Education

ଆଧ୍ୟାତ୍ମିକ ଚେତନାର ସ୍ଵର ପୁସ୍ତକର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ 

ଢେଙ୍କାନାଳ : ତା.୨୧.୧୨.୨୦୨୩ ରିଖ : ( )ସ୍ଥାନୀୟ କଲ୍ୟାଣ ମଣ୍ଡପଠାରେ ଏ ମାଟିର ବରିଷ୍ଠ ଆଦର୍ଶ ଶିକ୍ଷକ ତଥା ପଣ୍ଡିତ କବି ଶିବ ପ୍ରସାଦ ଶତପଥୀଙ୍କର ମାନସ ସନ୍ତାନ ପୁସ୍ତକ “ଆଧ୍ୟାତ୍ମିକ ଚେତନାର ସ୍ଵର”କୁ ଏ ମାଟିର ଅନ୍ୟତମ ବିଶିଷ୍ଟ ବ୍ୟକ୍ତିତ୍ୱ ତଥା ଓଡ଼ିଶାର ବରେଣ୍ୟ ବିଶିଷ୍ଟ କବି ନୃସିଂହ ପ୍ରସାଦ ତ୍ରିପାଠୀ ମହୋଦୟ ମୁଖ୍ୟଅତିଥି ଭାବରେ ଶୁଭ ଉଦଘାଟନ କରି କବିଙ୍କର ବହୁମୂଖୀ ପ୍ରତିଭାକୁ ପ୍ରଶଂସା କରିବା ସହ ସମସ୍ତେ ଉକ୍ତ ପୁସ୍ତକଟିକୁ ପଢିବା ସହିତ ତା ଭିତରେ ଥିବା ଗୁଢ଼ତତ୍ତ୍ଵକୁ ହୃଦୟଙ୍ଗମ କରିବାକୁ ପ୍ରେରଣା

ପ୍ରଦାନ କରିଥିଲେ ।ମୁଖ୍ୟବକ୍ତାଭାବେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ବିଶିଷ୍ଟ କବି ଅଟଳ ବିହାରୀ ଦାଶ ପୁସ୍ତକଟି ଉପରେ ଗଭୀର ଭାବରେ ସମୀକ୍ଷା କରି ଆଜିର ଆଧ୍ୟାତ୍ମିକ ଚେତନାର ଅବକ୍ଷୟର ଏହି ସନ୍ଧିକ୍ଷଣରେ ପଣ୍ଡିତ ଶିବ ପ୍ରସାଦ ଶତପଥୀଙ୍କ ଦ୍ୱାରା ରଚିତ “ଆଧ୍ୟାତ୍ମିକ ଚେତନାର ସ୍ଵର” ପୁସ୍ତକ ଏକ ଯୁଗଧର୍ମୀ ସାହିତ୍ୟ କୃତୀ ବୋଲି ଅବିହିତ କରିଥିଲେ।ଏହା ନିଶ୍ଚିତ ଭାବରେ ଏକ ଶୁଭଙ୍କର,ସ୍ଵାଗତଯୋଗ୍ୟ ଏବଂ ପ୍ରଶଂସନୀୟ ପଦକ୍ଷେପ ।ଏହି ପୁସ୍ତକ ମାଧ୍ୟମରେ ଲେଖକ ସମାଜର ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କୁ ସଂସ୍କାରିତ,ଶୃଙ୍ଖଳିତ, ମାର୍ଜିତ ଏବଂ ଆଧ୍ୟାତ୍ମିକ ଚେତନାର ସ୍ଵରରେ ପ୍ରଭାବିତ ଜୀବନଯାପନ କରିବା ପାଇଁ ଦିଗ୍ଦର୍ଶନ ଦେଇ ତାଙ୍କର

