ନବରାତ୍ରୀ ପୂଜାର ଆଜି ୭ମ ଦିନ। ଏହି ଦିନ ମା’ ଭକ୍ତ ମାନଙ୍କ ନିକଟରେ କାଳରାତ୍ରୀ ରୂପରେ ପୂଜା ଗ୍ରହଣ କରିବେ

#ମାକାଳରାତ୍ରୀ*

*ଏକବେଣୀଜପାକର୍ଣପୁରାନଗ୍ନା ଖରାସ୍ଥିତା ।
ଲମ୍ବୋଷ୍ଠୀକର୍ଣିକାକର୍ଣୀତୈଲାଭ୍ୟଙ୍ଗଶରୀରିଣୀ ॥*
ବାମପାଦୋଲ୍ଲସଲ୍ଲୋହଲତାକଣ୍ଟକଭୂଷଣା ।
ବର୍ଧନ୍ମୂର୍ଧଧ୍ୱଜା କୃଷ୍ଣା କାଲରାତ୍ରିର୍ଭୟଙ୍କରୀ ॥*
#ନବରାତ୍ରୀ ପୂଜାର ଆଜି ୭ମ ଦିନ। ଏହି ଦିନ ମା’ ଭକ୍ତ ମାନଙ୍କ ନିକଟରେ କାଳରାତ୍ରୀ ରୂପରେ ପୂଜା ଗ୍ରହଣ କରିବେ। ମା କାଳରାତ୍ରୀ ନିଜର ସମସ୍ତ ଭକ୍ତଙ୍କୁ ଅଭୟ ବରଦାନ ଦେବା ସହ ଗ୍ରହଦୋଷ ଦୂର କରିଥାନ୍ତି । ଏଥିସହିତ ଅକାଳମୃତ୍ୟୁରୁ ମଧ୍ୟ ଆଶ୍ରିତ ମାନଙ୍କୁ ରକ୍ଷା କରିଥାନ୍ତି । ଅଜଣା ଭୟ, ଶତ୍ରୁ ଭୟ ଓ ମାନସିକ କଷ୍ଟ ଦୂର କରି ଅଭୟ ପ୍ରଦାନ କରିଥାନ୍ତି।
ଚାଲିଛି ମା’ ଜଗତଜନନୀଙ୍କ ନବରାତ୍ରୀ ପୂଜା । ଏହି ନବରାତ୍ର ପୂଜାରେ ମହାସପ୍ତମୀ ଦିନ ଅସୁରଙ୍କ ସଂହାର କରିବା ପାଇଁ ମା’ ଉଗ୍ର ରୂପ ଧାରଣ କରିଥିଲେ । ମାନ୍ୟତା ରହିଛି ସପ୍ତମୀ ତିଥିରେ ମା’ଙ୍କୁ ବିଧିବିଧାନ ଓ ଭକ୍ତି ଭାବରେ ପୂଜା କଲେ ମା’ ପ୍ରସନ୍ନ ହୋଇଥାନ୍ତି ଓ ଭକ୍ତଙ୍କୁ ଆର୍ଶୀବାଦ ଦେଇଥାନ୍ତି । ଏଥିପାଇଁ ମା’ ଶୁଭଙ୍କରୀ ନାମରେ ମଧ୍ୟ ଜଗତରେ ପରିଚିତ । ବିଶେଷ କରି ମା’ ଙ୍କ ଏହିପୂଜା ରାତ୍ରି କାଳରେ ସମ୍ପର୍ଣ୍ଣ ହୋଇ ଥାଏ।
ଦେବୀ ଭାଗବତ ପୁରାଣ ଆଧାରରେ, ମା କାଳରାତ୍ରୀ ଅଭୟ ବରଦାୟିନୀ । ମା’ କାଳରାତ୍ରୀ କାଳୀ, ମହାକାଳୀ, ଭଦ୍ରକାଳୀ, ଭୈରବୀ, ରୁଦ୍ରାଣୀ , ଚଣ୍ଡି, ରୌଦ୍ରୀ ଓ ଧୁମୋରଣା, ଚାମୁଣ୍ଡା ଆଦି ନାମରେ ବିଦିତ । ଦେବୀ କାଳରାତ୍ରୀଙ୍କ ଶରୀର ଅନ୍ଧାର ପରି କଳା ବର୍ଣ୍ଣ , ମୁକ୍ତକେଶୀ, ବେକରେ ବିଜୁଳି ପରି ଯାଜୁଲ୍ୟମାନ କରୁଥିବା ମାଳ । ମୁଖରେ କ୍ରୋଧର ଭାବ । ମା’ ଗଧ ଉପରେ ବିରାଜିତ । ମା’ଙ୍କ ଡାହାଣ ହସ୍ତ ସର୍ବଦା ଉପରକୁ ଉଠିଥାଏ ଯାହାର ଅର୍ଥ ସମସ୍ତଙ୍କୁ ଆର୍ଶୀବାଦ ଦେଇଥାନ୍ତି। ଡାହାଣ ପାଶ୍ବର ନିମ୍ନ ହସ୍ତ ଅଭୟ ମୁଦ୍ରାରେ ରହିଥାଏ ଓ ବାମ ପାଶ୍ବର ଦୁଇ ହସ୍ତରେ ଅସ୍ତ୍ର ଧରିଥାନ୍ତି । ମା’ ତ୍ରି ନୟନା।
ପୌରାଣିକ କଥାବସ୍ତୁ ଆଧାରରେ , ଶୁମ୍ଭ-ନିଶୁମ୍ଭ ଓ ରକ୍ତବୀଜର ସଂହାର ପାଇଁ ମା ପାର୍ବତୀ ଦୁର୍ଗାଙ୍କ ରୂପ ଧାରଣା କରିଥିଲେ । ଦୁର୍ଗାଙ୍କ ରୂପରେ ଶୁମ୍ଭ-ନିଶୁମ୍ଭ ଦୁଇ ରାକ୍ଷାସଙ୍କୁ ବଧ କରିଥିଲେ । କିନ୍ତୁ ରକ୍ତବୀଜକୁ ବଧ କଲାବେଳେ ତା’ ଶରୀରରୁ ପଡୁଥିବା ରକ୍ତ ଧରାପୃଷ୍ଠରେ ପଡି ଲକ୍ଷ ଲକ୍ଷ ରକ୍ତବୀଜ ଜନ୍ମନେଲେ । ସେତେବେଳେ ମା’ ଦୁର୍ଗା କାଳରାତ୍ରୀ ସ୍ବରୂପରେ ଆର୍ବିଭାବ ହୋଇ ରକ୍ତବୀଜ କୁ ବଧ କରି ତା’ ର ରକ୍ତପାନ କରିଥିଲେ। ଏବଂ ଏ ସୃଷ୍ଟିକୁ ରକ୍ଷା କରିଥିଲେ ।
ସପ୍ତମୀ ଦିନରପୂଜା ପଦ୍ଧତି : ଆବାହନ ହୋଇଥିବା କଳସ ପୂଜା ପରେ ମାଆଙ୍କ ମହାସପ୍ତମୀ ପୂଜା ଆରମ୍ଭ ହୋଇଥାଏ। ଧୂପ, ଦୀପ , ଅକ୍ଷତ, ଫଳ, ଫୁଲ ଇତ୍ୟାଦି ସହିତ ମାଆ ଙ୍କୁ ଆବାହନ କରାଯାଇଥାଏ। ଏହାପରେ ଷୋଡ଼ଶ ଉପଚାର ବିଧିରେ ମାଙ୍କ ପୂଜା ସମ୍ପର୍ଣ୍ଣ ହୋଇଥାଏ। ଅନେକ ସ୍ଥାନରେ ଦେବୀଙ୍କ ସହଚରି ଛାୟା ମାୟା ଙ୍କ ଉଦେଶ୍ୟ ରେ ପ୍ରତୀକାତ୍ମକ ବଳି ଉତ୍ସର୍ଗ କରାଯାଏ। ଏହାପରେ ମହାସ୍ନାନ କରାଯାଇ ଦେବୀଙ୍କ ଅତିପ୍ରିୟ ଲାଲ ଫୁଲ ମନ୍ଦାର କିମ୍ବା ଗୋଲାପ ଫୁଲ ଅର୍ପଣ କରାଯାଏ। ଏହାଦ୍ୱାରା ଦେବୀ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି। ପୂଜା ଶେଷରେ ମାତାଙ୍କୁ ଗୁଡ଼ର ଭୋଗ ଲଗାଯିବାର ବିଧାନ ରହିଛି। ଏହାପରେ ଗୂଡ଼ ପ୍ରସ୍ତୁତ ପ୍ରସାଦ କୁ ବ୍ରାହ୍ମଣଙ୍କୁ ଦାନ କଲାପରେ ଅନ୍ୟମାନେ ପ୍ରସାଦ ଗ୍ରହଣ କରିବା ବିଧେୟ।
ପୂଜା ସମୟରେ ଭକ୍ତି ବିନମ୍ର ଚିତ୍ତରେ ମାଆ ଙ୍କୁ ପ୍ରାର୍ଥନା କରାଯାଏ :
*ନମୋ ଦେବୀ ଦୁର୍ଗେ ଶିବେ ଭୀମନାଦେ ,
ସରସ୍ବତ୍ୟରନ୍ଧୁତ୍ୟମୋଘ ସ୍ବରୂପେ ।
ବିଭୂତି ଶଚୀ କାଳରାତ୍ରୀ ସତୀ ତ୍ବଂ ,
ନମସ୍ତେ ଜଗତ୍ତାରିଣୀ ତ୍ରାହି ଦୁର୍ଗେ ।।*
ମା’ଙ୍କ ଏହି ସ୍ବରୂପର ପୂଜା କଲେ ସମସ୍ତ ରିଦ୍ଧି-ସିଦ୍ଧି ପ୍ରାପ୍ତ ହୋଇଥାଏ । ଜଗତର କଲ୍ୟାଣ ପାଇଁ ଆମେ ସେଇ ଦେବୀଙ୍କ ଚରଣରେ ପ୍ରାର୍ଥନା କରୁଛୁ
“ଯା ଦେବୀ ସର୍ବଭୁତେଷୁ ମା’ କାଳରାତ୍ରୀ ରୂପେଣ ସଂସ୍ଥିତା । ନମତସ୍ମୈ ନମତସ୍ମୈ ନମତସ୍ମୈ ନମୋ ନମଃ ।।”
#ଭଗବତକଥା
ଓଁ ନମୋ ଭଗବତେ ବାସୁଦେବାୟ




