ଭିନ୍ନକ୍ଷମ ଜୟଦେବକୁ ସରକାରୀ ସହାୟତା ପାଇଁ ବୌଦ୍ଧଜିଲ୍ଲାପାଳଙ୍କୁ ଗୁହାରି,


କଣ୍ଟାମାଳ, ତା ୧୦|୧୦ (ପ୍ରଭାତ କୁମାର ସାହୁ ) : ସରକାର ଗରିବ, ନିରୀହ, ଅସହାୟ ଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ଅନେକ ଯୋଜନା କରିଛନ୍ତି | ହେଲେ ଆଜି ବି ଅନେକ ଅସହାୟ ଲୋକ ସରକାରୀ ସୁବିଧାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳିଛି | ସରକାରଙ୍କ ଯୋଜନାର ସୁଫଳ ପାଇବାରୁ ଲୋକେ ବଞ୍ଚିତ ହେଉଛନ୍ତି | ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘିକୁଣ୍ଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଆମ୍ବଗହଣା ଗ୍ରାମର ହେମନ୍ତ ଗରିଆଙ୍କ ପୁଅ ଜୟଦେବ ଗରିଆ (୬) | ଜୟଦେବ ଜନ୍ମରୁ ଅଣ୍ଟା ଠିକ୍ ନ ଥିବା ବେଳେ ଆଦୌ ଚାଲି ପାରୁ ନାହାନ୍ତି | ପୁଅ ଜନ୍ମ ହେବା ପରେ ମାଆ ବାପା ଖୁସିରେ ବିଭୋର ହୋଇ ଯାଇଥିଲେ | ହେଲେ କିଛି ମାସ ପରେ ତାଙ୍କ ସ୍ବପ୍ନ ସ୍ୱପ୍ନରେ ହିଁ ରହିଗଲା | ପୁଅ ଜୟଦେବ ଅଣ୍ଟା ଓ ଗୋଡ଼ ସମସ୍ୟା ପାଇଁ ଆଦୌ ଠିଆ ହୋଇ ପାରୁ ନ ଥିବା ବେଳେ ଚାଲିବା ସମ୍ଭବ ନୁହେଁ | ଏପରି ପରିସ୍ଥିତିରେ ବାପାମାଆ ଙ୍କ ଦୁଃଖ ଦ୍ଵିଗୁଣିତ ହୋଇ ପଡ଼ିଥିଲା | ପରେ ପରିବାର ଲୋକେ ଜୟଦେବ କୁ ସୋନପୁର୍ ଠାରୁ ଆରମ୍ଭ କରି ବିଭିନ୍ନ ଡାକ୍ତରଖାନା ନେଇ ଚିକିତ୍ସା କରିଛନ୍ତି | ଏପରିକି ଅପରେସନ କରି ପାଖରେ ରଖିଥିବା ସମସ୍ତ ଟଙ୍କା, ସୁନା ଗହଣା ଓ ଜମୀ ବାଡ଼ି ବିକ୍ରି କରି ସାରିଲେଣି ହେଲେ ପୁଅ ଚିକିତ୍ସାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇ ପାରି ନାହିଁ | ଯାହା ଫଳରେ ସର୍ବସ୍ବାନ୍ତ ହୋଇ ବାପାମାଆ ଗତକାଲି କଣ୍ଟାମାଳ ବ୍ଲକ ରେ ହୋଇଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରିଥିଲେ | ହେଲେ ଭିନ୍ନକ୍ଷମ ପ୍ରମାଣପତ୍ର ମଧ୍ୟ ଥାଇ କୌଣସି ସରକାରୀ ସହାୟତା ମିଳି ନଥିବା ଅଭିଯୋଗ କରିଛନ୍ତି | ଜିଲ୍ଲାପାଳ ନୂତନ ଭାବରେ ଭିନ୍ନକ୍ଷମ ପ୍ରମାଣପତ୍ର ଆବେଦନ କରିବା ସହ ଜୟଦେବ ର ଚିକିତ୍ସା ପାଇଁ ଆବଶ୍ୟକୀୟ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିବା ପରିବାର ପକ୍ଷରୁ ଜଣା ପଡ଼ିଛି | ଭିନ୍ନକ୍ଷମ ଜୟଦେବକୁ ମାଗଣା ଚିକିତ୍ସା ଯୋଗାଇ ଦେବା ସହ ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇ ଦେବାକୁ ବାପାମାଆ ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଛନ୍ତି |
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




