Entertainment

ବୌଦ୍ଧ ମହୋତ୍ସବ ପଲ୍ଲିଶ୍ରୀ ମେଳା ଓ ବୟନିକା ହସ୍ତତନ୍ତ ପ୍ରଦର୍ଶନୀ ତୃତୀୟ ସନ୍ଧ୍ୟା

ହରଭଙ୍ଗା(ଚିତ୍ତରଞ୍ଜନ ସିଂ):- ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ, ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ, ଓରମାସ୍‌ ଓ ବୟନିକାଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ବୌଦ୍ଧ ମହୋତ୍ସବ, ପଲ୍ଲିଶ୍ରୀ ମେଳା ଓ ବୟନିକା ହସ୍ତତନ୍ତ ପ୍ରଦର୍ଶନୀର ଆଜି ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ ଯୋଗଦେଇ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ପଦ୍ମଶ୍ରୀ ଜୀତେନ୍ଦ୍ରୀୟ ହରିପାଲ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, କୁଇ ସଙ୍ଗୀତ କଣ୍ଠଶିଳ୍ପୀ ଜଳନ୍ଧର ବେହେରା ଯୋଗ ଦେଇଥିଲେ। ଏହି ଅବସରରେ ଅତିଥି ମାନେ ନିଜ ବକ୍ତବ୍ୟରେ ମହୋତ୍ସବ ମଞ୍ଚ ଅଞ୍ଚଳର କଳା ସଂସ୍କୃତି ଉଦ୍ଜୀବିତ କରିବା ଏବଂ ନିଜ ନିଜ ମଧ୍ୟରେ ଭାଇଚାରା ତଥା ଏକତା ବଜାୟ ରଖିବାର ମାଧ୍ୟମ ବୋଲି ପ୍ରକାଶ କରିଥିଲେ । ସ୍ୱାଗତ ଭାଷଣ ବୌଦ୍ଧ ତହସିଲଦାର ଅନୀତା ସାହୁ କରିଥିବାବେଳେ ପ୍ରା ସି ଏସ ହାଡିବନ୍ଧୁ ମହାକୁଡ଼ ମଞ୍ଚ ପରିଚାଳନା କରିଥିଲେ ଏବଂ ପ୍ରାଣୀସମ୍ବଳ ବିକାଶ ପ୍ରଶିକ୍ଷଣ ଅଧିକାରୀ ଡ. ସଂଘମିତ୍ରା ପ୍ରାମାଣିକ ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ପ୍ରଥମ ପର୍ଯ୍ୟାୟ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ବୌଦ୍ଧ ବ୍ଲକ ବଡ ଖଲିଗାଁ ପଞ୍ଚାୟତର ମାଁ ପନ୍ଥେଇ ଦୁର୍ଗାପାଲା ସଂସଦ, ବାବା ଜଳେଶ୍ୱର ଦଣ୍ଡ ଅନୁଷ୍ଠାନ ମୁର୍ଷୁଣ୍ଢି, ମହାକୁଡପାଲି ଜାଗୃତି ବିଜୟ ପାଲା ସଂସଦ ପାଲା ପରିବେଷଣ କରିଥିଲେ । ବୌଦ୍ଧସ୍ଥିତ ସେଣ୍ଟ୍‌ ଜାଭିୟର୍ସ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅନନ୍ୟା କଳାଦର୍ପଣ ଭୁବନେଶ୍ୱର ଓଡିଶୀ, କନ୍ଧମାଳ ଫ୍ରେଣ୍ଡସ କ୍ଲବ ଅନୁଷ୍ଠାନର ସମ୍ବଲପୁରୀ, ରୁଦ୍ରଭୈରବୀ କ୍ଲବ ବୌଦ୍ଧର ଫ୍ୟୁଜନ ଡ୍ୟାନ୍ସ, ବରଗଡ କଳାଜୀବୀ ଅନୁଷ୍ଠାନର ସମ୍ବଲପୁରୀ, ପୁରୀ ମାଲଖମ୍ବା, ବୀରନରସିଂପୁର ବୌଦ୍ଧର ବାବା ଗୁପ୍ତେଶ୍ୱର କଳାପରିଷଦ ତରଫରୁ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା। ଆଜି ମହୋତ୍ସବର ତୃତୀୟ ସନ୍ଧ୍ୟାରେ ବୌଦ୍ଧ ଜିଲ୍ଲା ତଥା ଆଖପାଖ ଅଞ୍ଚଳ ଓ ପଡୋଶୀ ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ଦର୍ଶକଙ୍କ ଭିଡ ଜମିଥିଲା ।

Related Articles

Back to top button