ଭତ୍ତା ବହିରେ ଦୁଇ ମାସର ଏକ ହଜାର ଟଙ୍କା ମଞ୍ଜୁର ହୋଇଛି। କିନ୍ତୁ ହିତାଧିକାରୀଙ୍କୁ ମିଳିଛି ୫ ଶହ ଟଙ୍କା

ଭତ୍ତା ବହିରେ ଦୁଇ ମାସର ଏକ ହଜାର ଟଙ୍କା ମଞ୍ଜୁର ହୋଇଛି। କିନ୍ତୁ ହିତାଧିକାରୀଙ୍କୁ ମିଳିଛି ୫ ଶହ ଟଙ୍କା

ବିନିକା, ୨୦/୧୦ (ସମର୍ଥ ନ୍ୟୁଜ୍) କେନ୍ଦ୍ର ଓ ରାଜ୍ୟ ଉଭୟ ସରକାର ବାର୍ଦ୍ଧକ୍ୟ, ବିକଳାଙ୍ଗ, ବିଧବା ଭଲି ଯୋଜନାରେ ଗରୀବ ଲୋକଙ୍କୁ ଭତ୍ତା ଟଙ୍କା ଦେଉଛନ୍ତି। କିନ୍ତୁ ତାହା ହିତାଧିକାରୀଙ୍କୁ ମିଳି ପାରୁନାହିଁ। ଦୁଇ ମାସର ଟଙ୍କା ମଞ୍ଜୁର ହୋଇ ଟଙ୍କା ଆସୁଥିବା ବେଳେ ହିତାଧିକାରୀଙ୍କୁ ମିଳୁଛି ମାସକର ଟଙ୍କା। ଏନେଇ ହିତାଧିକାରୀ ପ୍ରଶ୍ନ କରିବାରୁ ଆର ମାସରେ ବାକି ଟଙ୍କା ଦିଆଯିବ ବୋଲି କହୁଛନ୍ତି ଅଧିକାରୀ। ଏଭଳି ଏକ ଜ୍ଵଳନ୍ତ ଉଦାହରଣ ବିନିକା ବ୍ଲକ ମହଦା ଗ୍ରାମ ପଞ୍ଚାୟତରେ ଦେଖିବାକୁ ମିଳିଛି। ପ୍ରକାଶ ଥାଉକି, ଗତ ଅଗଷ୍ଟ ମାସରେ ମହଦା ଗ୍ରାମର ବାଲି କୁମ୍ଭାର ନାମକ ଜଣେ ବ୍ୟକ୍ତିଙ୍କ ନାମରେ ଦୁଇ ମାସର ଅର୍ଥାତ ଅଗଷ୍ଟ ଓ ନଭେମ୍ବର ମାସର ନୂତନ ଭାବରେ ଭତ୍ତା ଟଙ୍କା ବ୍ଲକରୁ ମଞ୍ଜୁରୀ ହୋଇ ଆସିଲା। ଏହି ୨ ମାସର ଭତ୍ତା ଟଙ୍କା ବାଲି କୁମ୍ଭାର ହଜାରେ ଟଙ୍କା ପାଇବା କଥା। କିନ୍ତୁ ପଞ୍ଚାୟତରୁ ହଜାରେ ଟଙ୍କା ବଦଳରେ ମିଳିଛି ମାତ୍ର ୫ ଶହ ଟଙ୍କା। ଏନେଇ ବାଲି କୁମ୍ଭାର ପିଇଓଙ୍କୁ ପ୍ରଶ୍ନ କରିବାରୁ ଆସନ୍ତା ମାସରେ ବାକି ଟଙ୍କା ଦିଆଯିବ ବୋଲି କହିଥିଲେ। ବାକି ୫ ଶହ ଟଙ୍କା ନଭେମ୍ବର ମାସରେ ପାଇବା ପାଇଁ ବାଲି ପଞ୍ଚାୟତ କାର୍ଯ୍ୟାଳୟକୁ ଆସୁଥିଲେ ମଧ୍ୟ ବାକି ଟଙ୍କା ପାଇ ପାରୁନାହିଁ। ଏପରିକି ଅକ୍ଟୋବର ମାସର ଟଙ୍କା ମଧ୍ୟ ପାଇନଥିବା ବାଲି କୁମ୍ଭାର ଅଭିଯୋଗ କରିଛନ୍ତି। କିନ୍ତୁ ବାଲିଙ୍କ ଭତ୍ତା ବହିରେ ପିଇଓ ଓ ଜିଆର୍ ଏସ୍ ଉଭୟଙ୍କ ଦସ୍ତଖତ ରହିଥିବା ଦେଖିବାକୁ ମିଳୁଛି। ଅଗଷ୍ଟ ମାସରେ ପିଇଓଙ୍କ ଦସ୍ତଖତ ଥିବା ବେଳେ ସେପ୍ଟେମ୍ବର ମାସରେ ଜିଆର୍ ଏସ୍ ଙ୍କ ଦସ୍ତଖତ ରହିଛି। ଏନେଇ ମହଦା ପିଇଓ ନେହେରୁ ଭୁଏଙ୍କୁ ପଚାରିବାରୁ ଦସ୍ତଖତ ହେଇଛି ମାନେ ଟଙ୍କା ପେମେଣ୍ଟ ହେଇଥିବା, ଯଦି ପେମେଣ୍ଟ ହୋଇନାହିଁ ଆମେ ପେମେଣ୍ଟ କରିଦେବୁ ବୋଲି କହିଛନ୍ତି। ସେହିପରି ମହଦା ଜିଆର୍ ଏସ୍ ଙ୍କୁ ଫୋନ୍ କରିବାରୁ ପିଇଓ ସାର୍ ଆର ମାସରେ ଟଙ୍କା ଦେବା ବୋଲି କହିଥିଲେ ବୋଲି କହିଛନ୍ତି। ବାଲି କୁମ୍ଭୀରଙ୍କ ଭଲି ଅଗଷ୍ଟ ମାସରେ ଯେଉଁମାନେ ନୂତନ ଭତ୍ତା ପାଇଛନ୍ତି, ସେହିମାନଙ୍କ ୫ ଶହ ଟଙ୍କା ଲେଖାଏଁ କାଟି ଗୋଟିଏ ମାସର ୫ ଶହ ଟଙ୍କା ଦେଇଥିବା ବାଲି କହିଛନ୍ତି। ସେହିପରି ପୂର୍ବରୁ ମହଦା ଗ୍ରାମର ଗୌର ସାହୁ ଓ ଚତୁରା ଭୁଏଙ୍କ ଏକାଉଣ୍ଟରେ ଭତ୍ତା ଟଙ୍କା ଆସୁଥିଲା। ମାତ୍ର ଗତ ମେ ମାସରୁ ଭତ୍ତା ଟଙ୍କା ଆଉ ଆସୁନାହିଁ ବୋଲି ଅଭିଯୋଗ କରିଛନ୍ତି। ତେଣୁ ଜିଲ୍ଲା ପ୍ରଶାସନ ସ୍ଵତନ୍ତ୍ର ଭାବରେ ତଦନ୍ତ କଲେ ଏହି ପଞ୍ଚାୟତରେ ମୌଳିକ ଅଧିକାରରୁ ବଞ୍ଚିତ ରହୁଥିବା ଅନେକ ହିତାଧିକାରୀ ଉପକୃତ ହୋଇପାରିବେ ବୋଲି ଜନସାଧାରଣରେ ଦାବି ହେଉଛି।
ବିନିକାରୁ ପରକ୍ଷିତ ବାଘଙ୍କ ରିପୋର୍ଟ (ସମର୍ଥ ନ୍ୟୁଜ୍)




