State

ବନ୍ଧପାଲିଠାରେ ଶ୍ରୀ ଶ୍ରୀ ସୀତାରାମଙ୍କ ବିବାହୋତ୍ସବ ଅନୁଷ୍ଠିତ

କଣ୍ଟାମାଳ,ତା ୨.୧୨: (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବନ୍ଧପାଲିସ୍ଥିତ ଶ୍ରୀ ରଘୁନାଥ ଜୀଉ ମନ୍ଦିରଠାରେ ମନ୍ଦିରମୂଖ୍ୟ ଶ୍ରୀମତୀ ଅନ୍ନପୂର୍ଣ୍ଣା ଗୁରୁ ଓ ଶ୍ରୀ ସୁଧୀର ଗୁରୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରଭୁ ରାମ ଓ ମାତା ସୀତାଙ୍କ ବିବାହୋତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ସକାଳ ୭ଟାରେ କଣ୍ଟାମାଳ ବ୍ଲକ ଛକ ଶ୍ରୀରାମ ମନ୍ଦିର ଠାରେ ବରପକ୍ଷରୁ ବର ମାତା ସୌଭାଗିନୀ ଗୁରୁ ଓ ପିତା ନୀଳାଞ୍ଚଳ ଗୁରୁଙ୍କ ତତ୍ତ୍ୱାବଧାନରେ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କ ପୂଜାର୍ଚ୍ଚନା ପରେ ପୂଜକ ରଘୁନାଥ ମହାପାତ୍ର ବିଗ୍ରହ ପରିବହନ କରି ବରଯାତ୍ରୀରେ ବାହାରିଥିଲେ l ଘଣ୍ଟ ଘାଣ୍ଟୁଆଳ, ଶଙ୍ଖ ଧ୍ୱନି ଓ ନlମ ସଂକୀର୍ତ୍ତନ୍ୟ ସହ ପ୍ରଭୁ ଶ୍ରୀରାମ ଭକ୍ତମାନଙ୍କ ଗହଣରେ ମନ୍ଦିରରୁ ବରଯାତ୍ରୀରେ ବାହାରି ବନ୍ଧପାଲି ଶ୍ରୀରାମ ମନ୍ଦିରରେ ପହଞ୍ଚିଥିଲେ l କନ୍ୟା ମାତା ସନ୍ତୋଷିନୀ ସ୍ୱାଇଁ ଓ ପିତା ଦାମୋଦର ସ୍ୱାଇଁ ପ୍ରଭୁ ଶ୍ରୀରାମଙ୍କୁ ରୀତିନୀତି ଯଥା ପୂଜାବିଧି ଅନୁସାରେ ଶ୍ରୀମନ୍ଦିର ଭିତରକୁ ପାଛୋଟି ନେଇଥିଲେ l କନ୍ୟା (ମାତା ସୀତା )ଙ୍କ ପକ୍ଷରୁ ବଲାଙ୍ଗୀର ଜିଲ୍ଲା ଲୋକlପଡ଼ାର ରାଧା ଗୋବିନ୍ଦ ତ୍ରିପାଠୀ, ପ୍ରଭାତ ତ୍ରିପାଠୀ ଓ ସୁବାସ ରଥ ପୂଜକ ଭାବେ ସୀତା ରାମ ବିବାହ କାର୍ଯ୍ୟ ଦାୟିତ୍ୱ ତୁଲାଇଥିଲେ l ବର (ପ୍ରଭୁ ଶ୍ରୀରାମ ) ଙ୍କ ପକ୍ଷରୁ ବସନ୍ତ ମିଶ୍ର,ସନ୍ତୋଷ ବିଶି, ରବୀନ୍ଦ୍ର ମହାପାତ୍ର, ହରିବନ୍ଧୁ ପୁରୋହିତ, ଆନନ୍ଦ ଚନ୍ଦ୍ର ପାଢ଼ୀ ସମେତ ଅନେକ ଭକ୍ତ ବିବାହୋତ୍ସବରେ ସାମିଲ ହୋଇଥିଲେ l ଏହି ଅବସରରେ ରୁଣ୍ଡିମହୁଲ ,ବନ୍ଧପଡା ଓ ପିଣ୍ଢାପଦରର ମାଆମାନଙ୍କ ଦ୍ୱାରା ଆୟୋଜିତ ସଂକୀର୍ତ୍ତନ୍ୟ ବୈଠକିରେ ଉପସ୍ଥିତ ଶ୍ରଦ୍ଧାଳୁ ଓ ଭକ୍ତ ବିପୁଳ ସମାଗମରେ ସମଗ୍ର ମନ୍ଦିର ପରିସର ଲୋକାରଣ୍ୟ ହୋଇଥିଲା l ଉତ୍ସବକୁ ଶ୍ରୀମତୀ ଅନ୍ନପୂର୍ଣ୍ଣା ଗୁରୁ ଓ ସୁଧୀର ଗୁରୁ ସଂଚାଳନ କରିଥିବା ବେଳେ ଶ୍ରୀରାମ ମନ୍ଦିର ପରିଚାଳନା କମିଟି, ବନ୍ଧପାଲିର ଭକ୍ତବୃନ୍ଦ ସହଯୋଗ କରିଥିଲେ l

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button