ଗ୍ଲୋବାଲ ମୋଡେଲ ମିସ ଇଣ୍ଡିଆ ବିଜେତା ହେଲେ ମନମୁଣ୍ଡାର ଝିଅ ସୁପ୍ରିୟା ମିଶ୍ର,,ଇଣ୍ଟରନେସନାଲ ୱ୍ୱିନର ତାଙ୍କର ଲକ୍ଷ


କଣ୍ଟାମାଳ, ତା ୩୦-୧୨:-( ପ୍ରଭାତ କୁମାର ସାହୁ)
ଉଚ୍ଚ ବିଦ୍ୟାଳୟରେ ପଢିଲା ବେଳେ ଟିଭି ଦେଖି ମୋଡେଲ ହେବାକୁ ଇଚ୍ଛା ରଖିଥିବା ଝିଅ ଏବେ ଗ୍ଲୋବାଲ ମୋଡେଲ ମିସ ଇଣ୍ଡିଆ ବିଜେତା ହୋଇପାରିଛନ୍ତି। ସେ ଝିଅଟି ହେଉଛନ୍ତି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ମନମୁଣ୍ଡାର ସୁପ୍ରିୟା ମିଶ୍ର।ଦଶମ ଶ୍ରେଣୀରେ ପଢିଲା ଦିନଠୁଁ ସେ ଏଥିପ୍ରତି ଉଦ୍ୟମ ଆରମ୍ଭ କରିଥିଲେ। ବିଗୁଲ ଟିଭି ତରଫରୁ ୨୦୨୨ ମସିହାରେ ସୋନପୁରରେ ଅନୁଷ୍ଠିତ ମୋଡେଲ ପ୍ରତିଯୋଗିତାରେ ସେ ଭାଗ ନେଇ ୱିନର ହୋଇଥିଲେ।ସେହିଦିନ ଠାରୁ ତାଙ୍କ ଆଗ୍ରହ ଆହୁରି ବଢ଼ି ଯାଇଥିଲା। ଗ୍ଲୋବାଲ ମୋଡେଲ ପ୍ରତିଯୋଗିତାରେ ଅଂଶ ଗ୍ରହଣ ପାଇଁ ସେ ଆବେଦନ କରିଥିଲେ। ଗତ ଅକ୍ଟୋବର ୨୬ ତାରିଖରେ ଭୁବନେଶ୍ଵର ଖାରବେଳନଗର ଏସ ଏସ ଷ୍ଟୁଡିଓରେ ଏନେଇ ଅନୁଷ୍ଠିତ ଅଡିସନ୍ରେ ୫୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ସେ ବିଜେତା ହୋଇ ଫାଇନାଲ ରାଉଣ୍ଡକୁ ଯାଇଥିଲେ। ଚଳିତ ମାସ ୨୪ ତାରିଖରେ ମହାରାଷ୍ଟ୍ର ସାଙ୍ଗଲି ସହରରେ ଫିନାଲେ ଅନୁଷ୍ଠିତ ହୋଇଥିଲା। ସାରା ଭାରତରୁ ମୋଟ ୪୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଏଥିରେ ସୁପ୍ରିୟା ମିଶ୍ର ଗ୍ଲୋବାଲ ମୋଡେଲ ମିସ ଇଣ୍ଡିଆ ୱିନର ହୋଇଛନ୍ତି। ବର୍ଣ୍ଣାଢ଼୍ୟ ସମାରୋହ ଓ ପ୍ରାୟ ୨ହଜାରରୁ ଅଧିକ ଲୋକଙ୍କ ସମାବେଶରେ ସମ୍ମାନିତ ଅତିଥି ମିଷ୍ଟର ଏଣ୍ଡ ମିସ ଗର୍ଜିଅସ ଇଣ୍ଟରନେସନାଲର ସଭାପତି ଡେଭିଡ ଷ୍ଟ୍ରଙ୍ଗସନ୍(ନାଇଜେରିଆ), ମିଷ୍ଟର ପିଟାଇଟ ଗ୍ଲୋବାଲ ପ୍ରଥମ ରନର୍ସଅପ୍ ସୁହାସ ଧୱଲେ, ୱାର୍ଲ୍ଡ ଫିଟନେସ ସୁପରମୋଡେଲ ଚତୁର୍ଥ ୨୦୨୩ ଋଷିକେଶ ପାଟିଲ, ମିଷ୍ଟର ଗର୍ଜିଅସ ଇଣ୍ଟରନେସନାଲ ୨୦୨୩ ସିଦ୍ଧାନ୍ତ କୁମାର ବାରିକ,ମିଷ୍ଟର୍ ଏସିଆ ୨୦୨୦ ସୁରଜ୍ କୁମାରଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ମିସ ମୋଡେଲ ଇଣ୍ଡିଆ ୨୦୨୨ ସାଗରିକା ପାଣିଗ୍ରାହୀ ସୁପ୍ରିୟାଙ୍କୁ ରୌପ୍ୟର ୱିନର ମୁକୁଟ ପିନ୍ଧାଇ ଥିଲେ ଏବଂ କ୍ରସ ଫିତା,କପ୍ ଓ ସମ୍ବର୍ଦ୍ଧନା ତଥା ପ୍ରଶଂସା ପତ୍ର ପ୍ରଦାନ କରିଥିଲେ। ବାପା ଦେବେନ୍ଦ୍ର ମିଶ୍ରଙ୍କ ଆଶୀର୍ବାଦ ମାଁ କଲ୍ୟାଣୀ ମିଶ୍ର ଙ୍କ ବିଶେଷ ସହଯୋଗ ଓ ପ୍ରେରଣା ଏବଂ ତାଙ୍କ ମୋଡେଲ ଗୁରୁଙ୍କ ତାଲିମ ଏହି ବିଜୟ ପଛର ଶ୍ରେୟ ତଥା ଅବଦାନ ବୋଲି ସୁପ୍ରିୟା କହିଛନ୍ତି।ଆସନ୍ତା ମାର୍ଚ୍ଚ ୨୮ ତାରିଖରେ ନେପାଲରେ ହେବାକୁ ଥିବା ଗ୍ଲୋବାଲ ଓମେନ୍ ମୋଡେଲ ଇଣ୍ଟରନେସନାଲ – ୨୦୨୪ ରେ ଭାରତ ତରଫରୁ ସେ ଏକ ମାତ୍ର ପ୍ରତିନିଧିତ୍ଵ କରିବାକୁ ମନୋନୀତ ହୋଇଛନ୍ତି। ନେପାଳରେ ମଧ୍ୟ ସେ ୱିନର ମୁକୁଟ ପିନ୍ଧି ନିଜ ଗ୍ରାମ,ଜିଲ୍ଲା,ପ୍ରଦେଶ ତଥା ଦେଶ ର ନାମ ଗୌରବାନିତ୍ଵ କରିବା ନେଇ ଦୃଢ଼ ଆଶା ରଖିଥିବା କହିଛନ୍ତି ସୁପ୍ରିୟା । ସୁପ୍ରିୟା ଆଜି ଘରକୁ ଫେରିବା ପରେ ତାଙ୍କ ସାଙ୍ଗ, ବନ୍ଧୁବାନ୍ଧବ, ସୋନପୁର ସୁକାନ୍ତି ଏକାଡେମୀ ର ତାଙ୍କ ଯୁକ୍ତ ଦୁଇ ସହପାଠୀ, ବୌଦ୍ଧ ଜିଲ୍ଲା ସାମ୍ବାଦିକ ସଂଘ ଉପ ସଭାପତି ବୈଦ୍ୟନାଥ ହୋତା, କଣ୍ଟାମାଳ ସାମ୍ବାଦିକ ସଂଘ ବରିଷ୍ଠ ସଦସ୍ୟ ଭାର୍ଜନ କୁମାର ପ୍ରଧାନ,କବ୍ଜାର ଉପ-ସଭାପତି ପ୍ରଭାତ କୁମାର ସାହୁ ଓ ଅନେକ ଅନୁଷ୍ଠାନର ମୁଖ୍ୟମାନେ ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ଶୁଭେଚ୍ଛା ଜ୍ଞାପନ କରିବା ସହ ଶୁଭକାମନା ଜଣାଇଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




