ଭୁବନେଶ୍ୱର-ଉତ୍କେଲା ବିମାନ ଭଡ଼ା, ଏଣିକି ଟିକେଟ୍ ପାଇଁ ଗଣିବାକୁ ପଡିବ ୨୮୪୬ ଟଙ୍କା ତିନିଗୁଣା ବଢ଼ିଲା ଭୁବନେଶ୍ୱର-ଉତ୍କେଲା ବିମାନ ଭଡ଼ା, ଏଣିକି ଟିକେଟ୍ ପାଇଁ ଗଣିବାକୁ ପଡିବ ୨୮୪୬ ଟଙ୍କା


ଭବାନୀପାଟଣା କଳାହାଣ୍ଡି ଜିଲ୍ଲା ଜିଲ୍ଲାବାସୀଙ୍କ ବହୁ ପ୍ରତୀକ୍ଷିତ ସ୍ୱପ୍ନ ଉତ୍କେଲା ଏୟାରଷ୍ଟ୍ରିପ୍କୁ ବିମାନବନ୍ଦରରେ ରୂପାନ୍ତରିତ କଲେ ସରକାର । ଗତ ଅଗଷ୍ଟ ୩୧ ତାରିଖରେ ପ୍ରଥମ କରି ଏହି ବିମାନବନ୍ଦରରୁ ଯାତ୍ରୀବାହୀ ବିମାନ ଚଳାଚଳ ଆରମ୍ଭ ହୋଇଥିଲା । ଯାତ୍ରୀଭଡ଼ା ଜଣ ପ୍ରତି ୯୯୯ ଟଙ୍କା ଧାର୍ଯ୍ୟ କରାଯାଇଥିଲା । ଯାହାର ଜିଏସ୍ଟି ସହ ଭୁବନେଶ୍ୱର-ଉତ୍କେଲା-ଭୁବନେଶ୍ୱର ଫ୍ଲାଇଟ୍ ଟିକଟ୍ ଦାମ ରହିଥିଲା ୧୦୫୦ଟଙ୍କା । ଟିକଟ୍ ମୂଲ୍ୟ କମ୍ ଥିବାରୁ ଜିଲ୍ଲାବାସୀ ଉପକୃତ ହେବେ ବୋଲି ଆଶା କରିଥିଲେ । ମାତ୍ର ଉତ୍କେଲା ବିମାନ ଚାଳାଚଳ ଦାୟିତ୍ୱରେ ଥିବା ଘରୋଇ ସଂସ୍ଥା ‘ଇଣ୍ଡିଆ ୱାନ ଏୟାର’ ଟିକଟ୍ ମୂଲ୍ୟକୁ ଗୋଟିଏ ମାସରେ ତିନିଗୁଣା ବୃଦ୍ଧି କରିଛି । ବର୍ତ୍ତମାନ ଉତ୍କେଲାରୁ ବିମାନରେ ଭୁବନେଶ୍ୱର ଯିବାକୁ ହେଲେ ଟିକଟ ଦାମ ୨୮୪୬ଟଙ୍କା ପଡୁଛି । ଟିକଟ୍ ମୂଲ୍ୟ ୨୭୧୦ଟଙ୍କା ସହ ଜିଏସ୍ଟି ୧୩୬ଟଙ୍କା ଯୋଡ଼ାଯାଇଛି । ମାସକ ମଧ୍ୟରେ ଏଭଳି ଟିକଟ୍ ଦର ବୃଦ୍ଧି କରାଯିବାରୁ ସାଧାରଣରେ ଅସନ୍ତୋଷ କୁହୁଳୁଛି ।
ପ୍ରକାଶ ଯେ, ଗତ ଅଗଷ୍ଟ ୩୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଉପସ୍ଥିତ ରହି ଉତ୍କେଲା ଅଭିମୁଖେ ଆସିବାକୁ ଥିବା ପ୍ରଥମ ବିମାନକୁ ପତାକା ଦେଖାଇ ଆରମ୍ଭ କରିଥିଲେ । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଭାସୀ ଜରିଆରେ ଏହି ନୂତନ ବିମାନ ଚଳାଚଳର ଉଦ୍ଘାଟନ କରିଥିଲେ । ୯ ସିଟ୍ ବିଶିଷ୍ଟ ଇଣ୍ଡିଆ ୱାନ ଏୟାରର ଯାତ୍ରୀବାହୀ ବିମାନ ଉତ୍କେଲା ବିମାନବନ୍ଦରକୁ ଚଳାଚଳ ଆରମ୍ଭ ହୋଇଥିଲା । ବର୍ତ୍ତମାନ ସପ୍ତାହକୁ ଦୁଇଦିନ ମଙ୍ଗଳବାର ଓ ଗୁରୁବାର ଉତ୍କେଲାରୁ ୮ଟା ୫୦ମିନିଟରେ ଫ୍ଲାଇଟ୍ ଛାଡ଼ି ଭୁବନେଶ୍ୱର ବିମାନ ବନ୍ଦରକୁ ୧୦ଟାରେ ପହଞ୍ଚୁଛି ।
ଅପରପକ୍ଷେ, ଆସନ୍ତା ଅକ୍ଟୋବର ୨୬ ଯାଏ ଟିକଟ୍ ବୁକିଂ ସରିସାରିଛି । ସବୁ ଦୃଷ୍ଟିରୁ ଇଣ୍ଡିଆ ୱାନ ଏୟାର ଲାଭନ୍ୱିତ ରହୁଥିବା ବେଳେ ମାତ୍ର ୩୦ ଦିନ ମଧ୍ୟରେ ତିନିଗୁଣା ଟିକଟ୍ ମୂଲ୍ୟ ବୃଦ୍ଧିକୁ ସହଜରେ ଗ୍ରହଣ କରିହେଉ ନାହିଁ । ପ୍ରକାଶ ଥାଉକି, ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ୱରରୁ ଉତ୍କେଲାକୁ ବିମାନ ଚଳାଚଳ କରୁଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଅକ୍ଟୋବର ୧ ତାରିଖରୁ ଏହାକୁ ରାୟପୁର ପର୍ଯ୍ୟନ୍ତ ସଂପ୍ରସାରଣ କରାଯିବ ବୋଲି କୁହାଯାଇଥିଲା। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ



