ଚୈତ୍ର ପ୍ରଥମ ମଙ୍ଗଳବାର (ପ୍ରଥମ ପାଳି ଯାତ୍ରା)


ସ୍ମାର୍ତ୍ତେକର୍ମଣି କେ ରତାଃ କ୍ଷିତିତଳେ କେ ବୈଷ୍ଣବୀ କର୍ମଣି
ପ୍ରାୟାକେଚନ କୌଳଧର୍ମ ନିରତାଃ କେ ଯୋଗମାର୍ଗେସ୍ଥି ତାଃ
କେବା ଶୈବମତେ ମତେ ଗଣପତେ ସୌରମତେ କେ ସ୍ଥିତା
କେଷାଂ ନୈବଗତି ତ୍ୱଦୀୟ କରୁଣା ମାତବିର୍ନା ଚଣ୍ଡିକେ।।
ରାତ୍ର ତିନିଘଡି ଥାଇ ମନ୍ଦିର ଦ୍ବାରଫିଟା ପରେ ମଙ୍ଗଳ ଆଳତି, ଭିତର ଶୋଧ, ସ୍ନାନ, ବେଶ, ଚନ୍ଦନ ଲାଗି ପରେ ସୂର୍ଯ୍ୟପୂଜା, ବଲ୍ଲଭ ନୀତି କରାଯାଏ। ବଲ୍ଲଭ ନୀତି ପରେ ପ୍ରାରମ୍ଭିକ ସମୟରେ ସକାଳ ଧୂପ କରାଯାଏ ଏବଂ ବନ୍ଦାପନା ଆଳତୀ ପରେ ସର୍ବସାଧାରଣ ଦର୍ଶନ ପାଇଁ ସାହାଣମେଲା କରାଦିଆଯାଏ। ଏବଂ ମା ଙ୍କର ଦିବ୍ୟ ବେଶ ଦର୍ଶନ କରିବା ସହ ସୀମନ୍ତିନୀ ଗଣ ମନ୍ଦିର ବେଢାରେ ପନ୍ଥେଇ ପୂଜା କରିଥାନ୍ତି।
ପ୍ରାୟତଃ ମଧ୍ୟାହ୍ନ ରେ ନେତ ଉତ୍ସବ ଅନୁଷ୍ଠିତ ହୁଏ। ପରେ ଶାରଳା ପୀଠ ରୁ ଆସିଥିବା ରାଉଳ ସେବକ ମାନେ ଓ ଭୋଇ ସେବକ ମାନେ ପାଣିତୋଳି ମନ୍ଦିର ବେଢା ରେ ପାଟୁଆ ନୃତ୍ୟ କରିଥାନ୍ତି । ଏହାପରେ ମନ୍ଦିର ଗର୍ଭଗୃହ ଖାଲି କରାଯାଇ ଦ୍ବିପ୍ରହର ଧୂପ ଓ ଭଅଣ୍ଡ ଧୂପ କରାଯାଏ ଏବଂ ଦ୍ବିପ୍ରହର ପହୁଡ ପଡେ। ସଂନ୍ଧ୍ଯା ଆଳତି କରାଯାଇ ଉଲାଗି ଓ ମାର୍ଜନା କରାଯାଏ। ବେଶ ପରେ ଭାଗବତ ପାଠ, ରାତ୍ରି ଧୂପ, ଗୀତଗୋବିନ୍ଦ ପାଠ ଓ ବଡସିଂହାର ପରେ ଭ୍ରମଣ ନୀତି ଅନୁଷ୍ଠିତ ହୋଇଥାଏ।
ଭ୍ରମଣୀ ନୀତି ଚୈତ୍ର ମାସର ଚାରି ମଙ୍ଗଳବାର, ଝାମୁପାଳି, ଓ ଆଶ୍ଵିନ ମାସର ଶୁକ୍ଳପକ୍ଷ ଦ୍ଵିତୀୟା ଠାରୁ ସପ୍ତମୀ ପର୍ଯ୍ୟନ୍ତ ଛଅଦିନ ପାଳିତ ହୋଇଥାଏ। ଉକ୍ତ ଦିନ ମାନଙ୍କରେ ମା’ ଙ୍କର ବଡସିଂହାର ଧୂପ ସରିବା ପରେ ମା’ ଙ୍କର ଚଳନ୍ତି ପ୍ରତିମା ଓ ଦୁର୍ଗା ପ୍ରତିମା ଙ୍କୁ ଗୋଟିଏ ପାଲିଙ୍କି ରେ ରଖି ମା’ ଙ୍କର ମନ୍ଦିର ର ବେଢା କୁ ତିନି ଥର ପରିକ୍ରମା କରାଯାଇଥାଏ। ଏହାପରେ ମନ୍ଦିର କୁ ଫେରାଇ ନିଆଯାଇ ସିଂହାସନ ଉପରେ ‘ଭ୍ରମଣୀ ଭୋଗ’ ନାମରେ ଏକ ବାଲ୍ୟ ଭୋଗ ଅର୍ପଣ କରାଯାଇଥାଏ। ଏହାପରେ ମା’ ଙ୍କର ପହଡ ପଡିଥାଏ।




