Country

ପଣ୍ଡରାପିଟା ଓ ଲୁଣ୍ଡୁରୁବାହାଲ ଗ୍ରାମର ମିଳିତ ବୈଠକ, ସମସ୍ୟାର ସମାଧାନ ନ ହେଲେ କରିବେ ଭୋଟ ବର୍ଜନ

କଣ୍ଟାମାଳ, ୪/୧୧:ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ନାରାୟଣପ୍ରସାଦ ପଞ୍ଚାୟତସ୍ଥିତ ପଣ୍ଡରାପିଟା ଓ ଲୁଣ୍ଡୁରୁବାହାଲ ୱାର୍ଡବାସୀଙ୍କୁ ନେଇ ଗୌନ୍ତିଆ ଶ୍ରୀବତ୍ସ ଭୋଇଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ସଭାରେ ପୂର୍ବତନ ୱାର୍ଡ ସଭ୍ୟ ଭୀମସେନ ବିଶ୍ୱାଳ, ବଳରାମ ରଣା ଏବଂ ପୂର୍ବତନ ନାଏବ ସରପଞ୍ଚ ଜମ୍ବେଶ୍ୱର ରଣା, ଲୁଣ୍ଡୁରୁବାହାଲ ଗୌନ୍ତିଆ ଚିନ୍ମୟ ଭୋଇ ପ୍ରମୁଖ ଯୋଗଦେଇ ଆଲୋଚନା କରିଥିଲେ l ଘଣ୍ଟାପଡ଼ା ପଞ୍ଚାୟତର କୁନାଶିଲା ଛକରୁ ନାରାୟଣପ୍ରସାଦ ପଞ୍ଚାୟତର ପଣ୍ଡରାପିଟା ଦେଇ ଲୁଣ୍ଡୁରୁବାହାଲ ଠାରୁ ରିଙ୍ଗାପଡା ପର୍ଯ୍ୟନ୍ତ ରାସ୍ତା ଦୟନୀୟ ହୋଇପଡିଛି l ମେଟାଲିଂ ପରିବର୍ତ୍ତେ କାଁଭାଁ ମୁରୁମ କାମ ହେଇଛି, ଫଳରେ ରାସ୍ତାର ଅବସ୍ଥା ଗୋଦଣ୍ଡା ସଦୃଶ ଦିଶୁଛି l ପୂର୍ବେ ଘଣ୍ଟାପଡ଼ାରୁ ନାରାୟଣପ୍ରସାଦକୁ ଯିବାଆସିବା ପାଇଁ ମୁଖ୍ୟ ରାସ୍ତା ଥିଲା। କେବଳ ଝାରବାହାଲି ନାଳ ହିଁ ବାଧକ ସାଜୁ ଥିଲା। ଅମୃତ ମହୋତ୍ସବର ୭୫ ବର୍ଷ ଦେଶ ପାଳନ କରୁଥିବା ସ୍ଥଳେ ଉକ୍ତ ରାସ୍ତାର ପୋଲ ନିର୍ମାଣ ଏ ପର୍ଯ୍ୟନ୍ତ ହୋଇପାରୁନି l ଫଳରେ ବର୍ଷା ଚାରିମାସ ରାସନ, ଭତ୍ତା କିମ୍ବା ଅନ୍ୟାନ୍ୟ କାର୍ଯ୍ୟରେ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବା ଆସିବା କରିହେଉ ନାହିଁ l ପଞ୍ଚାୟତର ଦୂରତା ମାତ୍ର ୨କି.ମି.। ଏପରି ସ୍ଥଳେ ଛାତ୍ରଛାତ୍ରୀଙ୍କ ପାଠପଢା ମଧ୍ୟ ବ୍ୟାଘାତ ହେଉଛି l ଏକଦା ଗ୍ରାମର କିଛି ଲୋକ ପାଣି ଭିତରେ ପଶିବା ଯୋଗୁଁ ନାଳରେ ଭାସି ଯାଇଥିଲେ l ବହୁ କଷ୍ଟରେ ତାଙ୍କୁ ଉଦ୍ଧାର କରାଯାଇଥିଲା l ଏପଟେ ସ୍ୱାସ୍ଥ୍ୟକେନ୍ଦ୍ର, ଥାନା ଆଦି ବିଭିନ୍ନ କାର୍ଯ୍ୟରେ ଘଣ୍ଟାପଡ଼ା ଉପରେ ନିର୍ଭର କରିବାକୁ ପଡ଼େ । ଭଲ ରାସ୍ତା ପାଇବାକୁ ହେଲେ ୩କିମି.ଗଲେ ଭଲ ରାସ୍ତା ପଡ଼େ । ମାତ୍ର ୫ କି.ମି.ରାସ୍ତା ପାଇଁ ୨ ୱର୍ଡ଼ର ପ୍ରାୟ ୮୦୦ ଲୋକ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଉକ୍ତ ସମସ୍ୟା ଯୋଗୁଁ ଗ୍ରାମକୁ ଆମ୍ବୁଲାନ୍ସ ଆସିପାରେ ନାହିଁ, କେହି ରୋଗୀ ଗୁରୁତର ହେଲେ କୁନାଶିଲା ଛକ ପର୍ଯ୍ୟନ୍ତ ଖଟିଆରେ ବୋହିବାକୁ ପଡିଥାଏ ବୋଲି ଆଲୋଚନା କରିଥିଲେ l ଦୀର୍ଘବର୍ଷ ହେବ ଅଞ୍ଚଳର ସମସ୍ୟା ବିଷୟରେ ଜନ ପ୍ରତିନିଧି ଠୁ ଆରମ୍ଭ କରି ପ୍ରଶାସନକୁ ବାରମ୍ଵାର ଅବଗତ କରାଯାଉ ଥିଲେ ହେଁ କେହି ଗୁରୁତ୍ୱ ଦେଉନଥିବାରୁ

ଶୁକ୍ରବାର ୨ଗ୍ରାମର ଆବାଳବୃଦ୍ଧବନିତା ଏକ ବୈଠକ କରି ସମସ୍ତ ବିଷୟ ଆଲୋଚନା ପରେ ଗ୍ରାମର ଇଷ୍ଟ ଦେବୀଙ୍କୁ ପୂଜାର୍ଚ୍ଚନା କରି ସମସ୍ତେ ଶପଥପାଠ କଲେ ଯେ ସମସ୍ୟାର ସମାଧାନ ନ ହେଲେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନକୁ ବର୍ଜନ କରିବେ ଏବଂ ସମସ୍ତେ କ୍ଷୋଭ ପ୍ରକାଶ କରିଥିଲେ l ଅଞ୍ଚଳର ସମସ୍ୟାକୁ ନେଇ ବୌଦ୍ଧ ଜିଲାପାଳକୁ ପୁଣି ଏକ ଦାବିପତ୍ର ପ୍ରଦାନ କରାଯିବ ବୋଲି ୱାର୍ଡ ବାସିନ୍ଦା ଦରଖାସ୍ତ କରିଥିଲେ l ଦରଖାସ୍ତରେ ସାଧାରଣ ନିର୍ବାଚନ ପୂର୍ବରୁ ରାସ୍ତା ଓ ପୋଲ ନିର୍ମାଣ କରାନଗଲେ ଦୁଇ ୱାର୍ଡବାସୀ ଭୋଟ ବର୍ଜନ କରିବେ ବୋଲି ଉଲ୍ଲେଖ କରିଛନ୍ତି।


କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button