ଗଛଟିଏ ପୋତ ହସୁ ଧରଣୀ [କବିତା]

[ଗଛଟିଏ ପୋତ ହସୁ ଧରଣୀ ][କବିତା]]
***********
ଶ୍ରାବଣ ଆସିଲେ ବରଷା ଆସେ,
ଝିପିଝିପି ବର୍ଷା ମାଟିରେ ମିଶେ !!
ଘାସ ଲତା ସବୁ କଅଁଳି ଉଠେ,
ସବୁଜିମା କୋଳେ କୁସୁମ ଫୁଟେ !!
ବେଙ୍ଗ ବେଙ୍ଗୁଲିଙ୍କ କୁହାଟ ଶୁଣି,
ଝିଙ୍କାରି ବାପୁଡ଼ା ମାରେ ଫୁଟାଣି !!
ଚଷା ଭାଇ ଚାଷ କରିବା ଆଶେ,
ବଳଦ ଲଙ୍ଗଳ ସଜାଡି ବସେ !!
ଚାଷ କରୁକରୁ ଗାଏ ସେ ଗୀତ,
ବରଷା ବିଜୁଳି ବସନ୍ତି ମିତ !!
ବରଷା ଧରାକୁ ଦିଏ ଜୀବନ,
ମାନବ ମୁଖକୁ ଯୋଗାଏ ଅନ୍ନ !!
ବର୍ଷା ବରଷିଲେ ନଦୀ ଯେ ଫୁଲେ,
ନାନା ରକମର ମୀନ ଆସିଲେ !!
ଆମ ହିତ ଲାଗି ହୁଏ ବରଷା,
ସମସ୍ତ ପ୍ରାଣୀଙ୍କ ଆଶା ଭରଷା !!
ଋତୁ ମଧ୍ୟେ ବର୍ଷା ଶ୍ରେଷ୍ଠ ଅଟଇ,
ସର୍ବ ମୁଖେ ଖୁସୀ ଫୁଲ ଫୁଟଇ !!
ବରଷା ହୁଅଇ ବୃକ୍ଷ ଗହଳେ,
ବୃକ୍ଷ ଲଗେଇବା ଆସରେ ପିଲେ !!
ହାତେ ଧରି ଦାଆ କୋଦାଳ ଫାଳ,
ଗଛ ଲଗାଇବା ଦେଵା ଯେ ବାଡ଼ !!
ଆମରି ଯତ୍ନ ରେ ଗଛ ବଢିବ,
ଋତୁ ଆସିଗଲେ ବର୍ଷା ଝଡିବ !!
ମାଆ ନାମେ ଗଛଟିଏ ଲଗାଅ,
ଧରଣୀ ହେଉ ସବୁଜିମା ମୟ !!
ଆକାଶୁ ଟାଣିବ ବରଷା ପାଣି ,
ଭଲ ବରଷିବ ବରଷାରାଣୀ !!
ବରଷା ରାଣୀ ର ଏହି କାହାଣୀ,
ଗଛଟିଏ ପୋତ ହସୁ ଧରଣୀ !!
***********
କବି -ଭାଗବତ ପ୍ରସାଦ,
ଉପେନ୍ଦ୍ରହେମ ଭବନ,
ତିର୍ତ୍ତୋଲ, ଜଗତସିଂହପୁର.
ମୋ:-୯୧୭୮୩୮୦୩୮୧.





