ଜିଲ୍ଲା ମହୋତ୍ସବ କମିଟି ସଂଘ ଗଠିତ।


ବୌଦ୍ଧ-୨୮/୧୨-(ହୃଦାନନ୍ଦ ମେହେର): ବୌଦ୍ଧ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ହେଉଥିବା ମହୋତ୍ସବର କର୍ମକର୍ତାଙ୍କ ଏକ ବୈଠକ ଗଡଜାତ ମହୋତ୍ସବ କମିଟି ସଭାପତି ବିଶ୍ୱଜିତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ହେଉଥିବା ଲୋକ ମହୋତ୍ସବରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ସହଯୋଗ ରହୁ ନଥିବାକୁ ନେଇ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ହେଉଥିବା ମହୋତ୍ସବ ଗୁଡିକୁ ସାଂସ୍କୃତିକ ଦଳ ଯୋଗାଇବା,ଆର୍ଥିକ ସହଯୋଗ ଯୋଗାଇଦେବା, ରେଡକ୍ରସ ପାଣ୍ଠି ନାମରେ ପ୍ରଶାସନ ପକ୍ଷରୁ ଆଦାୟ ଅର୍ଥ ବନ୍ଦ କରିବା, ବିଭିନ୍ନ ସରକାରୀ ଉନ୍ନୟନ ଷ୍ଟଲ ନିଶ୍ଚିତ କରିବାସହ ମହୋତ୍ସବ ଗୁଡିକ କିପରି ସୁରୁଖୁରୁରେ ହୋଇପାରିବ ସେନେଇ ପ୍ରସ୍ତୁତି ବୈଠକ ଗୁଡିକରେ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହି ସହଯୋଗ କରିବା ଆଦି ବିଷୟ ଆଲୋଚନା କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ

କରାଯିବାନେଇ ସଂଗଠନ ପକ୍ଷରୁ ଏକ ଲିଖିତ ପ୍ରସ୍ତାବ ଜିଲ୍ଲାପାଳଙ୍କୁ ପ୍ରଦାନ କରିବା ନେଇ ବୈଠକରେ ସହମତି ପ୍ରକାଶ ପାଇଥିଲା । ଆଲୋଚନା ପରେ ସର୍ବସମ୍ମତିକ୍ରମେ କଣ୍ଟାମାଳ ଶିଶୁ ଯୁବ ମହୋତ୍ସବ କମିଟି ସଭାପତି ଦିବ୍ୟ ଶଙ୍କର ରାଉତଙ୍କୁ ଜିଲ୍ଲା ମହୋତ୍ସବ କମିଟି ସଭାପତି ଭାବେ ମନୋନୀତ କରା ଯାଇଥିବାବେଳେ ସଂପାଦକ ଭାବେ ଗଡଜାତ ଲୋକ ମହୋତ୍ସବ କମିଟି ସଭାପତି ବିଶ୍ୱଜିତ ମିଶ୍ରଙ୍କୁ ମନୋନୀତ କରାଯାଇଥିଲା । ଏଥିସହ ଗନ୍ଧରାଢୀ ଲୋକ କଳା ମହୋତ୍ସବ କମିଟିର ସଭାପତି ଅଶୋକ କୁମାର ସାହୁଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ମନୋନୀତ କରାଯାଇଥିଲା । ଉପସ୍ଥିତ ଅନ୍ୟ ସମସ୍ତ ଲୋକ ମହୋତ୍ସବ କମିଟି ସଭାପତି ମାନଙ୍କୁ କାର୍ଯ୍ୟକାରୀ ସଦସ୍ୟଭାବେ ରଖିବା ପାଇଁ ପ୍ରସ୍ତାବ ଗୃହିତ ହୋଇଥିଲା । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଗନ୍ଧରାଢୀ ଲୋକ କଳା ମହୋତ୍ସବ କମିଟୀ, ଜଗତୀ, କଣ୍ଟାମାଳ ଲୋକ ମହୋତ୍ସବ କମିଟି, କଂଟାମାଳ, ମନମୁଣ୍ଡା ଅସୁରଗଡ ଲୋକ ମହୋତ୍ସବ କମିଟି, କଂଟାମାଳ ଶିଶୁ ଯୁବ ମହୋତ୍ସବ କମିଟି, ବାଉଁଶୁଣୀ ଲୋକ ମହୋତ୍ସବ, ଗଡଜାତ ଲୋକ ମହୋତ୍ସବ, ବୀରନରସିଂହପୁର, ଭୈରବୀ ମହୋତ୍ସବ, ପୁରୁଣା କଟକ, ହରଭଙ୍ଗା ମହୋତ୍ସବ, ହରଭଙ୍ଗା ଓ ଖଡଙ୍ଗ ଲୋକ ମହୋତ୍ସବ, କର୍ମକର୍ତ୍ତା ମାନେ ଯୋଗଦେଇଥିଲେ । ଏହି ବୈଠକକୁ ସୀତାକାନ୍ତ ସିଂ ସଂଯୋଜନା କରିଥିବାବେଳେ ରଂଜନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ ଓଡିଶା



