ପଲସାଗୋରାର ଗଜଲକ୍ଷ୍ମୀ ପୂଜା, ସପ୍ତାହେ ପୂଜିତ ହେବାପରେ ହର୍ଷୋଲ୍ଲାସର ସହ ମେଲାଣି ନେଲେ ମା ଗଜଲକ୍ଷ୍ମୀ


କଣ୍ଟାମାଳ, ୫/୧୧ (ପ୍ରଭାତ କୁମାର ସାହୁ) ହର୍ଷୋଲ୍ଲାସ ଓ ଉତ୍ସାହ ଉଦ୍ଦୀପନା ସହ ବାଜା,ରୋଷଣୀ, ନାଚ, ଗୀତ ମଧ୍ୟରେ ବିଦାୟ ନେଲେ ପଲସାଗୋରାର ମା ଗଜଲକ୍ଷ୍ମୀ l କୁମାରପୂର୍ଣ୍ଣିମା ଠାରୁ ଗତ ସାତଦିନ ଧରି ପଲସାଗୋରା ସ୍ୱସ୍ତିକ କ୍ଲବ ଦ୍ୱାରା ମକରପଡ଼ିଆ ଠାରେ ଆୟୋଜିତ ୨୫ତମ ରୌପ୍ୟ ଜୟନ୍ତୀ ମାଁ ଗଜଲକ୍ଷ୍ମୀ ପୂଜା ବିପୁଳ ଉତ୍ସାହ ଉଦ୍ଦୀପନା ଓ ଜନସମାଗମ ମଧ୍ୟରେ ସମ୍ପନ୍ନ ହୋଇଛି l ଚଳିତ ବର୍ଷ ରୌପ୍ୟ ଜୟନ୍ତୀ ଅବସରରେ ଅଷ୍ଟଲକ୍ଷ୍ମୀ ପୂଜା ସହ ମୁରାସୁର ଦରବାର, ମୀନାବଜାରର ଆୟୋଜନ କରାଯାଇଥିଲା l ପ୍ରତିଦିନ ସନ୍ଧ୍ୟାରେ ମା ଗଜଲକ୍ଷ୍ମୀଙ୍କ ଦର୍ଶନ ହଜାର ହଜାର ଭକ୍ତଙ୍କ ସହ ମୀନବଜାରରେ ବୁଲି ବୁଲି

ଚଟପଟି,ଝୁଲା ପୁରୀ ଖାଦ୍ୟ ଖାଇବା , ଦୋଳିରେ ବସିବା ସହ ବିଭିନ୍ନ ପ୍ରକାର ସୁଲଭ ଜିନିଷ କିଣିବାର ମଜା ଉଠାଇଥଲେ l ପରେ ହଜାର ହଜାର ଦର୍ଶକ ବିଳମ୍ବିତ ରାତି ପର୍ଯ୍ୟନ୍ତ ମୁରାସୁର ଦରବାରରେ ସାଂସ୍କୃତିକ କାର୍ଯ୍ୟକ୍ରମର ନୃତ୍ୟ ଗୀତ ସହ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର କଂସ ଭୂମିକାରେ ଅଭିନୟ କରିଥିବା ସୁପ୍ରସିଦ୍ଧ ମଞ୍ଚ କଳାକାର ହୃଷିକେଶ ଭୋଇଙ୍କ ନିଖୁଣ ଅଭିନୟକୁ ମନଭରି ଉପଭୋଗ କରୁଥିବା ଦେଖିବାକୁ ମିଳୁଥିଲା l ପ୍ରତିଦିନ ସଂନ୍ଧ୍ୟାରେ ସମଗ୍ର ମକରପଡ଼ିଆ ଲୋକାରଣ୍ୟ ହେବା ସହ ଉତ୍ସବମୁଖର ହୋଇଥିଲା l ସ୍ୱସ୍ତିକ କ୍ଲବର ସମସ୍ତ ସଦସ୍ୟ ଉତ୍ସବର ସଫଳତାରେ ଖୁସି ବ୍ୟକ୍ତକରି ପରସ୍ପରକୁ ରଙ୍ଗ ଅବିର ଲଗାଇ ବାଜା ରୋଷଣୀ ନୃତ୍ୟ ଗୀତ ସହ ମା ଗଜଲକ୍ଷ୍ମୀଙ୍କୁ ଶୋଭାଯାତ୍ରାରେ ନେଇ ନିକଟସ୍ଥ କାନ୍ଦୁଲମୁଣ୍ଡା ବନ୍ଧରେ ବିସର୍ଜନ କରିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




