Orisha

ବନ୍ୟା କ୍ଷତିଗ୍ରସ୍ତ ବିସ୍ଥାପିତ ପରିବାର ଙ୍କୁ ଜମି ପଟା ପ୍ରଦାନ ସକାଶେ ଜିଲ୍ଲାପାଳ ଓ ମନ୍ତ୍ରୀ ଙ୍କ ଠାରେ ଫେରାଦ।

ବୌଦ୍ଧ-୧୬-୯ ୨୩(ସମର୍ଥ ନ୍ୟୁଜ) ବନ୍ୟାରେ ଘର ଦ୍ବାର, ଆସବାବପତ୍ର ସର୍ବସ୍ବ ହରାଇ କାଙ୍ଗାଳ ହୋଇଯାଇଥିବା  ପରିବାର ପ୍ରଶାସନ ନିର୍ଦ୍ଦେଶ ପ୍ରକାରେ ବିସ୍ଥାପିତ ହୋଇ ଆଜକୁ ୪୦ ବର୍ଷ ହେବ ଅନ୍ୟ ଗ୍ରାମ ସରକାରୀ ପ୍ଲଟ ରେ ବସବାସ କରୁଥିବାବେଳେ ଅଦ୍ୟାବଧି ସେମାନଙ୍କୁ ତହିଁର ପଟା ପ୍ରଦାନ କରାଯାଇ ନ ଥିବା ଅଭିଯୋଗ ହୋଇଛି। ଭିଟାମାଟି ଛାଡ଼ି ଅନ୍ୟତ୍ର ବସବାସ କରୁଥିବାରୁ ନିଜ ନାମ ରେ ଘରବାରି ପଟା ନ ଥିବାରୁ ଉକ୍ତ ପରିବାର ଅନେକ ସରକାରୀ ଯୋଜନାରୁ ବଞ୍ଚିତ ହେଉଥିବା ଯୋଗୁଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଜାଣିବାକୁ ମିଳିଛି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ସଦର ବ୍ଲକ ବହିରା ପଞ୍ଚାୟତ ତେନ୍ତୁଳିପାଲି ଗ୍ରାମରେ। ପ୍ରାପ୍ତ ସୂଚନା ଅନୁଯାୟୀ ମହାନଦୀ କୂଳରେ ବସବାସ କରି ରହିଆସୁଥିବା  ପ୍ରାୟ ୩୫ ପରିବାର ଙ୍କ ଘର,ଦ୍ବାର, ପିଲାଙ୍କ ପାଠ୍ୟ ପୁସ୍ତକ,ଏବଂ ସମସ୍ତ ଆସବାବପତ୍ର ୧୯୮୨ ମସିହାର ପ୍ରଳୟଙ୍କରୀ ବନ୍ୟାରେ ଭସାଇ ନେଇଥିଲା ଓ ସେମାନେ ସର୍ବହରା ହୋଇଯାଇଥିଲେ। ସେମାନଙ୍କ ଦୁଃଖ,ଦୁର୍ଦ୍ଦଶା,ଅବସ୍ଥା ଦେଖି ତଥା ସେମାନଙ୍କ ଭବିଷ୍ୟତ ଜୀବନଯାପନ ଓ ଜୀବିକା କୁ ବିଚାର କରି ତତ୍କାଳୀନ ଜିଲ୍ଲାପାଳ ସେମାନଙ୍କୁ ବହିରା ସ୍ଥିତ ସରକାରୀ ଜାଗାରେ ବସବାସ କରିବାକୁ ନିର୍ଦ୍ଦେଶ ଦେବା ପୂର୍ବକ ଥଇଥାନ କରିଥିଲେ।ଉକ୍ତ ସମସ୍ତ ପରିବାର ବହୁ କଷ୍ଟରେ ଘର ଦ୍ଵାର ନିର୍ମାଣ କରି ସେହିଦିନ ଠାରୁ ବସବାସ କରି ରହିଆସିଛନ୍ତି।ସେମାନଙ୍କ ନାମରେ ଉକ୍ତ ଜାଗାର ପଟା ପାଇଁ ସେମାନେ ସେହି ଦିନ ଠାରୁ ତହସିଲଦାର,ଜିଲ୍ଲାପାଳ ଙ୍କ ଠାରେ ହାରୀ ଗୁହାରି କରି ଆସୁଛନ୍ତି।କିନ୍ତୁ ଅଦ୍ୟାବଧି କେହିହେଲେ ସେମାନଙ୍କ ଦୁଃଖ ବୁଝି ନାହାଁନ୍ତି।ଅନ୍ୟପକ୍ଷରେ ସରକାର ସେଠାରେ ରାସ୍ତା,ନଳକୂଅ,ମନ୍ଦିର ଇତ୍ୟାଦି ନିର୍ମାଣ କରିଦେଇଛନ୍ତି।ଏସବୁ ସତ୍ତ୍ୱେ ମଧ୍ୟ ସରକାର,ପ୍ରଶାସନ ସେମାନଙ୍କ ଅସୁବିଧା କୁ ହୃଦୟଙ୍ଗମ ନ କରିବାରୁ ମାନସିକ ସ୍ତରରେ ସେମାନେ ଭାଙ୍ଗି ପଡ଼ିଥିବା ଜାଣିବାକୁ ମିଳିଛି। ସମସ୍ତ ପ୍ରୟାସ ସତ୍ତ୍ୱେ ସଫଳ ନ ହେବାରୁ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥଙ୍କ ନେତୃତ୍ୱରେ  ବରୁଣ ରଣା,ଚୈତନ୍ୟ ରଣା, ପବିତ୍ର ରଣା, ଜନକ ରଣା,ଦୁଃଶାସନ ରଣା, ପ୍ରମୋଦ ରଣା, ରଞ୍ଜିତ ରଣା ପ୍ରମୁଖ  ସମସ୍ତ ବିସ୍ଥାପିତ ପରିବାର ଶେଷ ଆଶା  ଭରସା ନେଇ ଶନିବାର ପୁନଃ ଜିଲ୍ଲାପାଳ ଏବଂ  ସେମାନଙ୍କ ଲୋକ ପ୍ରତିନିଧି ତଥା ମନ୍ତ୍ରୀ ପ୍ରଦୀପ ଅମାତ ଙ୍କ ଠାରେ ଫେରାଦ ହୋଇଛନ୍ତି।

ବୌଦ୍ଧରୁ ଉମାକାନ୍ତ ମହାକୁଳଙ୍କ ରିପୋର୍ଟ ସମର୍ଥ ନ୍ୟୁଜ।

Related Articles

Back to top button