ବିଦବତ୍ତାର ପରିଚୟ ଦେବା ସହିତ ସଠିକ ସମାଜ ସଂସ୍କାରକର ଭୂମିକା ନିର୍ବାହ କରିଛନ୍ତି ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।ପ୍ରାରମ୍ଭରେ ସନ୍ତାନର ଜନକ କବି ପଣ୍ଡିତ ଶିବ ପ୍ରସାଦ ଶତପଥୀ ସ୍ବରଚିତ ବହିଟି ବିଷୟରେ ସମ୍ୟକ ସୂଚନା ପ୍ରଦାନ କରି ବିଭିନ୍ନ ଶାସ୍ତ୍ର ସବୁରୁ ସଂଗୃହିତ ଆଧ୍ୟାତ୍ମିକ ଜ୍ଞାନକୁ ସମାଜରେ ବିତରଣ କରି ଏକ ଆଧ୍ୟାତ୍ମିକ ପରିବର୍ତ୍ତନର ସୂତ୍ରଧର ସାଜିବାକୁ ଏହି ପୁସ୍ତକଟିକୁ ରଚନା କରିବାକୁ ପ୍ରୟାସ କରିଛନ୍ତି ବୋଲି ସ୍ଵୀୟ ବକ୍ତବ୍ୟରେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।କାର୍ଯ୍ୟକ୍ରମରେ ସଭାପତି ଭାବରେ ମଞ୍ଚ ଅଳଙ୍କୃତ କରିଥିବା ରାଜ୍ୟ ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷକ ଶରତ କୁମାର ମିଶ୍ର ପୁସ୍ତକଟିର ଆରମ୍ଭରୁ ଶେଷଯାଏଁ କିପରି

ଭାବରେ କବି ନିରବଚ୍ଛିନ୍ନ ସଂଗ୍ରାମ ଜାରିରଖି ପୁସ୍ତକଟି ପ୍ରକାଶ କରିଥିଲେ ସେସବୁକୁ ସବିଶେଷ ବର୍ଣ୍ଣନା କରିଥିଲେ ।ପୁସ୍ତକଟିକୁ ପ୍ରକାଶ କରିଥିବା ଭୁବନେଶ୍ୱରର ମାଷ୍ଟର ମାଇଣ୍ଡର ପରିଚାଳକ ତଥା ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ ମହୋଦୟଙ୍କୁ ସାଦର ସମ୍ଵର୍ଦ୍ଧନା ଅର୍ପଣ କରାଯାଇଥିଲା।ଏ ସମସ୍ତ କାର୍ଯ୍ୟକ୍ରମକୁ ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ ସଂଯୋଜନା ତଥା ସୁପରିଚାଳନା କରିଥିବା ବେଳେ ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର ସ୍ଵୀୟ ବକ୍ତବ୍ୟ ଉପସ୍ଥାପନ କରିବା ଅବସରରେ ପୁସ୍ତକଟି ସାମ୍ପ୍ରତିକ ସମାଜରେ ଆଧ୍ୟାତ୍ମିକ ଚେତନାର ଅଭ୍ୟୁଦୟ କରି ଏକ ବୈପ୍ଳବିକ ପରିବର୍ତ୍ତନର ସୂତ୍ରଧର ସାଜିବାର ସଂକେତ ବହନ କରୁଛି ବୋଲି ଅବିହିତ କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ସମସ୍ତଙ୍କୁ ମଧ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।ପ୍ରାରମ୍ଭରେ ବେଦମାତା ଗାୟତ୍ରୀଙ୍କର ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ଵଳନ, ଧୂପ ଓ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା।ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡଃ ଅନୁପମା ମିଶ୍ର ସୁମଧୁର ସ୍ଵରରେ ମଙ୍ଗଳାଚରଣ ଗାନ ଓ ଶାନ୍ତିପାଠ

କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।କାର୍ଯ୍ୟକ୍ରମ ଶେଷରେ ପୌତ୍ର ରାଜାଙ୍କ ପାଇଁ ଷୋଳପାଲା ପରିବେଷଣ କରାଯାଇଥିଲା।ସୌଦାମିନୀ ଶତପଥୀ,ସଂଜୀବ କୁମାର ଶତପଥୀ,ଶୁଭେନ୍ଦୁ କୁମାର ଶତପଥୀ,ହିରଣାକ୍ଷୀ ମିଶ୍ର, ରୋଜାଲିନ କବି ଶତପଥୀ,ଏସ.ଗୋମଥି,ପ୍ରଶାନ୍ତ ମହାପାତ୍ର, ସ୍ବର୍ଣ୍ଣପ୍ରଭା ମହାପାତ୍ର,ପି.ରିତ୍ୱିକ୍,ଅମୃତା ଶତପଥୀ,ସୌରଭ ଶତପଥୀ,ଗାୟତ୍ରୀ ଶତପଥୀ,ଜ୍ଞାନଚାନ୍ଦ ମିଶ୍ର,ଧ୍ୟାନଚାନ୍ଦ ମିଶ୍ର ପ୍ରମୂଖ ଯୋଗଦାନ କରି କାର୍ଯ୍ୟକ୍ରମକୁ ସାଫଲ୍ଯ ମଣ୍ଡିତ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।”ଆଧ୍ୟାତ୍ମିକ ଚେତନାର ସ୍ବର”ର ଜନକଙ୍କ ଉଦ୍ଦେଶ୍ୟରେ ମଞ୍ଚାସୀନ ବକ୍ତାମାନେ ନିଜ ନିଜର ବକ୍ତବ୍ୟରେ କହିଥିଲେ ଯେ,ସାଧାରଣ ମଣିଷଙ୍କ ଠାରୁ ଆରମ୍ଭ କରି ବହୁ ଜ୍ଞାନୀ ବିଶିଷ୍ଟ ପ୍ରବକ୍ତା ପଣ୍ଡିତ ମାନେ ଆଧ୍ୟାତ୍ମିକ ପ୍ରସଙ୍ଗରେ ଅନେକ କଥାବସ୍ତୁକୁ ପ୍ରାମାଣିକ ତଥ୍ୟ ପ୍ରଦାନ କରି ବୁଝାଇଥାନ୍ତି ।ତାହା କେତେ ସମାଜର ହିତ ସାଧନ କରେ ତା ଜାଣି ହୁଏ ନାହିଁ । ହେଲେ ଆଧ୍ୟାତ୍ମିକ ପୁସ୍ତକର ଜନକ ଆଦର୍ଶ ଶିକ୍ଷକ ଶିବ ପ୍ରସାଦ ଶତପଥିଙ୍କ କଥା ଅଲଗା ।ପୁଣ୍ୟ ପୀଠ ଗାୟତ୍ରୀ ମନ୍ଦିର ପ୍ରକୋଷ୍ଠରେ ମା’ଙ୍କ କରୁଣାରୁ ଯାହା ଲେଖାନୀରୁ ଝରି ପଡ଼େ ସେଇଥିରୁ ଆଧ୍ୟାତ୍ମିକ ଚେତନାର ସ୍ଵର ଜନ୍ମ।ମନେ ପଡ଼େ ଏକଦା ମା’ ପାର୍ବତୀ ହଳଦୀ ମଳୁଖରୁ ମହାପଣ୍ଡିତ ମହାଜ୍ଞାନୀ ବିଘ୍ନ ବିନାୟକଙ୍କୁ ଜନ୍ମ ଦେଇଥିଲେ,ଆଧ୍ୟାତ୍ମିକ ଚେତନାର ସ୍ବରର ଜନ୍ମ ଆଉ ସେହି ପରି ନୁହେଁ ତ ?ମା’ଙ୍କ କୃପା ବିନା ଏତେ ବୃହତ୍ ତତ୍ତ୍ଵଭିତ୍ତିକ ତଥ୍ୟମାନଙ୍କୁ ଏକ ସଙ୍ଗରେ ଏକାଠି କରି ଦୀର୍ଘ ଦିନର ଅପେକ୍ଷା ପରେ ଜନ୍ମ ଦେବା କିଛି କମ୍ କଥା ନୁହେଁ ।ଆଜି ସେହିପରି ଏ ମାଟିର ଆଉ ଜଣେ ଆଦର୍ଶ ଶିକ୍ଷକ ତଥା ପଣ୍ଡିତ, ମାନସ ସନ୍ତାନ,’ ଆଧ୍ୟାତ୍ମିକ ଚେତନାର ସ୍ଵର’ପୁସ୍ତକର ଜନକ ପଣ୍ଡିତ ଶିବ ପ୍ରସାଦ ଶତପଥୀ ମଧ୍ୟ ସାରା ରାଜ୍ୟରେ ତାଙ୍କ ପାଣ୍ଡିତ୍ୟ ପାଇଁ ବେଶ ପ୍ରଶଂସନୀୟ ।