Politics

କଣ୍ଟାମାଳରେ ବିଜେପି ଓ ବିଜେଡ଼ି ମଧ୍ୟରେ ହେବ ମହାଲଢ଼େଇ।

 

ବୌଦ୍ଧ -( ଚିତ୍ତରଞ୍ଜନ ସିଂହ )-୨୦୨୪ ସାଧାରଣ ନିର୍ବାଚନର ମତଦାନ ପାଇଁ ଆଉ ମାତ୍ର ୬ ଦିନ ଥିବା ବେଳେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ପ୍ରଚାର ମଇଦାନରେ ସମସ୍ତ ଦଳର ବିଧାୟକ ପ୍ରାର୍ଥୀ। ବିଜେଡ଼ି ବିଧାୟକ ପ୍ରାର୍ଥୀ ମହିଧର ରଣା ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଯୋଜନା ବିଷୟରେ କହି ଭୋଟ୍ ଭିକ୍ଷା କରୁଥିବା ବେଳେ ବିଜେପି ପ୍ରାର୍ଥୀ କହ୍ନେଇ ଚରଣ ଡ଼ାଙ୍ଗ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଯୋଜନା ଓ କଣ୍ଟାମାଳ ବିଧାୟକ ମହିଧର ରଣାଙ୍କ ମନମୁଖୀ କାର୍ଯ୍ୟ ବିଷୟରେ କହି ଏଥର ପଦ୍ମ ଚିହ୍ନରେ ଭୋଟ୍ ଦେବା ପାଇଁ କହୁଛନ୍ତି। ସେହିଭଳି କଂଗ୍ରେସ ପ୍ରାର୍ଥୀ ସରୋଜ ପ୍ରଧାନ ମଧ୍ୟ ଲୋକଙ୍କ ନିକଟରେ ପହଞ୍ଚି ଭୋଟ୍ ଭିକ୍ଷା କରୁଛନ୍ତି। ତେବେ ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜୟ ଓ ପରାଜୟକୁ ନେଇ ଲୋକଙ୍କ ମଧ୍ୟରେ ଆରମ୍ଭ ହୋଇଗଲାଣି ଅଙ୍କକଷା। ୨୦୦୯ ମସିହାରୁ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଗଠନ ହେବା ଦିନଠୁ କଣ୍ଟାମାଳ ବିଜେଡ଼ି ଗଡ଼ଥିବା ବେଳେ ୨ ଥର ବିଧାୟକ ହେବା ସହ ତୃତୀୟ ଥର ମଧ୍ୟ ବିଜେଡ଼ି ପ୍ରାର୍ଥୀ ହୋଇଛନ୍ତି ମହିଧର ରଣା। କିନ୍ତୁ ଏଥର ବିଜେଡ଼ି ଗଡ଼ ଭାଙ୍ଗି ବିଜେପି ହାତକୁ କଣ୍ଟାମାଳ ଚାଲିଯିବା ନେଇ ଆଲୋଚନା ହେଉଛି। କାରଣ ମହିଧରଙ୍କ ସହ ହାତଗଣତି କେତୋଟି ଜନ ପ୍ରତିନିଧି ଥିବାବେଳେ ଅନେକ ଜନ ପ୍ରତିନିଧି ତଥା ମହିଧରଙ୍କ ଅଣଦେଖା କାରଣରୁ ଅନେକ ବିଜେଡ଼ି କର୍ମୀ ବିଜେପିରେ ମିଶି ସାରିଛନ୍ତି। ସେହିଭଳି ୧ ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ସୁମିତ୍ରା ସାହୁ ଓ ୩ ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଶଙ୍କର୍ଷଣ ପ୍ରଧାନ ବିଜେଡ଼ି ଦଳରେ ଥିଲେ ମଧ୍ୟ ବିଧାୟକ ପ୍ରାର୍ଥୀଙ୍କ ପ୍ରଚାରରେ ଦେଖାଯାଉନାହିଁ।