LIVE TV

ବିଦ୍ୟୁତ ଟ୍ରାନ୍ସଫର୍ମର ପୁନଃସ୍ଥାପନ ଦାବିରେ ମହିଳାଙ୍କ ରସ୍ତାରୋକ: ବିଭାଗୀୟ ପ୍ରତିଶୃତି ପରେ ହଟିଲା 

କନ୍ଧମାଳ:(ସମର୍ଥ ନ୍ୟୁଜ):ବିଦ୍ୟୁତ ଟ୍ରାନ୍ସଫର୍ମର ସ୍ଥାପନ ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ମହିଳା । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତ ଗୁରୁପଡା ଗାଁରେ ଏଭଳି ଘଟଣା ଘଟିଛି। ସୂଚନାଯୋଗ୍ୟ, ଗୁରୁପଡା ଗାଁ ବରସାହିରେ ବିଦ୍ୟୁତ୍ ବିଭାଗ ତରଫରୁ ଲଗାଯାଇଥ‌ିବା ବିଦ୍ୟୁତ ଟ୍ରାନ୍ସଫର୍ମର ଦୀର୍ଘ ଦେଢ଼ ବର୍ଷ ହେବ ପୋଡି ଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ନୂତନ ଟ୍ରାନ୍ସଫର୍ମର ବିଭାଗ ପକ୍ଷରୁ ଲଗାଯାଇ ନାହିଁ । ଏହି ଗାଁର ପ୍ରାୟ ୪୨ଟି ପରିବାର ଦେଢ଼ ବର୍ଷ ହେଲା ଅନ୍ଧାରରେ ରହି ଆସୁଛନ୍ତି । ବାଧ୍ୟ ହୋଇ ସକାଳ ୭ ଟାରୁ ଗୁରୁପଡା ବରସାହି ର ଶତାଧିକ ମହିଳା ଫିରିଙ୍ଗିଆ ମାଶ୍ରିପଡ଼ା ନୂଆପଦର ମୁଖ୍ୟ ରାସ୍ତା ଗୁରୁପଡା ଛକ ଠାରେ ଟାୟାର ଜାଳି ରାସ୍ତା ଅବରୋଧ କରି ଆନ୍ଦୋଳନ କରିଥିଲେ । ଯାହା ଫଳରେ ସକାଳ ୭ ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଏହି ରାସ୍ତାରେ ଗାଡି ମଟର ଚଳାଚଳ ଓ ଯାତାୟତ ଠପ ହୋଇଯାଇଥିଲା । ଟ୍ରାନ୍ସଫର୍ମର ନଲାଗିବା ଯାଏ ରାସ୍ତାରୋକ ହଟିବ ନାହିଁ ବୋଲି ମହିଳାମାନେ ଅଡି ବସିଥିଲେ । ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ, ବିଦ୍ୟୁତ ବିଭାଗ ଜେ. ଇ. ସତ୍ୟବ୍ରତ ସାହୁ, ବିଦ୍ୟୁତ ବିଭାଗ ସୁପରଭାଇଜର ସୁଶାନ୍ତ କୁମାର ପ୍ରଧାନ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀ ଙ୍କ ସହ କଥାବାର୍ତ୍ତା ପରେ ଅଧିକାରୀ ମାନେ କହିଥିଲେ ଯେ, ଏହି ଅଞ୍ଚଳରେ ଥିବା ବିଦ୍ୟୁତ ବକେୟା ଦେୟ ସମସ୍ତେ ଅଧାଅଧି ପରିଶୋଧ କଲାପରେ ନିଶ୍ଚୟ ନୂଆ ବିଦ୍ୟୁତ ଟ୍ରାନ୍ସଫରମର ବସାଯିବ ବୋଲି ପ୍ରତିଶୃତି ଦେବାରୁ ଅପରାହ୍ନ ୫ ଟାରେ ରାସ୍ତାରୋକ ହଟିଥିଲା l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ସମର୍ଥ ନ୍ୟୁଜ ଓଡିଶା

Related Articles

Back to top button