ମା’ ଶାରଳାଙ୍କ କାରୁକାର୍ଯ୍ୟ ମଣ୍ଡିତ ସିଂହଦ୍ୱାର କୁ ଭାଙ୍ଗିଦେଲା ଠିକାଦାର


ତିର୍ତ୍ତୋଲ ::– ଆଉ କେବେବି ଦୃଶ୍ୟ ହେବନି ଶାରଳା ମନ୍ଦିରର ସିଂହଦ୍ୱାର କୀର୍ତ୍ତିରାଜି ! ଇତିହାସର ଛିନ୍ନ ପୃଷ୍ଠାରେ ସ୍ମୃତିହେଇ ବାହୁନି ବାହୁନି କାନ୍ଦିବ ସିନା ଭକ୍ତମାନଙ୍କର ଅପଲକ ନେତ୍ରକୁ ତୃପ୍ତି କରିବାପାଇଁ ଚିରଦିନ ଅପସରି ଯିବ! ସତରେ କଣ ଆଉଥରେ ସିଂହଦ୍ୱାରରେ ରୁପାୟିତ ହେବ ସେଇ ଆଶ୍ଚର୍ଯ୍ୟମୟ କଥା କହୁଥିବା କାରୁକାର୍ଯ୍ୟ ? ଭକ୍ତ ନିରୁତ୍ସାହ, ସେବକ ପଣ୍ଡା ହତବାକ ! ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ! ସତେକି ଫେରିବ ହୃତ କଳାକିର୍ତ୍ତୀ ??? ଖବର ମୁତାବକ ଗତ କାଲି ଠିକାଦାରୀ ସଂସ୍ଥା ମା’ ଶାରଳା ମନ୍ଦିରର କାରୁକାର୍ଯ୍ୟ ଖଚିତ ସିଂହଦ୍ୱାର କୁ ମେସିନ ଲଗାଇ ଭାଙ୍ଗି ଚାଲିଛି , ଯୋଉଠି ନୂତନ ଭାବେ ଗଢ଼ାହେବ ସିଂହଦ୍ୱାର ! ଯୋଉ ସିଂହଦ୍ୱାରକୁ ଭୁବନେଶ୍ବର ପଟିଆ ସ୍ଥିତ ଆର୍ କେ ଡି କନଷ୍ଟ୍ରକସନ୍ ର ପରିଚାଳନା ନିର୍ଦ୍ଦେଶକ ସ୍ବର୍ଗତ ରୋହିତ ଦାସ , ପ୍ରାୟ ଏକ କୋଟି ଟଙ୍କା ବ୍ୟୟରେ କୁଶଳୀ କାରିଗର ମାନଙ୍କ ଦ୍ଵାରା ଅତ୍ୟନ୍ତ ଆକର୍ଷଣୀୟ ଭାବେ ନିର୍ମାଣ କରାଇ ଥିଲେ । ଯାହାକି ଶ୍ରାଦ୍ଧକୁ ଭକ୍ତ ମାନଙ୍କ ସମେତ ପର୍ଯ୍ୟଟକ ମାନଙ୍କୁ କାରୁକାର୍ଯ୍ୟ ମଣ୍ଡିତ କଳାକୃତି ଆକୃଷ୍ଟ କରି ଆସିଥିଲା । ସିଂହଦ୍ଵାର ରେ ଲାଗିଥିବା କବାଟ କୁ ମଧ୍ୟ ପିତଳ ଛାଉଣୀ କରାଯାଇଥିଲା । କିନ୍ତୁ ସମ୍ପ୍ରତ୍ତି ଓଡିଶା ସରକାର ଙ୍କ ତରଫରୁ ୪୨ କୋଟି ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିବା ନବୀକରଣ କାର୍ଯ୍ୟ ନିମନ୍ତେ ଗତକାଲି ଠାରୁ ଏହି ଗାରିମାମୟ କୀର୍ତ୍ତିକୁ ମେସିନ୍ ଲଗାଯାଇ ଭଙ୍ଗା ଯାଉଥିବାରୁ ଏପରି ଦୁଃଖଦ ବିଷୟମାନ ଚର୍ଚ୍ଚା ଚାଲିଛି ! କୁଆଡେ ମାଆଙ୍କ ସିଂହଦ୍ଵାର କୁ ସମ୍ପୂର୍ଣ୍ଣ ପଥର ରେ ପୁନନିର୍ମାଣ କରାଯିବ !ପ୍ରଶ୍ନ ଉଠୁଛି ଯେ ଏହି ପ୍ରସ୍ତର ନିର୍ମିତ ସିଂହଦ୍ଵାର ରେ କଣ ପୂର୍ବଭଳି କାରୁକାର୍ଯ୍ୟ ଦେଖିବାକୁ ମିଳିବ ପାରିବ ? ଠିକାଦାରୀ ସଂସ୍ଥା ନିମ୍ନମାନର କାମଚଳା ଭାବରେ ନିର୍ମାଣ କାର୍ଯ୍ୟ ସାରିଦେଇ ଚାଲିଯିବନି ତ ? ସବୁଠୁଁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି , ସିଂହଦ୍ଵାରର ଉଭୟ ପାର୍ଶ୍ଵରେ ପୂର୍ବରୁ ହାତୀ ଉପରେ ସିଂହ ବସିଥିବାର , ଯେଉଁ ସିମେଣ୍ଟ ନିର୍ମିତ ମୂର୍ତ୍ତି ଶୋଭା ପାଉଥିଲେ , ତାହାକୁ ମଧ୍ୟ ଉଠାଇ ନିଆ ଯାଇଛି। ସେଇ ଡିଜାଇନ୍ ର ଅତି ବିରଳ ପସ୍ତରମୂର୍ତ୍ତି ଏଠାରେ ନିର୍ମିତ ହେଉଥିବାର ଦେଖିବାକୁ ମିଳୁନାହିଁ। ତେବେ ମାଆଙ୍କ ମନ୍ଦିରର ସେବାୟତ ମାନଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ , ପୂର୍ବରୁ ରହି ଆସିଥିବା କୀର୍ତ୍ତିରାଜି ର ଅନୁକରଣ ରେ ମାଆଙ୍କ ସିଂହଦ୍ବାର କୁ ନିର୍ମାଣ କରିବା ନିମନ୍ତେ ଦୃଢ଼ ଦାବୀ କରିଅଛନ୍ତି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର କିପରି ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକିରହିଲା। ଭକ୍ତଙ୍କର ସନ୍ଦେହ,ମାଆଙ୍କର ସେଇ ମନଲୋଭା କାରୁକାର୍ଯ୍ୟ ଇତିହାସ ହେଇ ରହିଯିବନି ତ ????
ଜଗତସିଂହପୁରରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !



