ବିଳାସପୁର ନିକଟସ୍ଥ ମେହେରୁଣି ପୋଲ ନିକଟରେ ଡକାୟତି

କଣ୍ଟମାନ, ୧୨|୧୦ (ପ୍ରଭାତ କୁମାର ସାହୁ) : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ମନମୁଣ୍ଡା -ଶଗଡା ରାସ୍ତାର ମେହେରୁଣି ପୋଲ ନିକଟରେ ଜଣେ ବାଇକ୍ ଆରୋହୀଙ୍କୁ ଦୁବୁର୍ତ୍ତମାନେ ଡକାୟତି କରିଥିବା ଜଣାପଡ଼ିଛି | ସୂଚନା ଅନୁସାରେ ବିଳାସପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅଶ୍ଵିନିବିର ଗ୍ରାମର ରାଜୀବ ଲୋଚନ କର୍ମୀ ନିଜ ଭାଇ ଗୌରାଙ୍ଗଙ୍କ ସହ କୌଣସି କାମରେ ଯାଇ ବୁଧବାର ବିଳମ୍ବିତ ରାତିରେ ବାଇକ୍ ଯୋଗେ ନିଜ ଗ୍ରାମକୁ ଫେରୁଥିଲେ | ଗୁଡ଼ଭେଲିପଦର ମେହେରୁଣି ପୋଲ ନିକଟରେ କିଛି ଦୁବୃର୍ତ୍ତ ମାରଣାସ୍ତ୍ର ଦେଖାଇ ଭୟଭୀତ କରି ଉଭୟଙ୍କୁ ଅଟକାଇ ଥିଲେ | ଦୁର୍ବୃତ୍ତମାନେ ରାଜୀବଙ୍କ ନିକଟରୁ ୨ହଜାର ଟଙ୍କା ନେବା ସହ ମାରପିଟ୍ କରିବାକୁ ଉଦ୍ୟମ କରିଥିଲେ | ଭୟରେ ଉଭୟ ବାଇକ୍ ଛାଡ଼ି ଦୌଡ଼ି ବୁକୁରାମୁଣ୍ଡା ଗ୍ରାମ ପଟକୁ ପଳାଇବା ସହ ଦୁର୍ବୃତ୍ତମାନେ ବାଇକ ଧରି ପଳାଇ ଥିଲେ | ପରେ ରାଜୀବ ଫୋନ୍ ଯୋଗେ ପୋଲିସକୁ ଖବର ଦେଇଥିଲେ | ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ଦୁର୍ବୃତ୍ତମାନେ ଘଟଣା ସ୍ଥଳରୁ ଫେରାର ମାରିଥିଲେ | ଆଜି ସକାଳୁ ବାଇକ୍କୁ ପୋଲ ନିକଟରୁ ଉଦ୍ଧାର କରିଥିବା ବେଳେ ରାଜୀବ ମନମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି | ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି | ସୂଚନା ଥାଉ କି ଉକ୍ତ ମେହେରୁଣି ପୋଲ ନିକଟରେ ବାରମ୍ବାର ଘଟୁଥିବା ଡକାୟତି, ଲୁଟ, ରାହାଜାନୀ, ହତ୍ୟା ସହ ଅନେକ ଅପରାଧିକ କାର୍ଯ୍ୟକଳାପକୁ ନେଇ ଅଞ୍ଚଳବାସୀ ଅତିଷ୍ଠ ହୋଇ ପଡିଥିବା ବେଳେ ପୋଲିସ ପକ୍ଷରୁ ରାତ୍ରୀକାଳୀନ ପେଟ୍ରୋଲିଙ୍ଗ ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି | ଦୁର୍ବୃତ୍ତ ମାନେ ସ୍ଥାନୀୟ ଅଞ୍ଚଳର ବୋଲି ସାଧାରଣରେ ଚର୍ଚ୍ଚା ହେଉଛି |
କଣ୍ଟାମାଳରୁ ବ୍ଳକ ପ୍ରତିନିଧି ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ ଓଡ଼ିଶା