ଡିସେମ୍ବର ୩ ରୁ ଅଷ୍ଟାଦଶ ବୌଦ୍ଧ ପୁସ୍ତକମେଳା,
ବବିତା ସ୍ୱାଇଁଙ୍କୁ ବାର୍ତ୍ତାବହ ସମ୍ମାନ ଓ ଗାୟତ୍ରୀ ସରାଫଙ୍କୁ ବନମାଳୀ ପାଣିଗ୍ରାହୀ ସ୍ମୃତି ସମ୍ମାନ


କଣ୍ଟାମାଳ,୩୦/୧୧:- (ପ୍ରଭାତ କୁମାର ସାହୁ) ବୌଦ୍ଧଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ୍ ତରଫରୁ ଆୟୋଜିତ ହେବାକୁଥିବା ଅଷ୍ଟାଦଶ ବୌଦ୍ଧ ପୁସ୍ତକମେଳା ଆସନ୍ତା ଡିସେମ୍ବର ୦୩ ତାରିଖରୁ ୦୮ ତାରିଖ ଯାଏଁ କଚେରୀ ଖେଳପଡିଆରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି । ଏହି ପରିପ୍ରେକ୍ଷୀରେ ଚଳିତବର୍ଷ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ପ୍ରତିଭାଧାରୀଙ୍କୁ ସମ୍ବର୍ଦ୍ଧିତ କରିବାପାଇଁ ସେମାନଙ୍କ ନାମ ଘୋଷଣା କରାଯାଇଛି । ଡିସେମ୍ବର ୭ ତାରିଖରେ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ୍ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବାକୁ ଥିବାବେଳେ ସ୍ମରଣିକା ‘ବୌଦ୍ଧ ବାର୍ତ୍ତାବହ’ ମଧ୍ୟ ଉନ୍ମୋଚିତ ହେବ । ଏହି ଅବସରରେ ସାମ୍ବାଦିକତା, ସାହିତ୍ୟ, ସମାଜସେବା, ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୁସ୍ତକମେଳା ସମ୍ମାନ ପ୍ରଦାନ କରାଯିବ । ସାମ୍ବାଦିକତା କ୍ଷେତ୍ରରେ ରାଜ୍ୟସ୍ତରରେ ବିଶେଷ ସଫଳତା ହାସଲ କରିଥିବା ଓ-ଟିଭିର ବରିଷ୍ଠ ମହିଳା ସାମ୍ବାଦିକା ବବିତା ସ୍ୱାଇଁଙ୍କୁ ଚଳିତଥର ବାର୍ତ୍ତାବହ ସମ୍ମାନରେ ସମ୍ମାନିତ କରାଯିବ । ସେହିପରି ସାହିତ୍ୟ କ୍ଷେତ୍ରରେ ରାଜ୍ୟସ୍ତରରେ ପ୍ରତିଷ୍ଠା ଲାଭ କରିଥିବା ଗାୟତ୍ରୀ ସରାଫଙ୍କୁ ବନମାଳୀ ପାଣିଗ୍ରାହୀ ସ୍ମୃତି ସମ୍ମାନ ପ୍ରଦାନ କରାଯିବ । ଏହା ସହିତ ଜିଲ୍ଲାସ୍ତରରେ ପୁସ୍ତକମେଳା ସମ୍ମାନରେ ସାମ୍ବାଦିକତା କ୍ଷେତ୍ରରେ ମୁଦ୍ରିତ ଗଣମାଧ୍ୟମରେ ଉଲ୍ଲେଖନୀୟ ଅବଦାନ ପାଇଁ ସାମ୍ବାଦିକ ଭାଗବତ ମେହେର, ବୈଦ୍ୟୁତିକ ଗଣମାଧ୍ୟମରେ ଅବଦୁଲ ମହସିନ ଖାନ, ସାହିତ୍ୟ କ୍ଷେତ୍ରରେ ସତ୍ୟନାରାୟଣ ସାହୁ ଓ ସମାଜସେବା କ୍ଷେତ୍ରରେ ବୌଦ୍ଧଜିଲ୍ଲା ପ୍ରାଣୀ କଲ୍ୟାଣ ମଞ୍ଚକୁ ସମ୍ବର୍ଦ୍ଧିତ କରାଯିବା ନେଇ ସ୍ଥିର କରାଯାଇଛି । ଏହାସହିତ ବୌଦ୍ଧଜିଲ୍ଲାର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିବାକୁ ବୈଠକରେ ସ୍ଥିରିକୃତ କରାଯାଇଛି । ଡିସେମ୍ବର ୦୩ ରୁ ୦୮ ତାରିଖ ମଧ୍ୟରେ ଜିଲ୍ଲାର ବହୁ ଅନୁଷ୍ଠାନଙ୍କ ଦ୍ୱାରା ସାହିତ୍ୟସଭା, କବିତା ଆସର, ଆଲୋଚନାଚକ୍ର, ପୁସ୍ତକ ଉନ୍ମୋଚନ, କର୍ମଶାଳା, ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ, ଚିତ୍ରାଙ୍କନ ଓ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ଜିଲ୍ଲାବାହାର ଅନୁଷ୍ଠାନମାନଙ୍କ ଦ୍ୱାରା ପ୍ରତ୍ୟହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସଂଗେ ସଂଗେ ସଙ୍ଗୀତସନ୍ଧ୍ୟା ମଧ୍ୟ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି । ଜର୍ଣ୍ଣାଲିଷ୍ଟ ଫୋରମ୍ ସଭାପତି ଦିବ୍ୟଶଙ୍କର ରାଉତ ଓ ସାଧାରଣ ସଂପାଦକ ଯୁଗଳ କିଶୋର ସାମଲ ଏ ସଂପର୍କରେ ସବିଶେଷ ସୂଚନା ଦେଇଛନ୍ତି ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




