ଘଣ୍ଟାପଡ଼ା ହାଇସ୍କୁଲରେ ବୌଦ୍ଧ ଜିଲ୍ଲା ପୋଲିସ ତରଫରୁ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ।


କଣ୍ଟମାଳ, ତା.୧୧/୧୦ (ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା ପୋଲିସ ତରଫରୁ ଗତ ୨ ତାରିଖ ଗାନ୍ଧି ଜୟନ୍ତୀରୁ ଏସ୍.ଆଇ. ତୁଳାରାମ ମହାନନ୍ଦ ଓ ଏସ୍.ଆଇ. ସସ୍ମିତା ମଗରଙ୍କ ତତ୍ତ୍ଵାବଧାନରେ ଚାଲିଥିବା ସାଇବର ସୁରକ୍ଷା ଅଭିଯାନର ରଥ ଦଶମ ଦିନରେ କଣ୍ଟାମାଳ ବ୍ଳକର ଘଣ୍ଟାପଡ଼ାରେ ପହଞ୍ଚିଛି। ଘଣ୍ଟାପଡ଼ା ସମଲେଶ୍ଵରୀ ସରକାରୀ ଉଚ୍ଚବିଦ୍ୟାଳୟରେ ପହଞ୍ଚି ପରେ ସେଠାରେ ଛାତ୍ରଛାତ୍ରୀ ଜୋରଦାର ସ୍ୱାଗତ କରି ସାଇବର ରଥ ସହ ସାଇବର ଟିମକୁ ଭବ୍ୟ ସମ୍ବର୍ଦ୍ଧନା କରାଯାଇଥିଲା।ପରେ ବିଦ୍ୟାଳୟ ପରିସରରେ ଏକ ସଚେତନା ସଭା ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଥାନା ଏସ୍.ଆଇ. ବିଶ୍ଵାମିତ୍ର ଲୋଇଙ୍କ ସଭାପତିତ୍ଵରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପିତବାସ ପଣ୍ଡା ମୁଖ୍ୟଅତିଥି ଓ ସମ୍ମାନୀତ ଅତିଥି ଭାବେ ସହକାରୀ ଶିକ୍ଷକ ସନ୍ତୋଷ ସାହୁ ଯୋଗଦେଇ ସାଇବର ଠକେଇରୁ ଦୁରେଇ ରହିବାକୁ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଥିଲେ। ସାଇବର ଟିମର ସଦସ୍ୟା ଏସଆଇ ତୁଳାରାମ ମହାନନ୍ଦ ଯୋଗ ଦେଇ ସାଇବର କ୍ରାଇମ ଓ ତାର ପ୍ରତିକାର ଉପରେ ବକ୍ତବ୍ୟ ରଖିଥିଲେ। ଶେଷରେ ସାଇବର ଟିମ ତରଫରୁ ନାଚଗୀତ ମାଧ୍ୟମରେ ସଚେତନ କରାଯାଇଥିଲା ଓ ପରେ ଛାତ୍ରଛାତ୍ରୀଙ୍କୁ ନେଇ କୁଇଜ,ଚିତ୍ରାଙ୍କନ ଆଦି କାର୍ଯ୍ୟକ୍ରମରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ଖୁଣ୍ଟିଗୋରା ହାଇସ୍କୁଲରେ ମଧ୍ୟ ସ୍ଥାନୀୟ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଗୋବିନ୍ଦ ସାହୁ ମୁଖ୍ୟଅତିଥି ଓ ପୂର୍ବ ସିଆରସିସି ଦେବାନନ୍ଦ ବେହେରା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସାଇବର ସୁରକ୍ଷା ଉପରେ ବକ୍ତବ୍ୟ ରଖିଥିଲେ। ଏଠାରେ ମଧ୍ୟ ଏସଆଇ ଶ୍ରୀମହାନନ୍ଦଙ୍କ ତତ୍ତ୍ଵାବଧାନରେ ତଥା ବୌଦ୍ଧ ଜିଲ୍ଲା ପୋଲିସ ସାଇବର ଟିମ ସଂଯୋଜନାରେ ସଚେତନତା କାର୍ଯ୍ୟ ହୋଇଥିଲା ଓ ପୂର୍ବ କାର୍ଯ୍ୟ ଭଳି ଏଠାରେ ମଧ୍ୟ ନାଚଗୀତ ମାଧ୍ୟମରେ ସଚେତନ କରାଯାଇଥିଲା ଏବଂ କୁଇଜ ପ୍ରତିଯୋଗୀତାରେ କୃତି ଛାତ୍ର ଛାତ୍ରୀଙ୍କୁ ମେଡାଲ ସହ ମାନପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଘଣ୍ଟାପଡ଼ା ପୋଲିସ ଟିମ୍ ସହ ସମସ୍ତ ଶିକ୍ଷକ ଉପସ୍ଥିତ ରହି ସହଯୋଗ କରିଥିଲେ।
କଣ୍ଟାମାଳରୁ ବ୍ଳକ ପ୍ରତିନିଧି ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