କେବଳ କନ୍ଧମାଳ ସାଂସଦ ପ୍ରାର୍ଥି ଅଚ୍ୟୁତ ସାମନ୍ତଙ୍କ ପ୍ରଚାର କିମ୍ୱା ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ବବି ଦାସ କିମ୍ବା ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ କାର୍ଯକ୍ରମ ମାନଙ୍କରେ ଦେଖାଯାଉଥିବା ବେଳେ ମହିଧରଙ୍କ କୌଣସି ପ୍ରଚାର କାର୍ଯ୍ୟକ୍ରମରେ ଦେଖାଯାଉ ନାହାନ୍ତି ସତେ ଯେମିତି ଏମାନେ ମଇଦାନରୁ ଉଭାନ ହେଲା ଭଳି ମନେହେଉଛି। ବିଜେଡ଼ି ବିଧାୟକ ମହିଧର ରଣା କେବଳ ଠିକାଦାର ପୋଷା ନୀତି ଆପଣେଇବା ସହ ପୁରୁଖା ବିଜେଡ଼ି ନେତା ଓ କର୍ମୀଙ୍କୁ ଅଣଦେଖା କରୁଥିବାରୁ ଚଳିତ ନିର୍ବାଚନରେ ନୂତନ ବିଜେଡ଼ି ବିଧାୟକ ପ୍ରାର୍ଥୀ ପାଇଁ ବୌଦ୍ଧ ବ୍ଲକ୍ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ (ବବି)ବାରମ୍ବାର ପରିବର୍ତ୍ତନ ସମାବେଶ କରିଥିଲେ କିନ୍ତୁ ଦଳର ସୁପ୍ରିମୋ ପୁଣି ମହିଧରଙ୍କୁ ଟିକେଟ୍ ଦେବାରୁ ବୌଦ୍ଧ ଅଧ୍ୟକ୍ଷ ବବି ରଥ ଓ ତାଙ୍କ ସମର୍ଥକ ଏବଂ ୨୦୧୯ ନିର୍ବାଚନର ସ୍ୱାଧୀନ ପ୍ରାର୍ଥୀ ଶେଷ ମେହେର ବିଜେପିରେ ସାମିଲ୍ ହୋଇଛନ୍ତି। ତେବେ ବିଜେପି ପ୍ରାର୍ଥୀ କହ୍ନେଇ ଚରଣ ଡ଼ାଙ୍ଗଙ୍କ ପ୍ରଚାରରେ ବୌଦ୍ଧ ବ୍ଲକ୍ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ପୂର୍ବତନ ବିଧାୟକ ପ୍ରାର୍ଥୀ ଶେଷ ମେହେର,୨ ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ପଦ୍ମାଳୟା ପ୍ରଧାନ,୪ ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ରାକେଶ ତ୍ରୀପାଠୀଙ୍କ ସମେତ ଅନେକ ସରପଞ୍ଚ, ସମିତିସଭ୍ୟମାନେ ସାମିଲ୍ ହୋଇ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳୁଛି। ଏସବୁକୁ ଦୃଷ୍ଟିରେ ରଖି ଲୋକଙ୍କ ଅଙ୍କକଷା ମଧ୍ୟରେ ବର୍ତ୍ତମାନ ବିଜେପି ଆଗରେ ଥିବା ଆଲୋଚନା ହେଉଛି। ହେଲେ ମଧ୍ୟ ତୃତୀୟ ଥର ବିଜୟୀ ହେବା ପାଇଁ ତୃଣ ମୂଳ ସ୍ତରରୁ ପ୍ରଚାରରେ ଲାଗି ପଡିଛନ୍ତି ବିଜେଡ଼ି ବିଧାୟକ ପ୍ରାର୍ଥୀ ମହିଧର ରଣା।ପ୍ରକୃତରେ ଚଳିତ ବର୍ଷ କାହାର ହେବ କଣ୍ଟାମାଳ, କିଏ ପିନ୍ଧିବ ବିଜୟ ମୁକୁଟ ତାହା ଆସନ୍ତା ଜୁନ୍ ୪ ରେ ଭୋଟ୍ ଗଣତି ଦିନ ହିଁ ଜଣାପଡ଼ିବ।

Related Articles

Back to top button