୍ତାଗଣଙ୍କୁ ଅନୁରୋଧ କରିଥିଲେ । ଗଣେଶ ପୂଜା କମିଟିର ସଭାପତି ଶ୍ରୀ ସୁଧାଂଶୁ କୁମାର ବଳେଇ ସହରରେ ଅନୁଷ୍ଠିତ ହେବାକୁ ଥିବା ଗଣେଶ ପୂଜାର ସମସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ ।ସେପ୍ଟେମ୍ବର ୭ ତାରିଖରୁ ଗଣେଶ ପୂଜା ଆରମ୍ଭ ହୋଇ ୬ ଦିନ ପୂଜା ଅନୁଷ୍ଠାନ ହେବା ପରେ ୧୩ ତାରିଖ ଶୁକ୍ରବାର ଦିନ ମୂର୍ତ୍ତି ବିସର୍ଜନ ହେବ । ୧୩ ତାରିଖ ସକାଳ ୮-୯ ଘଟିକା ମଧ୍ୟରେ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଲଟେରୀ ମାଧ୍ଯମରେ ବିସର୍ଜନ ନିମନ୍ତେ କ୍ରମାନ୍ଵୟ ପ୍ରସ୍ତୁତି ପରେ ମୂର୍ତ୍ତି ଗୁଡିକ କାଠଶଙ୍ଖ, କୁଞ୍ଜକାନ୍ତ, ଜାଉଁଳି ପୋଖରୀ, ଜେଲ ପୋଖରୀ, ବାଇପାସ ସ୍ଥିତ ପୋଖରୀ ଆଦିରେ ବିସର୍ଜନ ନିମନ୍ତେ ଯିବେ । ଶୋଭାଯାତ୍ରାରେ ଡି.ଜେ ସାଉଣ୍ଡ ବ୍ୟବହାରକୁ ସଂପୂର୍ଣ ନିଷେଦ୍ଧ କରାଯାଇଛି । ରାତ୍ର ୯ ଘଟିକା ସମୟରେ ଶୋଭାଯାତ୍ରାରେ ବିସର୍ଜନ କାର୍ଯ୍ୟ ସମାପନ ହେବ, ଏଥିରେ ବିଳମ୍ବ ହେଲେ ବଚା ଶୋଭାଯାତ୍ରାରେ ପୂଜା ପ୍ରତିଷ୍ଠାନମାନେ ବିସର୍ଜନ କାର୍ଯ୍ୟ କରିବେ ବୋଲି ବୈଠକରେ ସ୍ଥିର ହୋଇଛି । ବିସର୍ଜନ ନିମନ୍ତେ ପୋଖରୀ ଗୁଡିକରେ ପୌର ପାଳିକା ପକ୍ଷରୁ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବ । ବିସର୍ଜନ ସମୟରେ ସମସ୍ତ ପୂଜା ପ୍ରତିଷ୍ଠାନର ସଭାପତି ଏବଂ ସମ୍ପାଦକମାନେ ଉପସ୍ଥିତ ରହିବେ । ପ୍ଲାଷ୍ଟିକ ବର୍ଜନ ସହିତ ପରିଷ୍କାର ପରିଛନ ପ୍ରତି ଧ୍ୟାନ ଦେବାକୁ ବୈଠକରେ ଗୁରୁତ୍ବାରୋପ କାରାଯାଇଛି । ବିସର୍ଜନ ଦିନ ସହରରର ସମସ୍ତ ମଦ ଦୋକାନ ବନ୍ଦ ରହିବ । ମୂର୍ତ୍ତି ବିସର୍ଜନ ଦିନ ପୂଜା ପ୍ରତିଷ୍ଠାନର କୌଣସି ସଭ୍ୟ ମଦ୍ୟ ପାନ କରିବେ ନାହିଁ ବୋଲି ପ୍ରକାଶ କରିଛନ୍ତି । ଗଣେଶ ପୂଜାକୁ ଶାନ୍ତି ଶୃଙ୍ଖଳାର ସହିତ ଉତ୍ସବ ମୁଖର କରିବା ନିମନ୍ତେ ଶାନ୍ତି କମିଟି ବିଶେଷ ଯତ୍ନବାନ ହେବାକୁ ଉପଜିଲ୍ଲାପାଳ ଅନୁରୋଧ କରିଛନ୍ତି ।

ଗଣେଶ ପୂଜା ଏବଂ ଭସାଣି ଉତ୍ସବ ସମାପନ କିପରି ଶାନ୍ତି ଶୃଙ୍ଖଳାର ସହିତ ହେବ ଏବଂ ଟ୍ରାଫିକ ନିୟନ୍ତ୍ରଣ ନିମନ୍ତେ ପୋଲିସ ମୁତୟନ ହେବେ, ସମ୍ପର୍କରେ ଅତିରିକ୍ତ ଆରକ୍ଷୀ ଅଧକ୍ଷକ ଶ୍ରୀ ସୂର୍ଯ୍ୟମଣି ପ୍ରଧାନ ସୂଚନା ପ୍ରଦାନ କରିଥିଲେ |ଏହି ପ୍ରସ୍ତୁତି ବୈଠକରେ ଗଣେଶ ପୂଜା କମିଟିର ସମ୍ପାଦକ ଶ୍ରୀ ସନ୍ଦୀପ କୁମାର ଷଢଙ୍ଗୀ, ପୌର ପାଳିକାର ଉପାଧ୍ଯକ୍ଷ ଶ୍ରୀ ପ୍ରକାଶ ଚନ୍ଦ୍ର କୁଆଁର, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅର୍ଧକାରୀ ଡା: ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ପୌର ନିର୍ବାହୀ ଅଧୂକାରୀ ଶ୍ରୀ ସୁକାନ୍ତ କୁମାର ବେଉରାଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ପୋଲିସ ଅଧିକାରୀ, ସମସ୍ତ ଗଣେଶ ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତା, ଗଣମାଧ୍ୟମର ପ୍ରତିନିଧୀମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Related Articles

Back to top button