ଅଷ୍ଟମ ରାଜ୍ୟ ସ୍ତରୀୟ କଣ୍ଟାମାଳ ଲୋକ ମହୋତ୍ସବ ଉଦଘାଟିତ, ସ୍ଥାନୀୟ କଳାକାରଙ୍କ ଅନ୍ତର୍ନିହିତ ଗୁଣର ବିକାଶ ନିମନ୍ତେ ସ୍ଥାୟୀ ମଞ୍ଚର ଆବଶ୍ୟକତା ରହିଛି-ବ୍ଳକ ଅଧ୍ୟକ୍ଷା ସସ୍ମିତା ସେନାପତି।


କଣ୍ଟାମାଳ, ତା ୨/୨/୨୪(ପ୍ରଭାତ କୁମାର ସାହୁ) ମହୋତ୍ସବ ଦ୍ୱାରା ଅଞ୍ଚଳର ଲୋକ କଳା ଲୋକ ସଂସ୍କୃତି ଉଜ୍ଜୀବିତ ହୋଇଥାଏ । ତେଣୁ କଳାକାରଙ୍କ ବିକାଶ ପାଇଁ ଆମ ଅଞ୍ଚଳରେ ସ୍ଥାୟୀ ମଞ୍ଚର ଆବଶ୍ୟକତା ରହିଛି ବୋଲି ବୌଦ୍ଧ ଜିଲ୍ଲା କଣ୍ଟାମାଳ ଲୋକକଳା ମଣ୍ଡପରେ ଅନୁଷ୍ଠିତ ଅଷ୍ଟମ ରାଜ୍ୟ ସ୍ତରୀୟ କଣ୍ଟାମାଳ ଲୋକ ମହୋତ୍ସବର ଉଦଘାଟନୀ ଉତ୍ସବର ପ୍ରଥମ ସଂଧ୍ୟାରେ କଣ୍ଟାମାଳ ବ୍ଳକର ଅଧକ୍ଷା ଶ୍ରୀମତୀ ସସ୍ମିତା ସେନାପତି ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହା କହିଛନ୍ତି l ଶୁକ୍ରବାର ଦିନ ଆରମ୍ଭ ହୋଇଥିବା ଉକ୍ତ ମହୋତ୍ସବକୁ କନ୍ଧମାଳ ସାଂସଦ ତଥା କିସ ଓ କିଟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟଅତିଥି ଭାବେ ଉପସ୍ଥିତ ରହି ଅନୁଷ୍ଠାନିକଭାବେ ଉଦଘାଟନ କରିଥିଲେ।ପରେ କମିଟି ସଭାପତି ମହେନ୍ଦ୍ର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଶ୍ରୀମତୀ ସେନାପତି , ଓକିଲ ସଙ୍ଘ ସଭାପତି ଦୁତିଆ ଚରଣ ସାହୁ ମୁଖ୍ୟବକ୍ତା, ସ୍ଥପତି ସୁମନ ଷଡ଼ଙ୍ଗୀ, ସରକାରୀ ଓକିଲ ରାଧାବଲ୍ଲଭ ପ୍ରଧାନ, ମିଳିତ ଶିକ୍ଷକ ସଂଘର ସଭାପତି ନୀଳାଞ୍ଚଳ ଭୋଇ, ରାଜ୍ୟ କୁମ୍ଭକାର ସଂଘର ଉପଦେଷ୍ଠା ପ୍ରଶାନ୍ତ ରଣା, ସମାଜସେବୀ ଜାନି ସେନାପତି, ପଞ୍ଚାନନ ସାହୁ, ଶ୍ରୀବନ୍ତ ମିଶ୍ର, ସୂର୍ଯ୍ୟନାରାୟଣ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ସଭାରେ ସମାଜର ବିଭିନ୍ନ ବର୍ଗର ପ୍ରତିଭାଧାରୀଙ୍କୁ ଲୋକକଳା କମିଟୀ ତରଫରୁ ଅତିଥିଙ୍କ ଦ୍ଵାରା ମାନପତ୍ର ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ପରେ ମୁରିବାହାଲ ଜୟ ଦୁର୍ଗା କଳା ପରିଷଦର ଶ୍ରୀକାନ୍ତ ଛତ୍ରିଆଙ୍କ ସମ୍ବଲପୁରୀ ନୃତ୍ୟ, ଖୋର୍ଦ୍ଧାର ନୂପୁର ଡେନ୍ସ ଏକାଡେମୀ, କଳାହାଣ୍ଡି ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ବାଜାଶାଳ, ସ୍ଥାନୀୟ ଅଞ୍ଚଳର କଳାକାର ଏବଂ ମେଲୋଡି ବାଦଶାହ ରୁକୁ ସୁନାଙ୍କ ଟିମ ଦ୍ୱାରା ରଙ୍ଗାରଙ୍ଗ ନୃତ୍ୟଗୀତ ଅନୁଷ୍ଠିତ ହୋଇଥିଲା l ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଦର୍ଶକ ମନଭରି ଉପଭୋଗ କରିଥିଲେ l ମହୋତ୍ସବ ପଡିଆରେ ମୀନାବଜାର, ପଲ୍ଲୀଶ୍ରୀ ମେଳା ଏବଂ ଚୁଟକୁଲା ଖାଦ୍ୟର ମଜାକୁ ଦର୍ଶକଙ୍କ ମନରେ ଉତ୍ସାହ ଆଣିଦେଇଥିଲା।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




