LIVE TV

କନ୍ଧମାଳରେ ବିକାଶର ବାର୍ତ୍ତା : ଛାତ୍ର ଛାତ୍ରୀ ମାନେ ବିଲ ନାଳ ଡେଇଁ ବିଦ୍ୟାଳୟ ଯାଉଛନ୍ତି 

କନ୍ଧମାଳ,(ସମର୍ଥ ନ୍ୟୁଜ): ସବୁ ବେଳେ ବିକାଶ କଥା କୁହାଯାଉଛି। ହେଲେ ବିକାଶ କିଭଳି ଅପହଞ୍ଚ ତାହାର ନମୁନା କନ୍ଧମାଳ ଜିଲା ଖଜୁରିପଡା ବ୍ଲକରେ ଦେଖିବାକୁ ମିଳିଛି। ଏହି ବ୍ଲକର ଆଡାସିପଡା ପଞ୍ଚାୟତ ଗବାସରୁ ଗ୍ରାମର କାମ୍ବାନେଡା ସାହିର ଛାତ୍ରୀଛାତ୍ର ମାନେ କିଭଳି ଦୟନୀୟ ଭାବେ ଦୈନିକ ବିଦ୍ୟାଳୟକୁ ପଢ଼ିବାକୁ ଯାଉଛନ୍ତି, ତାହା ବିକାଶର ବାର୍ତ୍ତା ଦେଉଛି। ଏହି ଗ୍ରାମରେ ରାସ୍ତା ନ ଥିବାରୁ ବିଲମାଳ ଓ ନାଳ ଡେଇଁ ପିଲାମାନେ ବିଦ୍ୟାଳୟକୁ ଯାଉଛନ୍ତି। ଆଡାସିପଡା ପଞ୍ଚାୟତ ଅନ୍ତର୍ଗତ ୮ ନଂ ୱାର୍ଡ଼ ଗବାସରୁ ଗ୍ରାମ ରହିଛି। ଗବାସରୁ, କାମ୍ବାନେଡା, ଶାଶୁବହୁ ବନ୍ଧ ଅଞ୍ଚଳର ପିଲାମାନେ ଗବାସରୁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପଢ଼ନ୍ତି। ପୂର୍ବରୁ ଶାଶୁବହୁ ବନ୍ଧରେ ଗୋଟିଏ ବିଦ୍ୟାଳୟ ଥିଲା। ପିଲା ସଂଖ୍ୟା କମ୍‌ ହୋଇ ଯିବାରୁ ସେହି ବିଦ୍ୟାଳୟକୁ ଗବାସରୁ ସ୍କୁଲ ସହିତ ମିଶ୍ରଣ କରାଯାଇଛି। ଫଳରେ ପିଲାମାନେ ଏବେ ୨ କିଲୋମିଟର ବାଟ ପାହାଡ଼, ନାଳ ପାରି ହୋଇ ଶିକ୍ଷା ଗ୍ରହଣ କରିବା ପାଇଁ ବିଦ୍ୟାଳୟକୁ ଯାଉଛନ୍ତି। କାମ୍ବାନେଡାର ପିଲାମାନେ ଗବାସରୁ ସାହି ଦେଇ ଗଲେ ବାଟରେ ଗୋଟିଏ ପୋଲ ପଡୁଛି। ଯାହାର ଦୁଇ ପାର୍ଶ୍ଵ ଭାଙ୍ଗି ଯାଇଛି। ଅସାବଧାନତା ବଶତଃ କେତେବେଳେ ପୋଲ ତଳକୁ ପିଲାମାନେ ଖସି ଯିବାର ଆଶଙ୍କା ଅଧିକ ରହିଛି । ପିଲାମାନେ ରାସ୍ତା ନ ଥିବାରୁ ବିଲ, ନାଳ ଡେଇଁ ବିଦ୍ୟାଳୟକୁ ଶିକ୍ଷା ଗ୍ରହଣ କରିବାକୁ ଯାଉଛନ୍ତି। ତେଣୁ ଏହି ଅସୁବିଧା ବିଷୟରେ ବ୍ଲକ ପ୍ରଶାସନ, ପଞ୍ଚାୟତକୁ କୁହାଯାଇଥିଲେ ମଧ୍ୟ କୌଣସି ସମସ୍ୟା ସମାଧାନ ହୋଇ ପାରିନାହିଁ । ବ୍ଲକ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ଭାଙ୍ଗି ଯାଇଥିବା ପୋଲକୁ ପୁନଃ ନିର୍ମାଣ କରିବା ସହିତ ଚେକ୍‌ ଡ୍ୟାମ ଥିବା ସ୍ଥାନରେ ଏକ ବ୍ରିଜ ନିର୍ମାଣ ଯଥାଶୀଘ୍ର କରିବାକୁ କାମ୍ବାନେଡା ସାହିର ପ୍ରମୋଦ ପ୍ରଧାନ, ସଞ୍ଜୀବ ପ୍ରଧାନ, ନିଲାମ୍ବର ପ୍ରଧାନ, ପୂର୍ଣ୍ଣାନନ୍ଦ ପ୍ରଧାନ, ରଞ୍ଜନ ପ୍ରଧାନ, ସ୍ବଂୟ ସହାୟିକା ଗୋଷ୍ଠୀ ସଦସ୍ୟମାନେ ଦାବି କରିଛନ୍ତି।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ସମର୍ଥ ନ୍ୟୁଜ ଓଡିଶା

Related Articles

Back to top button