ସରକାରୀ ପ୍ରୋତ୍ସାହନ ଅଭାବ, କୌଳିକ ବୃତ୍ତି ଛାଡିଲେଣି ୬୦ ପରିବାର।


ବୌଦ୍ଧ- ୧୨-୧୧ (ସମର୍ଥ ନ୍ୟୁଜ) ଆଜି ପବିତ୍ର ଦୀପାବଳି ହୋଇଥିବାରୁ ଘରେ ଘରେ ଦୀପ ଜଳାଇବାର ପରମ୍ପରା କାହିଁ କେଉଁ ପୁରାଣ ଯୁଗରୁ ଏହା ପ୍ରଚଳିତ ହୋଇ ଆସୁଛି। ଏଥିପାଇଁ ଆବଶ୍ୟକ ଦୀପ ଗୁଡିକ ମାଟିରେ ତିଆରି ହୋଇଥାଏ। ଏହାକୁ କୁମ୍ଭକାର ପରିବାର ମାନେ ତିଆରି କରିଥାନ୍ତି। ତେବେ ବର୍ତ୍ତମାନ ଆଧୁନିକ ଯୁଗରେ ଧୀରେ ଧୀରେ ମାଟି ଦୀପର ଚାହିଦା କମି ଯାଇଛି। ଏହାଛଡା ମାଟିରେ ତିଆରି ଦୀପକୁ ପୋଡିବା ପାଇଁ ଆବଶ୍ୟକ ଜାଳେଣିର ଅଭାବ ସହିତ ଅନ୍ୟାନ୍ୟ

ସମସ୍ୟା ହେତୁ ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅଁଳାପାଲି ପଞ୍ଚାୟତ ସାହୁପଡା ଗ୍ରାମର ୬୦ ରୁ ଉର୍ଦ୍ଧ୍ବ ପରିବାର ଏହି କୌଳିକ ବୃତ୍ତିକୁ ଛାଡିବା ପାଇଁ ବାଧ୍ୟ ହୋଇଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। କାରଣ ବଜାର ଚାହିଦା କମିବା ସାଙ୍ଗକୁ ଜାଳେଣି ସମସ୍ୟା, ଏବଂ ସରକାରୀ ପ୍ରୋତ୍ସାହନର ଅଭାବ ଭଳି ବିଭିନ୍ନ ଦିଗରୁ ଅବହେଳିତ ଏହି କୁମ୍ଭକାର ପରିବାର ମାନେ ଏବେ ଏହି କୌଳିକ ବୃତ୍ତିକୁ ଛାଡି ଛୋଟ ମୋଟ ଦୋକାନ କରି ପରିବାର ପ୍ରତିପୋଷଣ କରୁଛନ୍ତି। ଅନ୍ୟପକ୍ଷରେ ରୋଜଗାର ଆଶାରେ

ଗାଁର ଅନେକ ଯୁବକ ଏବେ ଅନ୍ୟ ରାଜ୍ୟକୁ ଯାଇ ବିଭିନ୍ନ କମ୍ପାନୀରେ କାମ ମଧ୍ୟ କରୁଛନ୍ତି। ଏଣୁ ଜିଲ୍ଲା ପ୍ରଶାସନ ଓ ଶିଳ୍ପ ବିଭାଗ ଏହି ପରିବାର ମାନଙ୍କୁ ସରକାରୀ ପ୍ରୋତ୍ସାହନ ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି।

ବୌଦ୍ଧରୁ ଉମାକାନ୍ତ ମହାକୁଳଙ୍କ ରିପୋର୍ଟ ସମର୍ଥ ନ୍ୟୁଜ।