ଖାଲି ଆଧ୍ୟାତ୍ମିକ ଚେତନାର ସ୍ଵରର କଥା ନୁହେଁ ସେ ଅବସର ପରେ ପରେ ଅନେକ ମାନସ ସନ୍ତାନ ମାନଙ୍କୁ ଜନସମାଜ ପାଖକୁ ଆଣି ପ୍ରଶଂସା ଲାଭ କରିଅଛନ୍ତି ।ସେମାନଙ୍କ ମଧ୍ୟରେ “ପ୍ରତ୍ୟେକ ମଣିଷ ମାନଙ୍କ ପାଇଁ”, “ସଂକ୍ଷିପ୍ତ ନିତ୍ୟକର୍ମ ମାର୍ଗ ଦର୍ଶନ”, “ସ୍ବାମୀ ଦତ୍ତାବଧୂତ ଓ ଭବିଷ୍ୟ ପ୍ରବନ୍ଧ” “ନିତ୍ୟ କର୍ମ ମାର୍ଗଦର୍ଶନ ଓ ଗାୟତ୍ରୀ ଆରାଧନା”, “ବିଶ୍ବମାତା ବେଦମାତା ଗାୟତ୍ରୀ ଓ ଉପାସନା ବିଧି” ଓ “ସ୍ତୋତ୍ର କୈବଲ୍ୟ ” ଲେଖକଙ୍କର ଅନନ୍ୟ କୃତି ମଧ୍ୟରେ ଅନ୍ୟତମ।ଏବେ ମଧ୍ୟ ୨୦୦୩ ମସିହା ପରଠାରୁ ଗାୟତ୍ରୀ ମନ୍ଦିର ପ୍ରକୋଷ୍ଠରେ ବସିବା ସମୟରେ ମା’ଙ୍କ ଦୟାରୁ ଯାହା ଲେଖନୀକୁ ଆସେ ଏବଂ ଯେଉଁ ମାନଙ୍କୁ ବିଭିନ୍ନ ସମୟରେ ସମସ୍ତଙ୍କ ଜାଣିବା ପାଇଁ ଲୋକମାନଙ୍କ ଉଦ୍ଦେଶ୍ୟରେ ପତ୍ର ପତ୍ରିକାରେ ପ୍ରକାଶ କରିଥାନ୍ତି ସେମାନଙ୍କୁ ନେଇ “ଆଧ୍ୟାତ୍ମିକ ଚେତନାର ସ୍ଵରର ଜନ୍ମ ।ଏବେ ମଧ୍ୟ ମନ ଓ ହୃଦୟରେ ଯୁବକ ସୁଲଭ ଭାବ ନେଇ ମନ୍ଦିରକୁ ନିତ୍ୟ ପ୍ରତ୍ୟେକ ଦିନ ଦୁଇଥର ଆସିବା ଓ ମନ୍ଦିରର ଭଲ ମନ୍ଦ ବୁଝାଶୁଝାକୁ ଦେଖିବାରେ ସମୟ ଦେବା ଦେଖିଲେ କେହି କେବେ କଳ୍ପନା କରିପାରିବେ ନାହିଁ ଯେ କେବେ ଶ୍ରୀଯୁକ୍ତ ଶତପଥୀ ମହୋଦୟ କୋଡ଼ିଏ ବର୍ଷ ହେଲା ଅବସର ନେଇ ଅଛନ୍ତି ।ତାଙ୍କର ଐକାନ୍ତିକ ନିଷ୍ଠା,ସାଧନା ଓ କିଛି କରିବାର ମହତ ଉଦ୍ଦେଶ୍ୟ ବୋଧହୁଏ ଏତେ ଶୀଘ୍ର ତାଙ୍କୁ ବାର୍ଦ୍ଧକ୍ୟର ଏରୁଣ୍ଡି ବନ୍ଧ ମାଡିବାକୁ ସାହାସ କରିନି ।ଆମର ସୌଭାଗ୍ୟ ସେ ଭଳି ଜଣେ ବିଶିଷ୍ଟ ପ୍ରାବନ୍ଧିକ ତତ୍ତ୍ବଜ୍ଞାନୀଙ୍କ ସାଙ୍ଗରେ ଗୋଟିଏ ବିଦ୍ୟାଳୟରେ ଅନେକ ବର୍ଷ ଧରି ଚାକିରୀ କରିବାର ସୁଯୋଗ ଲାଭ ମିଳିଥିଲା ।ବାସ୍ତବରେ ମଣିଷ ତିଆରି କାରଖାନାର ସେ ଜଣେ ଶ୍ରେଷ୍ଠ କାରିଗର,ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।ଯାହା ଆମେ ନୁହେଁ ତାଙ୍କର ସମର୍ପଣ ଭାବ ତାହା ସୂଚନା ଦେଇଥାଏ ।