ରୁଙ୍ଗୁଟା କମ୍ପାନୀର ଦଳିତ, ଶୋଷଣ ନୀତିର ତଦନ୍ତ ଦାବିରେ ଜିଲ୍ଲାପାଳଙ୍କ ଅଫିସରେ ବିକ୍ଷୋଭ


ଢେଙ୍କାନାଳ ତା ୩୦/୧/୨୪ରିଖ, ମେରାମଣ୍ଡଳୀସ୍ଥିତ ରୁଙ୍ଗଟା ମାଇନ୍ତି କମ୍ପାନୀର ଦଳିତମାନଙ୍କୁ ସଂପରିଗତ ଶୋଷଣ, ମାନସିକ ନିର୍ଯ୍ୟାତନା, ଆର୍ଥିକ କଷଣ ଇତ୍ୟାଦି କାର୍ଯ୍ୟକ୍ରମଗୁଡିକର ତଦନ୍ତ କରିବା ଦାବିରେ ଆଜି ଦଳିତ, ଶୋଷଣ ମୁକ୍ତ ମଞ୍ଚ ତରଫରୁ ଏକ ବିକ୍ଷୋଭ ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା । ଉଲ୍ଲେଖଯୋଗ୍ୟ କି, ଗତ ଦୀର୍ଘ ୧୪ ବର୍ଷ ଧରି ମେରାମଣ୍ଡଳୀ ଏସ.ସି. (ପାଣ) ସାହିର ଲୋକମାନଙ୍କୁ ନିଯୁକ୍ତିର ପ୍ରଲୋଭନ ଦେଖାଇ ଜମି ନେଲା ପରେ ନିଯୁକ୍ତି ନ ଦେବା ଇତ୍ୟାଦି ଅଭିଯୋଗ ଦୀର୍ଘ ବର୍ଷ ଧରି ଜମିହରା ପରିବାରମାନେ କରିଆସୁଛନ୍ତି । କିନ୍ତୁ ସ୍ୱଚ୍ଛ ସରକାର ଓ ଗରିବଲୋକଙ୍କ ବଳ ବିଜୁଜନତା ଦଳ ବୋଲି ଦାବି କରୁଥିବା ରାଜ୍ୟ ଓ ଜିଲ୍ଲା ପ୍ରଶାସନ ୧୪ ବର୍ଷ ଧରି ଏମାନଙ୍କ ଅଭିଯୋଗକୁ କେବଳ ଅଣଦେଖା କରିଛନ୍ତି ନୁହ, ଏମାନଙ୍କୁ ପୋଲିସ ଲଗାଇ ଦମନ କରିବା ପାଇଁ ମଧ୍ୟ ପଛାଇ ନାହାଁନ୍ତି ।ଉପରୋକ୍ତ ସମସ୍ତ ଅଭିଯୋଗ ସଂପର୍କରେ ଗତ ୨୮/୧୧/୨୩ରିଖରେ ଗ୍ରାମବାସୀମାନେ ଭୁବନେଶ୍ଵରରେ ଏସ. ସି.ଏସ.ଟି. ବିଭାଗର ସଚିବଙ୍କୁ ସାକ୍ଷାତ କରି ଅଭିଯୋଗ ପତ୍ର ଦେଇଥିଲେ। ସେହି ଅଭିଯୋଗ ଭିଭିରେ ଗତ ୧/୧୨/୨୩ରିଖରେ ଏସ.ସି.ଏସ୍.ଟି. ସଚିବଙ୍କ ଅଫିସରୁ ଅଭିଯୋଗଗୁଡିକର ତଦନ୍ତ କରିବା ପାଇଁ ଜିଲ୍ଲାପାଳ-ଢେଙ୍କାନାଳ, ଉପଜିଲ୍ଲାପାଳ- ଢେଙ୍କାନାଳ, ମ୍ୟାନେଜିଂ ଡାଇରେକ୍ଟର ରୁଇଟା ମାଇନ୍ସ, ଅତିରିକ୍ତ ସଚିବ ଷ୍ଟିଲ ଏଣ୍ଡ ମାଇନ୍ତି, ଅତିରିକ୍ତ ସଚିବ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଇତ୍ୟାଦିଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇବା ସହ ତୁରନ୍ତ ତଦନ୍ତ କରି ଅଭିଯୋଗଗୁଡିକର ସତ୍ୟାସତ୍ୟ ଅନୁସନ୍ଧାନ କରିବା ପାଇଁ ଚିଠି ନଂ୨୪୯୮୬ ମାଧ୍ୟମରେ ଅବଗତ କରାଇଥିଲେ ।ଏହାପରେ ଅଭିଯୋଗକାରୀଙ୍କ ତରଫରୁ ଓଡାପଡ଼ା ତହସିଲ ଅଫିସରେ ବିକ୍ଷୋଭ କରାଯାଇ ତଦନ୍ତ କରିବା ପାଇଁ ଦାବି କରାଯାଇଥିଲା । ଜିଲ୍ଲାପାଳଙ୍କୁ ଏ ବିଷୟର ସମାଧାନ କରିବା ପାଇଁ ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷଙ୍କ ତରଫରୁ ଅନୁରୋଧ ଦରଖାସ୍ତ ମଧ୍ୟ ଦିଆଯାଇଥିଲା । କିନ୍ତୁ ଲୋକଙ୍କ ଟଙ୍କାରେ ଦରମା ନେଇ କମ୍ପାନୀର ସେବା କରୁଥିବା ରାଜ୍ୟ ସରକାରଙ୍କ ଅଫିସରମାନେ ଏଥୁପ୍ରତି ଆଦୌ ଗୁରୁତ୍ଵ ଦେଇ ନଥିଲେ। ଏହାର ପ୍ରତିବାଦରେ ଆଜି ପୁର୍ନବାର ଜିଲ୍ଲାପାଳଙ୍କ ଅଫିସରେ ଦଳିତ ଶୋଷଣ ମୁକ୍ତି ମଞ୍ଚ ତରଫରୁ ବିକ୍ଷୋଭ କରାଯାଇ ଏକ ୬ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି।ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ସଭାରେ ଦଳିତ ଶୋଷଣ ମୁକ୍ତି ମଞ୍ଚର ଆବାହକ ପ୍ରିୟରଞ୍ଜନ ନାୟକ ସଭାପତିତ୍ୱ କରିଥିଲାବେଳେ ସିପିଆଇ(ଏମ୍) ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ବଦ୍ରି ନାରାୟଣ ଦାଶ, ଢେଙ୍କାନାଳର ସମାଜବାଦୀ ନେତା ସରୋଜ ଶତପଥୀ, ସିପିଆଇ(ଏମ୍)ର ଜିଲ୍ଲା ଆବାହକ ସର୍ବଜ୍ଞ ସାହୁ, କୃଷକ ସଭାର ନେତା ଅଶୋକ ପୃଷ୍ଟି, ଶ୍ରମିକ ନେତା ରବି ରଥ ପ୍ରମୁଖ ବକ୍ତବ୍ୟ ରଖ୍ କମ୍ପାନୀର ବେଆଇନ କାମଗୁଡିକୁ ସରକାରୀ ଅଫିସରମାନେ ଖୋଲାଖୋଲି ସମର୍ଥନ କରିବା ଏବଂ ପୋଲିସ ଲଗାଇ ଅଭିଯୋଗକାରୀ ଜନଗଣଙ୍କୁ ଦମନ କରିବା ପାଇଁ କରିଆସୁଥିବା ଉଦ୍ୟମକୁ ନିନ୍ଦା କରିବା ସହ ତୁରନ୍ତ ଦଳିତମାନଙ୍କୁ ନ୍ୟାୟ ଦେବା ପାଇଁ ଦାବି କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପଣ୍ଡିତ ନାୟକ, ବିରଞ୍ଜି ନାୟକ, ତ୍ରୈଲୋକ୍ୟ ନାୟକ, ଟୁଟୁ ନାୟକ, ଦାଶରଥୀ ନାୟକ, ରଥୁଆ ନାୟକଙ୍କ ସମେତ ବହୁ ମହିଳା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ସରକାରଙ୍କର ଗରିବ ବିରୋଧ ଆଭିମୁଖ୍ୟ ଯୋଗୁ ସେମାନଙ୍କର ଦୁଃଖ ବର୍ଣନା କରିଥିଲେ ।





