Country

ଘଣ୍ଟାପଡାରେ ସମଲେଶ୍ବରୀ ଯାତ୍ରା ପାଳିତ, ବଳିରେ ରକ୍ତ ରଞ୍ଜିତ ହେଲା ପୀଠସ୍ଥଳୀ

ଘଣ୍ଟାପଡାରେ ସମଲେଶ୍ବରୀ ଯାତ୍ରା ପାଳିତ, ବଳିରେ ରକ୍ତ ରଞ୍ଜିତ ହେଲା ପୀଠସ୍ଥଳୀ

 

କଣ୍ଟାମାଳ୨୨।୧୦: (ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡା ସମଲେଶ୍ବରୀ ପୀଠରେ ମହାସମାରୋହରେ ସମଲେଶ୍ବରୀ ଯାତ୍ରା ପାଳିତ ହୋଇ ଯାଇଛି । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ମାନସୀକଧାରୀ ଭକ୍ତଙ୍କ ଦ୍ବାରା ଅର୍ପଣ କରାଯାଇଥିବା ଶହ ଶହ ବଳିରେ ରକ୍ତ ରଞ୍ଜିତ ହୋଇଥିଲା ଦେବୀଙ୍କ ପୀଠସ୍ଥଳୀ । ଅଷ୍ଟମୀ ତିଥିରେ ରାତ୍ରରେ ଦେବୀଙ୍କ ନିଶି ପୂଜା ଓ ଗ୍ରାମ ପରିକ୍ରମା ହୋଇଥିଲା । ରେଗଡୋଲ, ଲଣ୍ତାପଦର ଆଦି ବିଭିନ୍ନ ମୌଜାର ଦେବାଦେବୀ ପୀଠରୁ ଖଣ୍ତା ଆସିଥିଲା । ସମଲେଶ୍ବରୀ ପୀଠରୁ ସମସ୍ତେ ଏକତ୍ରିତ ହୋଇ ଜମିଦାର ବସନ୍ତ ମାଝୀଙ୍କ ଘରକୁ ଯାଇଥିଲେ । ବରୁଆ ନବୀନ ଦେହୁରୀ ଜମିଦାରଙ୍କୁ ଖଣ୍ତା ପ୍ରଦାନ କରିଥିଲେ । ସମଲେଶ୍ବରୀ ନଦୀଘାଟରେ ଖଣ୍ତାଧୁଆ ପର୍ବ ପାଳନ ହୋଇଥିଲା । ଏହାପରେ ମା’ ସମଲେଶ୍ବରୀ ଦେବୀଙ୍କ ପୀଠରେ ଝାଙ୍କର ଅନନ୍ତ ମାଝୀ ଦେବାଦେବୀଙ୍କୁ ନିଷ୍ଠାର ସହିତ ଉପବାସ ରହି ରୀତିନୀତି ଅନୁଯାୟୀ ପୂଜା କରିଥିଲେ । ବରୁଆଙ୍କ ଦେହରେ ଦେବୀ ସବାର ହୋଇଥିଲେ ଓ ମଧ୍ୟରାତ୍ରରେ ଗ୍ରାମ ପରିକ୍ରମା କରିଥିଲେ । ଘରେ ଘରେ ମହିଳାମାନେ ବରୁଆଙ୍କୁ ଧୂପ, ଦୀପ, ଫୁଲମାଳ ଦେଇ ବନ୍ଦାପନା କରିଥିଲେ । ମହାନବମୀ ଦିନ ମା’ ସମଲେଶ୍ବରୀଙ୍କ ପୀଠରେ ଯାତ୍ରା ପାଳନ ହୋଇଥିଲା । ଏଥିରେ ଦେବୀ ମା’ଙ୍କୁ ମୁଆଁ, ମନ୍ଦାର ଫୁଲ, ଅରୁଆ ଚାଉଳ ଆଦି ଭୋଗ ଲଗାଯାଇଥିଲା । ପରେ ମାନସୀକଧାରୀ ଭକ୍ତମାନେ ଆଣିଥିବା ବୋଦା, କୁକୁଡା ଓ ପୋଢ଼କୁ ବଳି ଦିଆ ଯାଇଥିଲା । ପୂଜା ପାର୍ବଣ ସମାପନ ପରେ ପୂଜା କମିଟିର ସମସ୍ତ ସଦସ୍ୟମାନେ ଏକତ୍ରିତ ପ୍ରସାଦ ସେବନ କରି ଘରକୁ ଫେରିଥିଲେ । ଯାତ୍ରା ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ଶହସ୍ରାଧିକ ସଂଖ୍ୟାରେ ଲୋକମାନଙ୍କ ଜନସମାଗମ ଦେଖିବାକୁ ମିଳିଥିଲା । ଯାତ୍ରାର ସଫଳ ପରିଚାଳନା ପାଇଁ ଗ୍ରାମ୍ୟ କମିଟି ଓ ସ୍ଥାନୀୟ ପୋଲିସ ବାହିନୀ ଶାନ୍ତି ଶୃଙ୍ଖଳା ରକ୍ଷା କରିବାରେ ଦାୟିତ୍ବ ନିର୍ବାହ କରିଥିଲେ ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button