Education

ଢେଙ୍କାନାଳ ଜିଲ୍ଳାସ୍ତରୀୟ ଯୁବ ସଂସଦ କାର୍ଯ୍ୟକ୍ରମ -୨୦୨୨-୨୩ ଅନୁଷ୍ଠିତ 

 

ଢେଙ୍କାନାଳ ଶିକ୍ଷା କାର୍ଯ୍ୟାଳୟ,ସମ୍ମିଳନୀ କକ୍ଷରେ ଦିବା ୧୧ ଘଟିକା ସମୟରେ (ଏସ୍.ସି.ସି ଆର୍.ଟି )ଶିକ୍ଷକ ଶିକ୍ଷା ଏବଂ ରାଜ୍ୟ ଶୈକ୍ଷିକ ଗବେଷଣା ଓ ତାଲିମ ପରିଷଦ, ଓଡ଼ିଶା, ଭୁବନେଶ୍ବରର ସହଯୋଗରେ ଢେଙ୍କାନାଳ ଜିଲ୍ଳାସ୍ତରୀୟ ଯୁବ ସଂସଦ କାର୍ଯ୍ୟକ୍ରମ -୨୦୨୨-୨୩ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଢେଙ୍କାନାଳ ଜିଲ୍ଳା ଶିକ୍ଷା ଅଧିକାରୀ ବିନିତା ସେନାପତି ଉଦଘାଟନୀ ସଭାରେ ସଭାପତିତ୍ୱ କରି ସ୍ୱାଗତ ଭାଷଣ ତଥା ସ୍ଵୀୟ ଅଭିଭାଷଣରେ ପିଲାଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭା,ଚିନ୍ତନ ଓ ମନ୍ଥନରୁ ସୃଜନଶୀଳତା,ନୂତନତ୍ୱ ଓ ନେତୃତ୍ୱ ନେବାର ସମ୍ଭାବନା ସୃଷ୍ଟି ହୋଇଥାଏ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ।ରାଜନୀତି ବିଜ୍ଞାନର ଜ୍ଞାନ ଗଣତନ୍ତ୍ରକୁ ସୁଦୃଢ଼ କରିବା ସଙ୍ଗେ ସଙ୍ଗେ ଦେଶର ସର୍ବାଙ୍ଗୀନ ପ୍ରଗତିର ବାର୍ତ୍ତାବହ ବୋଲି ସେ ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ ।ଢେଙ୍କାନାଳ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସସ୍ମିତା ସାହୁ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ସ୍ଵୀୟ ଅଭିଭାଷଣରେ ସମାଜକୁ ସୂକ୍ଷ୍ମ ଭାବରେ ନିରୀକ୍ଷଣ ସହ ରାଜନୀତି ବିଜ୍ଞାନକୁ ଅଧ୍ୟୟନ କରି ଏହାର ଉପଯୁକ୍ତ ପ୍ରୟୋଗ କଲେ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ସମ୍ଭବ ହୋଇପାରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।ବିଚାରକ ଭାବରେ ଓଡ଼ିଶାର ଅନେକ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗରେ ସଫଳ ଅଧ୍ୟାପନା କରିଥିବା ଅବସରପ୍ରାପ୍ତ ପ୍ରାଧ୍ୟାପକ ଅଟଳ ବିହାରୀ ଦାଶ ଓ ରାଜ୍ୟସ୍ତରୀୟ ମଞ୍ଚ ସଞ୍ଚାଳକ ସଂଯୋଜକ,ସୁସାହିତ୍ୟିକ ଅବନୀ ମିଶ୍ର ଯୋଗଦାନ କରି ଯୁବ ସଂସଦ କାର୍ଯ୍ୟକ୍ରମକୁ ସଫଳ ସଞ୍ଚାଳନ କରିଥିଲେ। ଲୋକ ସଭାରେ ଦର୍ଶକ ଗ୍ୟାଲେରୀରୁ ଲମ୍ପ ପ୍ରଦାନ କରି ରଙ୍ଗୀନ୍ ଗ୍ୟାସ୍ ନିର୍ଗମନ ସମ୍ପର୍କରେ ବିରୋଧୀ,ଶାସକଦଳ ସାଂସଦ ମାନଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ,ତତ୍ ଜନିତ ହଟ୍ଟଗୋଳ ତଥା ସଂସଦ ଭବନ ବାହାରେ ଉପରାଷ୍ଟ୍ରପତିଙ୍କ ସମ୍ପର୍କରେ ବ୍ୟଙ୍ଗ ପ୍ରଦର୍ଶନ ଯୋଗୁଁ ବିରୋଧୀ ସାଂସଦଙ୍କ ନିଲମ୍ବନ ଜନିତ ଉଚ୍ଚସ୍ୱରରେ ବୟାନବାଜିରୁ ପ୍ରକୃତ ଛାୟା ସଂସଦର ଭ୍ରମ ସୃଷ୍ଟି ହୋଇ ପାରିଥିଲା ଏବଂ ଏହା ଦର୍ଶକମଣ୍ଡଳୀ ଦ୍ଵାରା ବେଶ୍ ଉପଭୋଗ୍ୟ ହୋଇପାରିଥିଲା ।ବିଚାରକ ମଣ୍ଡଳୀ ସମସ୍ତ ପ୍ରତିଯୋଗୀଙ୍କ ସାମଗ୍ରିକ ସଫଳ ଉପସ୍ଥାପନାର ବିଭିନ୍ନ ଦିଗକୁ ବିଚାରକୁ ନେଇ ଉଚିତ୍ ମୂଲ୍ୟାଙ୍କନ କରି ଆଗାମୀ ରାଜ୍ୟସ୍ତରୀୟ ଯୁବ ସଂସଦ କାର୍ଯ୍ୟକ୍ରମ ପାଇଁ ସର୍ବଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ଉପଯୁକ୍ତ ଚୟନ କରିଥିଲେ।ବିଚାରକ ବୃନ୍ଦ ସ୍ଵୀୟ ଅଭିଭାଷଣରେ ଯୁବ ସଂସଦ କାର୍ଯ୍ୟକ୍ରମ ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତ ବର୍ଷର ବାସ୍ତବ ସଂସଦ ପରିଚାଳନାର ଏକ ପ୍ରତିଫଳନ ଓ ଏହା ଛାତ୍ରୀ ଛାତ୍ରମାନଙ୍କ ମଧ୍ୟରେ ରାଜନୈତିକ,ଗଣତାନ୍ତ୍ରିକ ଭାବଧାରାର ଉନ୍ମେଷ କରିବା ପାଇଁ ଓ ଭବିଷ୍ୟତରେ ସେମାନଙ୍କୁ ସୁନାଗରିକ ଭାବରେ ଦେଶ ଗଠନରେ ପ୍ରମୂଖ ଭୂମିକା ନିର୍ବାହ କରିବା ପାଇଁ ପ୍ରେରଣାର ଉତ୍ସ ହୋଇପାରିବ ବୋଲି ଦୃଢ଼ ମତପୋଷଣ କରିଥିଲେ ।ଏହା ବ୍ୟତୀତ ପ୍ରତ୍ୟେକ ପ୍ରତିଯୋଗୀଙ୍କ ଉନ୍ନତ ପ୍ରଦର୍ଶନ ପାଇଁ ସେମାନଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ନିଖୁଣ ମାର୍ଗଦର୍ଶନ କରିଥିଲେ ।ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଲକ୍ଷ୍ମୀଧର ମହାନ୍ତ ସ୍ଵାଗତ ଭାଷଣ,ଅତିଥି ପରିଚୟ ପ୍ରଦାନ ଓ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।ସଭା ପ୍ରାରମ୍ଭରେ ଜଗନ୍ନାଥଙ୍କ ମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ,ପ୍ରଦୀପ ପ୍ରଜ୍ବଳନ, ମଙ୍ଗଳାଚରଣ ଗାନ ଓ ଶାନ୍ତିପାଠ କରାଯାଇଥିଲା।ଏହି ଅବସରରେ ଜିଲ୍ଲାର ବିଭିନ୍ନ ସରକାରୀ ଉଚ୍ଚ ବିଦ୍ୟାଳୟ ,ଆଦର୍ଶ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନବମ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ ମଧ୍ୟରେ ୮ ଟି ବ୍ଲକ୍ ରୁ ପ୍ରତ୍ୟେକରୁ ଜଣେ ଲେଖାଏଁ ଶ୍ରେଷ୍ଠ ଛାତ୍ରୀ ଛାତ୍ର ଏହି ଯୁବ ସଂସଦ କାର୍ଯ୍ୟକ୍ରମରେ ନିଜ ନିଜର ମାର୍ଗଦର୍ଶକ ଶିକ୍ଷୟିତ୍ରୀ, ଶିକ୍ଷକ,ଅଧ୍ୟାପିକା ଅଧ୍ୟାପକ ମାନଙ୍କ ସହିତ ଯୋଗଦାନ କରିଥିଲେ।ପ୍ରାରମ୍ଭରେ ଯୁବ ସଂସଦ କାର୍ଯ୍ୟକ୍ରମରେ ବହୁବର୍ଷର ଅଭିଜ୍ଞତା ଥିବା ମାର୍ଗଦର୍ଶକ ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର ପ୍ରଶିକ୍ଷକ ତଥା ପର୍ଯ୍ୟବେକ୍ଷକ ଭାବରେ ଯୋଗଦାନ କରି ଯୁବ ସଂସଦ କାର୍ଯ୍ୟକ୍ରମର ଲକ୍ଷ୍ୟ,ଉଦ୍ଦେଶ୍ୟ,ଆଭିମୁଖ୍ୟ, ସଂସଦ କାର୍ଯ୍ୟକ୍ରମର ନୀତିନିୟମ ଯଥା ସଂସଦର ମିଳିତ ଅଧିବେଶନରେ ରାଷ୍ଟ୍ରପତିଙ୍କ ଆଗମନ,ଜାତୀୟ ସଙ୍ଗୀତ ଗାନ,ଅଭିଭାଷଣ ପ୍ରଦାନ,ପ୍ରସ୍ଥାନ,ଧନ୍ୟବାଦ ପ୍ରସ୍ତାବ,କୌଣସି ସାଂସଦଙ୍କ ମୃତ୍ୟୁରେ ଶୋକ ପାଳନ,ଉପ ନିର୍ବାଚନରେ ନବ ନିର୍ବାଚିତ ଦୃଷ୍ଟିବାଧିତ ସାଂସଦଙ୍କ ଶପଥ ଗ୍ରହଣ,ପ୍ରଧାନ ମନ୍ତ୍ରୀ ଓ ଶାସକ ଦଳର ମନ୍ତ୍ରୀ ତଥା ସାଂସଦ,ବିରୋଧୀ ଦଳର ନେତା ତଥା ଅନ୍ୟାନ୍ୟ ସାଂସଦ ମାନଙ୍କର

ପ୍ରଶ୍ନୋତ୍ତର,ଅଭିଭାଷଣ, ବଜେଟ ଉପସ୍ଥାପନ ଓ ଆଲୋଚନା,ବିଲ୍ ଆଗତ,କଲିଙ୍ଗ ଆଟେନସନ,ଧ୍ୟାନ ଆକର୍ଷଣ,କଟ ମୋସନ,ଶୂନ୍ୟକାଳ,ପଏଣ୍ଟ୍ ଅଫ୍ ଅର୍ଡ଼ର,ଡିଭିଜନ,ପାର୍ଲିଆମେଣ୍ଟାରି କମିଟି ଗଠନ, ବିଶୃଙ୍ଖଳିତ ସାଂସଦଙ୍କ ନିଲମ୍ବନ,ଲୋକସଭା ପ୍ରରୋଗ ଓ ସାଇନ୍ ଡାଇ ଆଦି ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରି ସଠିକ ମାର୍ଗଦର୍ଶନ କରିଥିଲେ।ମାର୍ଗଦର୍ଶିକା ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡଃ ଅନୁପମା ମିଶ୍ର ବାଚସ୍ପତି ଭାବରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଲୋକସଭା ଛାୟା ସଂସଦର ସୁପରିଚାଳନା କରିଥିଲେ ।ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ନବମ ଶ୍ରେଣୀର ଛାତ୍ରୀ ଚିନ୍ମୟୀ ବେହେରା ସର୍ବଶ୍ରେଷ୍ଠ ପ୍ରତିଯୋଗୀ ଭାବରେ ପ୍ରଥମ ସ୍ଥାନ ହାସଲ କରି କାର୍ଯ୍ୟକ୍ରମ ସଂଯୋଜକ ଓ ବିଚାରକଙ୍କ ହସ୍ତରୁ ପ୍ରଶଂସା ପତ୍ର ଓ ମେମେଣ୍ଟୋ ପୁରସ୍କାର ସ୍ଵରୂପ ଗ୍ରହଣ କରିବା ସଙ୍ଗେ ସଙ୍ଗେ ସମଗ୍ର ରାଜ୍ୟରେ ରାଜ୍ୟ ସ୍ତରୀୟ ଯୁବ ସଂସଦ ପ୍ରତିଯୋଗିତାରେ ତାଙ୍କର ମାର୍ଗଦର୍ଶିକା ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡଃ ଅନୁପମା ମିଶ୍ରଙ୍କ ତତ୍ତ୍ଵାବଧାନରେ ଢେଙ୍କାନାଳ ଜିଲ୍ଲାକୁ ପ୍ରତିନିଧିତ୍ଵ କରିବା ପାଇଁ ମନୋନୀତ ହୋଇଛନ୍ତି। କାର୍ଯ୍ୟକ୍ରମ ସଫଳ ଆୟୋଜନ ଓ ସୁପରିଚାଳନାରେ ଢେଙ୍କାନାଳ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଲକ୍ଷ୍ମୀଧର ମହାନ୍ତ,ତାଙ୍କର ସହଯୋଗୀ କାର୍ଯ୍ୟାଳୟ ସହକାରୀ ସନ୍ତୋଷ ଆଚାର୍ଯ୍ୟ, ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ରାଜ୍ୟ ପୁରସ୍କାର ପ୍ରାପ୍ତ ଢେଙ୍କାନାଳ ଜିଲ୍ଲା ସଂଯୋଜକ,ଜିଲ୍ଲା ସ୍ତରୀୟ ମୋ ସ୍କୁଲ୍ କ୍ୟାମ୍ପେନ ଟିମର ଦଳ ମୁଖ୍ୟ ତଥା ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର ଯୋଗଦାନ କରି ଯୁବ ସଂସଦ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ଜିଲ୍ଲା ଶିକ୍ଷାବିଭାଗ ଅନ୍ତର୍ଗତ ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବୃନ୍ଦ,ସମସ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ,ପ୍ରଧାନ ଶିକ୍ଷୟିତ୍ରୀ -ପ୍ରଧାନ ଶିକ୍ଷକ ବୃନ୍ଦ,ଶିକ୍ଷୟିତ୍ରୀ -ଶିକ୍ଷକ ବୃନ୍ଦ,ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟା – ସଦସ୍ୟ ବୃନ୍ଦ, ବି.ଆର୍.ସି.ସି ବୃନ୍ଦ,ସି.ଆର୍.ସି.ସି ବୃନ୍ଦ,ସମସ୍ତ ଶିକ୍ଷା ବିଭାଗର କାର୍ମଚାରୀ ବୃନ୍ଦ,ଛାତ୍ରୀ – ଛାତ୍ର ବୃନ୍ଦ,ସେମାନଙ୍କ ମାତା – ପିତା,ଅଭିଭାବିକା – ଅଭିଭାବକ ବୃନ୍ଦ ଓ ଶିକ୍ଷାକୁ ଭଲ ପାଉଥିବା ସମସ୍ତ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ସମ୍ମିଳିତ ସହଭାଗିତାରେ ଏହି ସୁନ୍ଦର କାର୍ଯ୍ୟକ୍ରମଟିର ସଫଳ ରୂପାୟନ ସମ୍ଭବ ହୋଇପାରିଥିଲା।

 

ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍

Related Articles

Back to top button