Orisha

ପାଖେଇ ଆସୁଛି ଶାରଦୀୟ ପାର୍ବଣପୂଜା, କିନ୍ତୁ ପ୍ରସ୍ତୁତି ବୈଠକ ହେଇପାରୁନି 

ତିର୍ତ୍ତୋଲ :- ପ୍ରସିଦ୍ଧ ଶକ୍ତିପୀଠ ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ଶାରଳା ଠାକୁରାଣୀ ଙ୍କର ସାର୍ବଜନୀନ ଶାରଦୀୟ ପାର୍ବଣ ପୂଜା ଆଉ ମାତ୍ର ଦୁଇ ସପ୍ତାହ ପରେ ହେବାକୁ ଯାଉଥିବା ବେଳେ, ଏହି ବ୍ୟୟ ବହୁଳ ଷୋଡଷ ଉପଚାର ପାର୍ବଣ ପୂଜା ନିମନ୍ତେ, ଆଜି ପର୍ଯ୍ୟନ୍ତ ସାରଳା ମନ୍ଦିର ପ୍ରଶାସନ ତରଫରୁ କୌଣସି ପ୍ରସ୍ତୁତି ବୈଠକ କରାଯାଇ ନାହିଁ । ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇ ଏହି ପାର୍ବଣ ପୂଜା ମହାଷ୍ଟମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ। ଏଥିନିମନ୍ତେ ପୁରୋହିତ, ପୁସ୍ତକାଚାର୍ଯ୍ୟ ଙ୍କ ସମେତ ଯଜ୍ଞ ନିମନ୍ତେ ଯାଜ୍ଞିକ ବ୍ରାହ୍ମଣ ମାନଙ୍କୁ ବରଣ କରାଯାଇଥାଏ। ପ୍ରତିବର୍ଷ ସଫା ସୁତୁରା ଓ ରଙ୍ଗକରାଇବା ନାମରେ ହଜାର ହଜାର ଟଙ୍କା ହେରଫେର ବି ଚାଲେ । ଏହି ପୂଜା ନିମନ୍ତେ ଲକ୍ଷାଧିକ ଟଙ୍କାର ବ୍ୟୟ ଅଟକଳ ମଧ୍ୟ କରାଯାଇଥାଏ। ଏଥିରେ ବ୍ୟାପକ ଅନିୟମିତତା ଓ ଜାଲିଆତି ମଧ୍ୟ ହୋଇଥାଏ। ମାତ୍ର ଏସବୁ କଥାକୁ ଦୃଷ୍ଟିରେ ରଖି ମନ୍ଦିରପ୍ରଶାସନ କେବେବି ଏହି ଘୋଟାଲା କୁ ଠିକ୍ ଭାବରେ ତଦାରଖ କରିନଥାଏ। ପ୍ରତିବର୍ଷ ମଣ୍ଡାଭୋଗ ପ୍ରସ୍ତୁତି କ୍ଷେତ୍ର ରେ ଅନିୟମିତତା ଓ ପ୍ରିୟାପ୍ରୀତି ତୋଷଣ ପରିଲକ୍ଷିତ ହୋଇଥାଏ। ମାଆଙ୍କର ଏହି ଦୁର୍ଲଭ ମଣ୍ଡାଭୋଗ ସ୍ଥାନୀୟ ଅଞ୍ଚଳର ଅଧିବାସୀ ଓ ଶ୍ରଦ୍ଧାଳୁ ଭକ୍ତମାନେ ପଇସା ଦେଇ ପାଇ ପାରୁନଥିବା ବେଳେ , ପ୍ରଶାସନ ର କଳା କାରନାମା କୁ ସୁରକ୍ଷା ଦେଉଥିବା ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ରାଜ୍ୟ ପ୍ରଶାସନ ସହିତ ବଡ ବଡ ନେତା ମନ୍ତ୍ରୀ ମାନଙ୍କ ଘରେ ଗାଡ଼ିଭଡ଼ା କରି ମନ୍ଦିର ପ୍ରଶାସନ ପହଞ୍ଚାଇ ଦେଇଥାଏ। ଜଗତସିଂହପୁର ଜିଲ୍ଲାର ଜିଲ୍ଲପାଳ ଦୀର୍ଘ ବର୍ଷ ଧରି ଏକମାତ୍ର ସୋଲଟ୍ରଷ୍ଟି ଭାବେ ଦାୟିତ୍ଵ ବହନ କରୁଥିବା ବେଳେ ବିଭାଗୀୟ ମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ଦେବୋତ୍ତର ବିଭାଗ କମିଶନର ଙ୍କୁ ସାରଳା ମନ୍ଦିର ପାଇଁ ଏକ ଟ୍ରଷ୍ଟବୋର୍ଡ ଗଠନ କରିବା ନିମନ୍ତେ ବାରମ୍ବାର ଦାବୀ ହୋଇ ଆସୁଥିଲେ ମଧ୍ୟ ଏଯାବତ୍ ଏହା କାର୍ଯ୍ୟକାରୀ କରାଯାଇନାହିଁ। ଅପର ପକ୍ଷରେ ଜିଲ୍ଲାର ଆଠ ଗୋଟି ବ୍ଲକ ଦୁଇଟି ପୌର ପରିଷଦ ଓ ବିଶେଷ କରି ପାରାଦୀପ ବନ୍ଦର ର ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ବ୍ୟସ୍ତ ରହୁଥିବାରୁ , ଜିଲ୍ଲାପାଳ ଶାରଳା ମନ୍ଦିରର ପରିଚାଳନା କରିବା କ୍ଷେତ୍ରରେ ଆଦୌ ସମୟ ଦେଇ ପାରୁନାହାନ୍ତି, ଯାହା ଫଳରେ ବାଘ ଘରେ ମିରିଗ ନାଟ ର ଅବସ୍ଥା ସୃଷ୍ଟି ହୋଇଛି । ଏସବୁ ର ସ୍ଥାୟୀ ନିରାକରଣ ପାଇଁ ଏକ ଟ୍ରଷ୍ଟବୋର୍ଡ ଗଠନ ଓ ପୁରାସମୟ ପାଇଁ ଜଣେ ଅଭିଜ୍ଞ ଓ ଏସ ଅଫିସର ଙ୍କୁ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତ କରାଯିବାର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି । ତାହାହେଲେ ବର୍ଷକୁ ପ୍ରାୟ ୧୫/୨୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଆୟ ହେଉଥିବା ଏହି ଶାରଳାମନ୍ଦିରର ଆୟ ବ୍ୟୟ ସମାନ , ସ୍ଥିତି ଶୂନ୍ୟ ର ଦୂରାବସ୍ଥା ନିଶ୍ଚିତଭାବେ ଦୂର ହୋଇ ପାରନ୍ତା । ତେବେ ଦେଖିବାକୁ ବାକି ରହିଲା ଆଉ କେବେ ବସିବ ପ୍ରସ୍ତୁତି ବୈଠକ ଆଉ କେବେ ସୁଧୁରିବ ଏହି ଦୂରାବସ୍ଥା ଓ ଅବ୍ୟବସ୍ଥା ?

 

ଜଗତସିଂହପୁର ରୁ ଭାଗବତ ପ୍ରସାଦ ଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button