ପୁସ୍ତକଟିକୁ ପ୍ରଥମେ ଅଗଣିତ ପାଠକ -ପାଠିକାମାନଙ୍କୁ ସମର୍ପଣ କରିବା ପରେ ପରିବାର ବର୍ଗଙ୍କୁ ସମର୍ପଣ କରିଥିବାରୁ ନିଶ୍ଚିତ ଭାବରେ ଆମ ମାନଙ୍କ ପାଇଁ ତାଙ୍କର କର୍ମ ଗୌରବମୟ ।ପାଠକ ମାନଙ୍କ ହୃଦୟରେ ସେ ଯେ ସବୁଦିନ ପାଇଁ ବନ୍ଧା ହୋଇ ରହିବେ ଏଥିରେ ସନ୍ଦେହ ନାହିଁ Iକୋଡିଏ ଗୋଟି ବଡ଼ ବଡ଼ ଶିକ୍ଷଣୀୟ ପ୍ରବନ୍ଧ ମାନଙ୍କ ଭିତରେ ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ନବକଳେବର,ହିନ୍ଦୁନାରୀ ପୂଜନୀୟ,ବନ୍ଦନୀୟ,ଜୀବନ ଓ ଶୃଙ୍ଖଳା,ମନୁଷ୍ୟ ପାପ କରେ କାହିଁକି ?,ରାମାୟଣର ମାହାତ୍ମ୍ୟ ବିଶେଷ ଭାବରେ ପୁରାଣ ମାନଙ୍କର ଶ୍ଳୋକ ସଂଖ୍ୟା, ଅବଧୂତଙ୍କର ଚବିଶ ଗୁରୁ ଉପରେ ଯେଉଁ ଭଳି ଭାବରେ ସାରଗର୍ଭକ ତଥ୍ୟ ମାନ ଉପସ୍ଥାପନ କରାଇଛନ୍ତି ତାହା ପାଠକ ସମାଜ ପାଇଁ ଅମୂଲ୍ୟ ମଣି ହୋଇ ଚିରଦିନ ବ୍ୟାପି ରହିବ ଏଥିରେ ତିଳେ ମାତ୍ର ଭୁଲ ନାହିଁ ।ଅବସର ପରେ ଅନେକ ଦିନ ଯାଏ ତାଙ୍କ ସହିତ ଅନ୍ୟ କେତେ ମଣିଷ ତିଆରି କାରଖାନାର କାରିଗର ମାନଙ୍କ ସହ ହୋଲି ଖେଳର ମଜ୍ଜା କେଉଁଠି ପିଠା ତ କେଉଁଠି ମିଠା,କେଉଁଠି ଦହିବରା ତ କେଉଁଠି ବରାଗୁଗୁନି କେଉଁଠି ଛେନାପୋଡ଼, କେଉଁଠି ପକୁଡ଼ି ଖାଇବା ଖାଲି ଆନନ୍ଦ ହି ଆନନ୍ଦ,ସମସ୍ତଙ୍କ ମନରେ ଅଫୁରନ୍ତ ଆନନ୍ଦ।ସେହି ଆନନ୍ଦମୟତାର କାରଣରୁ କବି ପଣ୍ଡିତ ଆଦର୍ଶ ଶିକ୍ଷକଙ୍କ ଲେଖନୀରୁ ଝରି ପଡ଼ିଛି ଏହି ବଳିଷ୍ଠ ହୃଷ୍ଟପୁଷ୍ଟ ଜ୍ଞାନୀ ସନ୍ତାନଟିଏ।ଜଗତର ନାଥ ଶ୍ରୀଜଗନ୍ନାଥ ବେଦମାତା ଗାୟତ୍ରୀଦେବୀ ତାଙ୍କ ଚଲାପଥକୁ କୁସୁମିତ କରିବା ସହ ତାଙ୍କୁ ଦୀର୍ଘ ନିରାମୟ ଜୀବନଯାପନ କରିବାରେ ସହାୟ ହୁଅନ୍ତୁ ।ଏତିକି ମା’ ଗାୟତ୍ରୀ ଦେବୀଙ୍କ ପାଦପଦ୍ମରେ ବିନୀତ ପ୍ରଣାମ ଜଣାଇବା ସହ ସାଦର ପ୍ରାର୍ଥନା କରୁଅଛୁ।ତାଙ୍କର ଲେଖନୀ ସଦାସର୍ବଦା ଏହିପରି ଭାବରେ ଚଳଚଞ୍ଚଳ ରହୁ ବୋଲି ସମସ୍ତେ କାମନା କରିଥିଲେ। 

ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନୀୟୁଜ୍ 

 

Related Articles

Back to top button