ନିର୍ବାଚନ ତାରିଖ ଘୋଷଣା ହେବା ପରେ କାଉଣ୍ଟଡାଉନ ଆରମ୍ଭ ସହ ଆରମ୍ଭ ହୋଇଯାଇଛି ପ୍ରଶାସନିକ ପ୍ରସ୍ତୁତି


ଭବାନୀପାଟଣା: ନିର୍ବାଚନ ତାରିଖ ଘୋଷଣା ହେବା ପରେ କାଉଣ୍ଟଡାଉନ ଆରମ୍ଭ ସହ ଆରମ୍ଭ ହୋଇଯାଇଛି ପ୍ରଶାସନିକ ପ୍ରସ୍ତୁତି । ଏନେଇ କଳାହାଣ୍ଡି ଜିଲ୍ଲାରେ ପ୍ରିଜାଇଡିଂ ଅଧିକାରୀ ଏବଂ ପ୍ରଥମ ପୋଲିଂ ଅଧିକାରୀଙ୍କୁ ନେଇ ନିର୍ବାଚନ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଭବାନୀପାଟଣା ଉପଖଣ୍ଡ ଅନ୍ତର୍ଗତ ମା’ ମାଣିକେଶ୍ବରୀ ବିଶ୍ଵବିଦ୍ୟାଳୟର ୭ଟି କକ୍ଷରେ ଏବଂ ସରକାରୀ ମହାବିଦ୍ୟାଳୟର ୭ଟି କକ୍ଷରେ, ଧର୍ମଗଡ ଉପଖଣ୍ଡ ଅନ୍ତର୍ଗତ ସିଟି ସ୍କୁଲ, ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପି ଅନ୍ୱେଷା ରେଡ୍ଡୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ତାଲିମ କାର୍ଯ୍ୟକ୍ରମରେ ଏଏଲଏମଟି ଓ ଡିଏଲଏମଟି ରୂପେ ନିୟୋଜିତ ବିଡିଓ, ତହସିଲଦାର ଓ ଅନ୍ୟ ଅଧିକାରୀ ତାଲିମ ପ୍ରଦାନ କରିଛନ୍ତି ।ପ୍ରିଜାଇଡିଂ ଓ ପୋଲିଂ ଅଧିକାରୀମାନେ କିପରି ବ୍ୟବସ୍ଥିତ ଭାବେ ବୁଥ୍ ପର୍ଯ୍ୟନ୍ତ ଯିବେ, ଇଭିଏମ ଓ ଭିଭିପାଟ ମେସିନର ସଂଯୋଗ ଓ କାର୍ଯ୍ୟକାରିତା, କଣ୍ଟ୍ରୋଲ ୟୁନିଟର ବ୍ୟବହାର, ଭୋଟଦାନ ପ୍ରକ୍ରିୟାକୁ ଶୃଙ୍ଖଳିତ, ସେକ୍ଟର ଅଧିକାରୀଙ୍କୁ ସୂଚନା ଓ ଯୋଗାଯୋଗ ଉପରେ ବିଶେଷ ତାଲିମ ଦିଆଯାଇଛି । ଧର୍ମଗଡ ଉପଖଣ୍ଡରେ ମୋଟ ୧୪୮୨ ଜଣ ଏବଂ ଭବାନୀପାଟଣା ଉପଖଣ୍ଡରେ ମୋଟ ୧୮୫୬ ଜଣ ୧୫, ୧୬ ଏବଂ ୧୭ ତିନି ଦିନ ଧରି ପର୍ଯ୍ୟାୟ କ୍ରମେ ତାଲିମ ନେଇଛନ୍ତି । ଗତକାଲି(ସୋମବାର) ଧର୍ମଗଡ ଉପଖଣ୍ଡରେ ୫୨୨ ଜଣ ଓ ଭବାନୀପାଟଣା ଉପଖଣ୍ଡରେ ୬୯୬ ଜଣ ତାଲିମ ନେଇଛନ୍ତି । ଜିଲ୍ଲାରେ ମୋଟ ୧୪୧୨ଟି ବୁଥରେ ତାଲିମ ନେଉଥିବା କର୍ମଚାରୀ ଭୋଟ ଗ୍ରହଣ ଦିନ ଭୋଟଦାନ ପ୍ରକ୍ରିୟାକୁ ଶୃଙ୍ଖଳିତ ଭାବେ ଦାୟିତ୍ଵ ନିର୍ବାହ କରିବେ । ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ




