Country

ସରକାରୀ ଅର୍ଥ ହଡ଼ପ ଅଭିଯୋଗ : ଭୂତପୂର୍ବ ମାର୍କଫେଡ ଆଞ୍ଚଳିକ ମ୍ୟାନେଜରଙ୍କୁ ୩ ବର୍ଷ ଜେଲ

କନ୍ଧମାଳ:(ସମର୍ଥ ନ୍ୟୁଜ): ସରକାରୀ ଅର୍ଥ ହଡପ ଅଭିଯୋଗରେ ବୌଦ୍ଧ ଜିଲ୍ଲାର ତତ୍କାଳୀନ ମାର୍କଫେଡ ଏରିଆ ମ୍ୟାନେଜର ଭୂବନ ମୋହନ ଦାଶଙ୍କୁ ଫୁଲବାଣୀ ଭିଜିଲାନ୍ସ ଅଦାଲତ ତିନି ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥସହ ଅଭିଯୁକ୍ତଙ୍କୁ ୧୦ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ଦୋଷୀଙ୍କୁ ଅଧ‌ିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ସୂଚନା ଅନୁଯାୟୀ, ଅଭିଯୁକ୍ତ ଶ୍ରୀ ଦାଶ ୨୦୦୭ ମସିହାରେ ବୌଦ୍ଧଠାରେ ମାର୍କଫେଡର ଆଞ୍ଚଳିକ ମ୍ୟାନେଜର ଦାୟିତ୍ଵରେ ଥିଲେ। ତାଙ୍କ ବିରୋଧ ରେ ତିଳା ଓ ହଳଦୀ ବିହନ କିଣାରେ ୯ ଲକ୍ଷ ୬୬ ହଜାର ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ତାଙ୍କ ବିରୋଧରେ ଭିଜିଲାନ୍ସ ବିଭାଗ ପକ୍ଷରୁ ୩୦/୨୦୦୭ ରେ ଏକ ମାମଲା ରୁଜୁ କରାଯାଇଥିଲା। ପରେ ୨୦୦୮ ମସିହାରେ ସେ କାର୍ଯ୍ୟରୁ ବହିଷ୍କୃତ ହୋଇଥିଲେ। ତେବେ ଅଭିଯୁକ୍ତ ଶ୍ରୀ ଦାଶ ଅଦାଲତରେ ହାଜର ନ ହେବାରୁ ତାଙ୍କ ବିରୋଧରେ ଫୁଲବାଣୀ ସ୍ଵତନ୍ତ୍ର ଭିଜିଲାନ୍ସ ଅଦାଲତ ଏକ ଜାମିନ ବିହୀନ ଓ୍ବାରେଣ୍ଟ ଜାରୀ କରିବା ପରେ ତାଙ୍କୁ ଧରିବା ପାଇଁ ଭିଜିଲାନ୍ସ ବିଭାଗ ଯୋଜନା ପ୍ରସ୍ତୁତ କରି ଏକ ସ୍ବତନ୍ତ୍ର ଟିମ ଗଠନ କରିଥିଲା l ତେବେ ଅଭିଯୁକ୍ତ ବାରମ୍ବାର ନିଜର ସ୍ଥାନ ସହ ମୋବାଇଲ ନମ୍ବର ପରିବର୍ତ୍ତନ କରି ଚାଲିଥିଲେ । ଭିଜିଲାନ୍ସ ପକ୍ଷରୁ ନଜର ରଖାଯିବା ସହ ମୋବାଇଲ ନମ୍ବର ଟ୍ରାକିଙ୍ଗ କରାଯାଇ ସେ ଭୁବନେଶ୍ବରର ବାଲିଅନ୍ତା ଅଞ୍ଚଳରେ ଥିବା ଜଣା ପଡିବା ପରେ ଗତ ମାସ ୧୭ ତାରିଖରେ ଚଢାଉ କରାଯାଇ ତାଙ୍କୁ ଗିରଫ କରାଯାଇଥିଲା। ଏ ସଂକ୍ରାନ୍ତରେ ମଙ୍ଗଳବାର ମାମଲାର ଶୁଣାଣୀ କରି ଫୁଲବାଣୀ ସ୍ଵତନ୍ତ୍ର ଭିଜିଲାନ୍ସ ଅଦାଲତର ବିଚାରପତି ସମର ବିଳାସ ବେହେରା ଉପରୋକ୍ତ ରାୟ ଶୁଣାଇଛନ୍ତି। ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଭି.ଭି ରାମଦାସ ପରିଚାଳନା କରୁଥିଲେ। ଅଭିଯୁକ୍ତଙ୍କ ବିରୋଧରେ ଅନ୍ୟାନ୍ୟ ମାମଲା ମଧ୍ୟ ବିଚାରାଧୀନ ରହିଥ‌ିବା ବିଷୟ ସରକାରୀ ଅଧ‌ିବକ୍ତା ଶ୍ରୀ ରାମଦାସ ପ୍ରକାଶ କରିଛନ୍ତି ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ସମର୍ଥ ନ୍ୟୁଜ ଓଡିଶା

Related Articles

Back to top button