ବୌଦ୍ଧଜ଼ିଲ୍ଲାରେ ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ l


ବୌଦ୍ଧ,୧୫ା୯ – ହୀରାକୁଦର ଉପର ମୁଣ୍ଡରେ ଭୀଷଣ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଇବା ଫଳରେ ୨୨ ଗୋଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ କରାଯାଉଅଛି । ତେଣୁ ମହାନଦୀର ତଳମୁଣ୍ଡରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ଆଶଙ୍କା ନେଇ ରାଜ୍ୟ ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯିବା ପରେ ବୌଦ୍ଧ ଜିଲା ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଏକ ପ୍ରସ୍ତୁତି ବୈଠକ ଜ଼ିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏହି ବୈଠକରେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସ୍ୱାଇଁ ଜ଼ିଲ୍ଲାରେ ସମସ୍ତ ଅଧିକାରୀମାନଙ୍କୁ ଯେକୌଣସି ଜରୂରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେବା ସହିତ ସ୍ୱୟଂସହାୟକ ଗୋଷ୍ଠୀ,ସ୍ୱେଛାସେବୀ ସଂଗଠନ,ସମସ୍ତ ବର୍ଗର ବ୍ୟକ୍ତିବିଶେଷ ଓ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କ ସହିତ ଯୋଗାଯୋଗ ରଖି ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଜ଼ିଲ୍ଲାରେ ଅଗ୍ନିଶମ ବିଭାଗ,ଓଡ୍ରାଫ ଟିମ୍,୫ ମ ଆଇଆରବି ବାଟାଲିୟନ,ଏନସିସି ଛାତ୍ରଛାତ୍ରୀ, ଯୁବ ରେଡକ୍ରସ ଓ ଯୁବ ସ୍ୱେଛାସେବୀମାନଙ୍କୁ ସାମିଲ କରାଇ ବନ୍ୟା ପିଡିତଙ୍କ ନିକଟରେ ତୁରନ୍ତ ସହାୟତା ପହଞ୍ଚାଇବାକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ଏଥିସହିତ ଜ଼ିଲ୍ଲା ଓ ବ୍ଲକ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯିବା, ବର୍ଷା ଓ ନଦୀର ଜଳସ୍ତର ରେକର୍ଡ କରାଯିବା,ନିରନ୍ତର ବିଦ୍ୟୁତ ସେବା ଯୋଗାଇଦେବା,ପେଟ୍ରୋଲିଂ କରାଯିବା,ଆବଶ୍ୟକସ୍ଥଳେ ତଳି ଅଞ୍ଚଳରେ ରହୁଥିବା ପରିବାରମାନଙ୍କୁ ସୁରକ୍ଷିତ ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବା, ବନ୍ୟା ଆଶ୍ରୟସ୍ଥଳ ଗୁଡିକରେ ଖାଦ୍ୟ,ପାନୀୟଜଳ,ପାଇଖାନା ବ୍ୟବସ୍ଥା କରାଯାଇବା,ଗୃହପାଳିତ ପଶୁମାନଙ୍କ ସୁରକ୍ଷା ଓ ଖାଦ୍ୟ ବ୍ୟବସ୍ଥା,କୂପ ଓ ନଳକୂପମାନଙ୍କରେ ରାସାୟନ ପ୍ରୟୋଗ କରି ବିଶୁଦ୍ଧ ପାନୀୟଜଳ ଯୋଗାଇବା,ସାପ କାମୁଡା ଇଂଜେକସନ ମହଜୁଦ ରଖିବାସହ ସାପ କାମୁଡିଲେ ଗୁଣି ଗାରେଡିର ସାହାଯ୍ୟ ନ ନେଇ ତୁରନ୍ତ ଚିକିତ୍ସାଳୟରେ ପହଞ୍ଚାଇବା ଏବଂ ମା ଓ ଶିଶୁମାନଙ୍କୁ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ବୈଠକରେ ଆଲୋଚନା କରାଯାଇଥିଲ । ଦୁର୍ବଳ ନଦୀବନ୍ଧ,କେନାଲ ଓ ନଦୀଜଳ ପ୍ରବେଶ ଆଶଙ୍କା ଥିବା ସ୍ଥାନମାନଙ୍କରେ ବାଲିବସ୍ତା ପ୍ରସ୍ତୁତ କରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ବୈଠକରେ ସମସ୍ତ ତହସିଲଦାର,ଏନଏସି ନିର୍ବାହୀ ଅଧିକାରୀ,ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ,ଜଳସଂପଦ ବିଭାଗ ନିର୍ବାହୀ ଯନ୍ତ୍ରୀ,ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ




