ଉଡେନ୍ ଗ୍ରାମରେ ପେଞ୍ଜିପାଟ ଯାତ୍ରା ଅନୁଷ୍ଠିତ


କଣ୍ଟାମାଳ,୨୪।୧(ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ଥାନା ଅଧିନ ନାରାୟଣପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଉଡେନ୍ ଗ୍ରାମରେ ମହାସମାରୋହରେ ମାଁ ପେଞ୍ଜିପାଟଙ୍କ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ତୁର୍କା ପ୍ରଗଣାର ମୁଖ୍ୟ ପର୍ବ ଭାବରେ କାହିଁ କେତେ ପୁରୁଷରୁ ସ୍ଥାନୀୟ ଲୋକେ ପୂଜାର୍ଚ୍ଚନା କରିଆସୁଛନ୍ତି । ଅଶିଟି ମୌଜାକୁ ନେଇ ପ୍ରତିବର୍ଷ ପୌଷ ମାସ ଶୁକ୍ଲପକ୍ଷ ଚତୁର୍ଦ୍ଦଶୀ ଦିନ ଏହି ଯାତ୍ରା ପ୍ରବଳ ଜନ ସମାଗମରେ ପାଳିତ ହୋଇ ଆସୁଅଛି । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକ ହୋଇ ଠାକୁରାଣୀଙ୍କ ପୂଜାକରି ଠାକୁରାଣୀଙ୍କ ଛତ୍ରଛାୟା ତଳେ ନିଜକୁ ସୁରକ୍ଷିତ ମଣନ୍ତି ଅଞ୍ଚଳବାସୀ । ଯାତ୍ରା ପୂର୍ବଦିନ ଠାକୁରାଣୀ ପୂଜକ ହଳଦୀ ମିଶ୍ରିତ ଅରୁଆ ଚାଉଳରେ ଠାକୁରାଣୀଙ୍କୁ ବରଣ କରିଥାନ୍ତି ଓ ରାତିରେ ନିଷ୍ଠାର ସହିତ ପୂଜା କରିଥାନ୍ତି । ଯାତ୍ରା ଦିନ ଠାକୁରାଣୀ ପୂଜକ ଶ୍ୟାମସୁନ୍ଦର ନାଗ ଠାକୁରାଣୀଙ୍କୁ ରୀତି ନୀତି ଅନୁଯାୟୀ ପୂଜାର୍ଚ୍ଚନା କଲାପରେ ବରୁଆ ଭିକ ଝାଙ୍କରଙ୍କ ଦେହରେ ଠାକୁରାଣୀ ସବାର ହୋଇଥିଲେ l ଢୋଲ, ନିଶାନ, ଲୁହା, ଘଣ୍ଟ ବାଦ୍ୟର ତାଳେ ତାଳେ ଛତିଛତ୍ର ଧରି ଯାତ୍ରା ଖଳାରେ ପହଞ୍ଚିବା ପରେ ବିଧିମତେ ପୂଜାର୍ଚ୍ଚନା କରାଯାଇଥାଏ l ପୂଜା ଶେଷରେ ସମସ୍ତେ ଦେବୀଙ୍କ ପୀଠକୁ ଫେରି ସାମୁହିକ ପ୍ରସାଦ ସେବନ କରିଥିଲେ l ଅନନ୍ତରାମ ମାଝୀ ଓ ବସନ୍ତ ମାଝୀଙ୍କ ତତ୍ୱାବଧାନରେ ପୂଜାକାଯ୍ୟ ସମାପନ ହୋଇଥିଲା l ରାତିରେ ସୋନପୁର ର ମାଁ ବୃନ୍ଦାବତୀ ମହିଳା ଦଣ୍ଡନୃତ୍ୟ ଦଳ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ପେଞ୍ଜିପାଟ ପୂଜା କମିଟି ଓ ପେଞ୍ଜିପାଟ ସେନାର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ



