ପୋଷ୍ୟ ସନ୍ତାନ ଗ୍ରହଣ ଅଧିନିୟମ ଓ ଲିଙ୍ଗଗତ ସମାନତା ଉପରେ ପ୍ରଶିକ୍ଷଣ ଶିବିର


କଣ୍ଟାମାଳ,୨୨।୧୨(ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଆନୁକୂଲ୍ୟରେ କଣ୍ଟାମାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଠାରେ ପୋଷ୍ୟ ସନ୍ତାନ ଗ୍ରହଣ ଅଧିନିୟମ – ୨୦୨୨ ଏବଂ ବେଟି ପଢାଓ ବେଟି ବଢ଼ାଓ କାର୍ଯ୍ୟକ୍ରମ ଲିଙ୍ଗଗତ ବୈଷମ୍ୟ ଉପରେ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବରେ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଦାମୋଦର ସାହୁ ଯୋଗ ଦେଇ ଶିଶୁ ସୁରକ୍ଷା ବ୍ୟବସ୍ଥା, ପୋଷ୍ୟ ସନ୍ତାନ ଗ୍ରହଣ ଆଇନ ଉପରେ ଆଲୋଚନା କରିବା ସହ ବେଆଇନ ଭାବରେ ପୋଷ୍ୟ ସନ୍ତାନ ଗ୍ରହଣ ନ କରିବାକୁ ଆହ୍ବାନ କରିଥିଲେ । ଇଚ୍ଛୁକ ଅଭିଭାବକ ମାନେ ସରକାରଙ୍କ ୱେବସାଇଟରେ ଜରୁରୀ ଦସ୍ତାବିଜ ଦେଇ ଆବେଦନ କରିପାରିବେ ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବରେ କଣ୍ଟାମାଳ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଜ୍ୟୋତ୍ସା ରାଣୀ ପାଢୀ ଯୋଗଦେଇ ବାଲ୍ୟବିବାହ ରୋକିବା, ମାତୃ ମୃତ୍ୟୁ ହାର ଓ ଶିଶୁ ମୃତ୍ୟୁ ହାର ରୋକିବା ତଥା ସରକାରଙ୍କ ଜନମଙ୍ଗଳ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆଶା କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ତଥା ପ୍ରଶିକ୍ଷକ ଭାବରେ ସୁରକ୍ଷା ଅଧିକାରୀ ଅଣଆନୁଷ୍ଠାନିକ ଯତ୍ନ ସୁଶାନ୍ତ ଭୋଇ ଯୋଗଦେଇ ପୋଷ୍ୟ ସନ୍ତାନ ଗ୍ରହଣ ଆଇନ-୨୦୧୨, ଲିଙ୍ଗଗତ ଅସମାନତା ଓ ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ ମାଧ୍ୟମରେ ଲିଙ୍ଗଗତ ତାରତମ୍ୟ ଜନିତ ଲିଙ୍ଗ ନିରୁପଣ ରୋକିବା, କନ୍ୟା ସନ୍ତାନର ସ୍ବାସ୍ଥ୍ୟ, ପୃଷ୍ଠି ନିରାପତ୍ତା , ଶିଶୁମାନେ ବିଦ୍ୟାଳୟକୁ ଯିବା , ଉପସ୍ଥାନ ହାର ବଢାଇବା ଓ କନ୍ୟା ସନ୍ତାନର ଗୁରୁତ୍ଵ ସମ୍ପର୍କରେ ସଚେତନତା କରିବା ଦିଗରେ ଆଲୋଚନା କରିଥିଲେ । ସ୍ଥାନୀୟ ପିଏଚଇଓ ସୁଦର୍ଶନ ପ୍ରଧାନ ଯୋଗଦେଇ ସମସ୍ତେ ସଚେତନ ହେଲେ ସରକାରଙ୍କ ସମସ୍ତ ଜନକଲ୍ୟାଣ ଯୋଜନା ସଫଳ ରୁପାୟନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ପରାମର୍ଶଦାତା ବସନ୍ତ କୁମାର ଦିଶିରି ସ୍ଵାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ ।
କଣ୍ଟମାନରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




