Religion

ସାଧୁ ମେହେରଙ୍କ ସ୍ମୃତିରେ ଗୁଡ଼ଭେଲି ପଦରରେ ରକ୍ତଦାନ ଶିବିର 

ଘଣ୍ଟାପଡ଼ା,୧୧।୨(ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଗୁଡ଼ଭେଲିପଦର ଗ୍ରାମରେ ରବିବାର ଦିନ ୧୧ଟା ସମୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇ ଯାଇଛି | ସ୍ବର୍ଗତ ପଦ୍ମଶ୍ରୀ ସାଧୁ ମେହେରଙ୍କ ଦଶାହ ଉପଲକ୍ଷେ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଏହି ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା | ଏହି ଶିବିରରେ ମୋଟ ୨୩ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା | ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜର ରକ୍ତ ଭଣ୍ଡାରର ଡଃ ସୁମିତ ମୁଣ୍ତ, ଲ୍ୟାବ ଟେକନିଶିଏନ୍ ରଞ୍ଜନ ବରାଳ, ପରମାନନ୍ଦ କୁଂହର, ନର୍ସ ଜ୍ୟୋର୍ତିମୟୀ ନାଏକଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ | ଏହି ଶିବିରକୁ ଭାଗିରଥି କର୍ମୀ, ଆଦିତ୍ୟ ମହାକୁଡ, ସତ୍ୟନାରାୟଣ ମହାଲିକ୍, ଦିନେଶ ବିଶି, ଅଖିଳ ଡ଼ାଙ୍ଗ , ମହେଶ୍ୱର ମହାଲିକଙ୍କ ତତ୍ତ୍ଵାବଧାନରେ ଗ୍ରାମବାସୀ ସହଯୋଗ କରିଥିଲେ | ପରେ ଗ୍ରାମରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା | ସ୍ବର୍ଗତ ପଦ୍ମଶ୍ରୀ ଡ଼ଃ ସାଧୁ ମେହେରଙ୍କ ଦଶାହ ଉପଲକ୍ଷେ ପୈତୃକ ଗ୍ରାମ କଣ୍ଟାମାଳ ବ୍ଲକ ଗୁଡଭେଲିପଦର ଗ୍ରାମର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସନ୍ଧ୍ୟାରେ ଏକ ସ୍ମୁତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା | ଏହି ସଭାରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ନାଟ୍ୟକାର ହରିହର ପ୍ରଧାନ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଚଳଚ୍ଚିତ୍ର ଅଭିନେତା ପ୍ରଦ୍ୟୁମ୍ନ ସାହୁ, ନାଟ୍ୟକାର ଗଦାଧର ବାରିକ, ବରିଷ୍ଠ ସାମ୍ବାଦିକ ଦିବ୍ୟ ଶଙ୍କର ରାଉତ, ଶିକ୍ଷାବିତ ରଞ୍ଜୁ ଅମାତ ପ୍ରମୁଖ ମଞ୍ଚାସୀନ ଥିଲେ | ପ୍ରଥମେ ସ୍ବର୍ଗତ ସାଧୁ ମେହେରଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା | ସାଧୁ ମେହେରଙ୍କ ଜୀବନୀ ଉପରେ ଅତିଥି ମାନେ ନିଜ ନିଜର ବକ୍ତବ୍ୟ ରଖିବା ସହ ସ୍ମୁତି ଚାରଣ କରିଥିଲେ | ଭାଗିରଥି କର୍ମୀ ମଞ୍ଚ ପରିଚାଳନା କରିଥିବା ବେଳେ ଆଦିତ୍ୟ ମହାକୁଡ ଧନ୍ୟବାଦ୍ ଅର୍ପଣ କରିଥିଲେ |

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button