ଦହ୍ୟା ହାଇସ୍କୁଲରେ ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ସମ୍ପର୍କିତ ପ୍ରଦର୍ଶନୀ ମେଳା,


ବୌଦ୍ଧ-୧୭-୧୧ (ସମର୍ଥ ନ୍ୟୁଜ) ବୌଦ୍ଧ ଜିଲ୍ଲା ସଦର ବ୍ଲକ ଦହ୍ୟା ସରକାରୀ ନୋଡାଲ ହାଇସ୍କୁଲରେ ବୌଦ୍ଧ ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ସମ୍ପର୍କିତ ପ୍ରଦର୍ଶନୀ ମେଳା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ପ୍ରଧାନ ଶିକ୍ଷକ ରାଜଲକ୍ଷ୍ମୀ ସ୍ବାଇଁଙ୍କ ଆବାହକତ୍ୱ ଓ ବୌଦ୍ଧ ବିଇଓ ଉପେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଉଦଘାଟନୀ ଉତ୍ସବ

ଅନୁଷ୍ଠିତ ହୋଇଥିଲା। ଏଥିରେ ବୌଦ୍ଧ ଏଡିଇଓ ଘନଶ୍ୟାମ ମେହେର ମୁଖ୍ୟ ଅତିଥି, ଅଧ୍ୟାପକ ପ୍ରବୀର ଦାଶ ମୁଖ୍ୟ ବକ୍ତା, ଓ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଜୟନ୍ତ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି ଉଦଯାପନୀ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁର ମୁଖ୍ୟ ଅତିଥି ଏବଂ ଡ଼ା. ରାଜେଶ ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବର୍ତ୍ତମାନ ସମୟରେ

ଛାତ୍ରଛାତ୍ରୀଙ୍କ ପାଇଁ ବିଜ୍ଞାନର ଆବଶ୍ୟକତା ଓ ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ। ସହକାରୀ ଶିକ୍ଷକ ବିରେନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ମେଳାରେ ବୌଦ୍ଧ ବ୍ଲକର ୭୧ଟି ବିଦ୍ୟାଳୟରୁ ୧୩୩ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଏଥିରୁ ୧୫ଟି ପ୍ରକଳ୍ପ ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିଲା। ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ଟ୍ରଫି ସହ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ବିଜ୍ଞାନ ଶିକ୍ଷକ ଅଙ୍କିତା ମହାରଣା ଓ ଉମାକାନ୍ତ ପରିଡା ବିଚାରକ ଭାବେ ଯୋଗ ଦେଇଥିଲେ। ବିଇଓ ଉପେନ୍ଦ୍ର ପ୍ରଧାନଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ହୋଇଥିବା ବେଳେ ପ୍ରଧାନ ଶିକ୍ଷକ ରାଜଲକ୍ଷ୍ମୀ ସ୍ୱାଇଁ ଓ ସହକାରୀ ଶିକ୍ଷକ ଚକ୍ରଧର ମେହେର ଏହାକୁ

ସଂଯୋଜନା କରିଥିଲେ। ସ୍କୁଲର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ବୌଦ୍ଧରୁ ଉମାକାନ୍ତ ମହାକୁଳଙ୍କ ରିପୋର୍ଟ ସମର୍ଥ ନ୍ୟୁଜ।




