State

କାର୍ତ୍ତିକ ମାସ, ଗଜଭୋଗ ଓ ପଞ୍ଚୁକ ବ୍ରତର କଥା

ଭଗବାନ ନାରାୟଣଙ୍କ ପ୍ରିୟ ମାସ ହେଉଛି କାର୍ତ୍ତିକ ମାସ । ଏହା ହେଉଛି ଜପ, ତପ, ଧ୍ୟାନର ମାସ । କାର୍ତ୍ତକ ମାସରେ ପବିତ୍ର ନଦୀରେ ସ୍ନାନ କରିବାର ପରମ୍ପରା ରହିଛି । ଏଭଳି କଲେ ପାପ କ୍ଷୟ ହେବା ସହ ପୂଣ୍ୟ ଫଳ ପ୍ରାପ୍ତି ହୋଇଥାଏ । କାର୍ତ୍ତିକ ସ୍ନାନର ମହତ୍ତ୍ୱ ସମ୍ପର୍କରେ ଏକ କିମ୍ବଦନ୍ତୀ ଅଛି । ଭଗବାନ ବିଷ୍ଣୁ କାର୍ତ୍ତିକମାସରେ ମତ୍ସ୍ୟାବତାରରେ ଜଳରେ ବାସ କରନ୍ତି । କାର୍ତ୍ତିକ ପୂର୍ଣ୍ଣିମା ଦିନ ମହାଦେବ ଅସୁର ରାଜା ତ୍ରିପୁରାସୁରର ବଧ କରିଥିଲେ । ତେଣୁ କାର୍ତ୍ତିକ ସ୍ନାନ ଦ୍ୱାରା ଅନେକ ଦୋଷରୁ ମୁକ୍ତି ମିଳିଥାଏ । ସେଥିପାଇଁ ହରିଦ୍ୱାର, କାଶୀ, କୁରୁକ୍ଷେତ୍ରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବୁଡ ପକାଇଥା’ନ୍ତି ।କାର୍ତ୍ତିକ ଶୁକ୍ଳ ନବମୀ ତିଥିକୁ ‘ଅଁଳା ନବମୀ’ ବୋଲି କୁହାଯାଏ ।ଏହି ପୂଣ୍ୟ ତିଥିରେ ଶ୍ରୀରାଧା ପାଦ ଦର୍ଶନ କରାଯାଏ । ଏହି ଦିନ ଅଁଳା ଗଛ ତଳେ ଭଗବାନ ବିଷ୍ଣୁଙ୍କର ପ୍ରତିମାକୁ ସ୍ନାନ କରାଯାଏ । ହବିଷ୍ୟାଳୀମାନେ ଅଁଳା ଗଛ ମୂଳରେ ହବିଷାନ୍ନ ରାନ୍ଧିବା ସହ ବୃକ୍ଷ ଚାରିପଟେ ପ୍ରଦିକ୍ଷଣ କରନ୍ତି । ବିଶ୍ୱାସ ଅନୁଯାୟୀ, ଅଁଳା ଗଛରେ ଭଗବାନ ନାରାୟଣ ବାସ କରିଥା’ନ୍ତି । ଅଁଳା ଗଛକୁ ପୂଜା କରିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହୋଇଥାଏ । ମହିଳାମାନେ ସନ୍ତାନ ପ୍ରାପ୍ତି ଓ ସନ୍ତାନଙ୍କ ମଙ୍ଗଳକାମନା କରି ଅଁଳା ଗଛ ପୂଜା କରିବାର ବିଧି ରହିଛି । କାର୍ତ୍ତିକ ମାସର ଆଉ ଏକ ପୂଜା ହେଉଛି ବଡଓଷା । କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ ତିଥିରେ ବଡଓଷା ପାଳନ କରାଯାଏ । ପଦ୍ମପୁରାଣ ଅନୁସାରେ ବ୍ରହ୍ମାଙ୍କ ଅଭିଶାପରୁ ମୁକ୍ତି ପାଇବା ପାଇଁ ଈନ୍ଦ୍ରଦେବ ଧବଳେଶ୍ୱରଙ୍କ ନିକଟରେ ବଡଓଷା ପାଳନ କରି ଶାପମୁକ୍ତ ହୋଇଥିଲେ । ଧବଳେଶ୍ୱର ପୀଠରେ ବଡଓଷା ବହୁ ଆଡମ୍ବରରେ ପାଳନ କରାଯିବା ସହ ଗଜପିଠା ପୂଜା କରାଯାଏ । ଏହିଦିନ ଧବଳେଶ୍ୱରଙ୍କ ବଡ ସିଂହାର ବେଶ କରାଯିବା ସହ ଗଜମଣ୍ଡା ପୂଜା କରାଯାଏ । ଅରୁଆ ଚାଉଳ ଚୂନାରେ ଏହା ହୋଇଥାଏ । ଏଥିରେ ନଡିଆ, ଗୁଜୁରାତି ଓ ଗୁଡକୁ ମିଶାଇ ପୂର ତିଆରି କରାଯାଏ । ଶେଷରେ ଅଥାରରେ ବସାଇ ପ୍ରସ୍ତୁତ କରାଯାଏ ‘ଗଜପିଠା’ ।

କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପାଳନ କରାଯାଏ ପଞ୍ଚୁକ । ଏହାକୁ ମହାପଞ୍ଚୁକ ବା ବକପଞ୍ଚକ ବୋଲି କୁହାଯାଏ । ଏହି ପାଞ୍ଚ ଦିନରେ ବଗ ମଧ୍ୟ ଆମିଷ ଖାଇନଥାଏ ବୋଲି କୁହାଯାଏ । କାର୍ତ୍ତିକ ମାସରେ ଯେଉଁମାନେ ମାସକ ଯାକ ବ୍ରତ ପାଳନ କରନ୍ତିନାହିଁ, ସେମାନେ ପଞ୍ଚୁକ ପାଞ୍ଚଦିନ କାର୍ତ୍ତିକ ବ୍ରତ ପାଳନ କରିଥା’ନ୍ତି । ଏହି ସମୟରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି କରାଯାଇଥାଏ । ମହାପ୍ରଭୁ ସ୍ୱତନ୍ତ୍ର ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥା’ନ୍ତି ।

ବ୍ୟୁରୋ ରିପୋର୍ଟ ସମର୍ଥ ନିୟୁଜ୍ 

Related Articles

Back to top button