ଶିଶୁ ସୁରକ୍ଷା ଆଇନ ଉପରେ ପ୍ରଶିକ୍ଷଣ ଶିବିର


କଣ୍ଟାମାଳ,୦୩।୧୧(ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମିଶନଶକ୍ତି ଗୃହଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ବୌଦ୍ଧ ପକ୍ଷରୁ ଲିଙ୍ଗଗତ ବୈଷମ୍ୟ, ବାଲ୍ୟ ବିବାହ, ଶିଶୁ ମାନଙ୍କୁ ଯୌନ ନିର୍ଯ୍ୟାତନାରୁ ସୁରକ୍ଷା ଆଇନ ତଥା ଶିଶୁ ଅଧିକାର ଓ ବେଟି ବଚାଓ ବେଟି ପଢାଓ ଯୋଜନା ଉପରେ ଏକ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଉପରେ ମୁଖ୍ୟ ଅତିଥି ଭାବରେ କଣ୍ଟାମାଳ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଣୀ ଜ୍ୟୋସ୍ନାରାଣୀ ପାଢୀ ଯୋଗଦେଇ ବାଲ୍ୟବିବାହ ରୋକିବା, ମାତୃ ମୃତ୍ୟୁ ହାର ଓ ଶିଶୁ ମୃତ୍ୟୁ ହାର ରୋକିବା ତଥା ସରକାରଙ୍କ ମହତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସୁପରଭାଇଜର ଓ ଅଙ୍ଗନୱାଡି କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ ।

ସମ୍ମାନୀତ ଅତିଥି ଭାବରେ ସୁରକ୍ଷା ଅଧିକାରୀ ଶ୍ରୀ ସୁଶାନ୍ତ ଭୋଇ ଯୋଗଦେଇ ଯୌନ ସମୁହର ଶିଶୁ ମାନଙ୍କର ସୁରକ୍ଷା ଆଇନ-୨୦୧୨, ଲିଙ୍ଗଗତ ଅସମାନତା ଓ ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ ମାଧ୍ୟମରେ ଲିଙ୍ଗଗତ ତାରତମ୍ୟ ଜନିତ ଲିଙ୍ଗ ନିରୁପଣ ରୋକିବା, କନ୍ୟା ସନ୍ତାନର ସ୍ୱାସ୍ଥ୍ୟ, ପୃଷ୍ଠି ନିରାପତ୍ତା ଏବଂ ଶିଶୁମାନେ ବିଦ୍ୟାଳୟକୁ ଯିବା ଓ ଉପସ୍ଥାନର ହାର ବଢାଇବା ଓ କନ୍ୟା ସନ୍ତାନର ଗୁରୁତ୍ୱ ସମ୍ପର୍କରେ ସଚେତନତା କରିବା ଦିଗରେ ଆଲୋଚନା କରିଥିଲେ ।ଏହି କାର୍ଯ୍ୟକ୍ରମରେ ସୁପରଭାଇଜର ମେଘମାଳା ମିଶ୍ର, ପଲ୍ଲବୀ ମେହେର, ରଶ୍ମିନ ଦିଗାଲଙ୍କ ସହ ଶତାଧିକ ଅଙ୍ଗନୱାଡି କର୍ମୀ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ପରାମର୍ଶଦାତା ବସନ୍ତ ଦିଶିରି କାର୍ଯ୍ୟକ୍ରମ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




