ତେଜୁଛି କଣ୍ଟାମାଳ ସବ ଡିଭିଜନ ଦାବି ,ଗାଁ ଗାଁରେ ଦସ୍ତଖତ କରି ସମର୍ଥନ ସାଉଁଟିବାକୁ ବୈଠକରେ ନିଷ୍ପତ୍ତି


କଣ୍ଟାମାଳ, ତା୩/୧୨: (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ସ୍ଥିତ କଲ୍ୟାଣ ମଣ୍ଡପଠାରେ ରବିବାର ଦିନ କଣ୍ଟାମାଳ ସବ- ଡିଭିଜନ ଦାବିରେ ଆଞ୍ଚଳିକ ସଂଗ୍ରାମ ସମିତି କଣ୍ଟାମାଳ ପକ୍ଷରୁ ଦ୍ଵିତୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଆବାହକ ଓମ ପ୍ରକାଶ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅଞ୍ଚଳର ଶତାଧିକ ଜନସାଧାରଣ, ବିଭିନ୍ନ ସମାଜର ମୁଖ୍ୟ, ବିଭିନ୍ନ କ୍ଲବର ସଦସ୍ୟ, କଲେଜର ଛାତ୍ର ନେତା, ବିଭିନ୍ନ ସଂଘର ନେତା ପ୍ରମୁଖ ଉପସ୍ଥିତ ରହି କିପରି କଣ୍ଟାମାଳକୁ ସବଡିଭିଜନ ଘୋଷଣା ହେଇପାରିବ ସେ ଦିଗରେ ଆଲୋଚନା କରିଥିଲେ । ବୌଦ୍ଧ ଜିଲ୍ଲାର ତିନି ଗୋଟି ବ୍ଲକ ମଧ୍ୟରୁ କଣ୍ଟାମାଳ ଅନ୍ୟତମ ହୋଇଥିବା ବେଳେ ୨୦୦୯ ମସିହାରେ ଏକ ସ୍ବତନ୍ତ୍ର ବିଧାନସଭାର ମଧ୍ୟ ମାନ୍ୟତା ପାଇଛି । ୨୪ ଗୋଟି ଗ୍ରାମ ପଞ୍ଚାୟତକୁ ନେଇ ଗଠିତ ହୋଇଥିବା କଣ୍ଟାମାଳ ବ୍ଲକ ଭୌଗୋଳିକ ଦୃଷ୍ଟିକୋଣରୁ ସବଡିଭିଜନ ହେବା ନିତ୍ୟାନ୍ତ ଆବଶ୍ୟକ ବୋଲି ଦୀର୍ଘଦିନ ହେଲା ଦାବି ହୋଇ ଆସୁଛି । କଣ୍ଟାମାଳ ଅଞ୍ଚଳର ଅନେକ ଗ୍ରାମର ଜନସାଧାରଣ ଛୋଟ ଛୋଟ କାମ ପାଇଁ ମଧ୍ୟ ବୌଦ୍ଧସ୍ଥିତ ସବଡିଭିଜନ କାର୍ଯ୍ୟାଳୟକୁ ସିମାନ୍ତ ଅଞ୍ଚଳରୁ ୧୫୦ କିଲୋମିଟର ଠାରୁ ମଧ୍ୟ ଅଧିକ ରାସ୍ତା ଯିବାକୁ ପଡୁଛି ଯାହା ଫଳରେ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଜି ଆୟୋଜିତ ବୈଠକରେ ଆଞ୍ଚଳିକ ସଂଗ୍ରାମ ସମିତି ତରଫରୁ ତିନିଟି ଜିଲ୍ଲା ପରିଷଦ ଜୋନ୍ ସ୍ତରୀୟ ସମନ୍ୱୟ ସମିତି ଗଠନ କରାଯିବା ସହ ଆଗାମୀ ରଣନୀତି ସମ୍ପର୍କରେ ଆଲୋଚନା ହୋଇଥିଲା । ପ୍ରତ୍ୟେକ ଜୋନ୍ ସ୍ତରରେ ଏବଂ ପଞ୍ଚାୟତ ସ୍ତରରେ କମିଟି ଗଠନ କରି ଆଗାମୀ ପନ୍ଦର ଦିନ ଭିତରେ ସବଡିଭିଜନ୍ ସମର୍ଥନରେ ବିଭିନ୍ନ ପଞ୍ଚାୟତରୁ ୫୦,୦୦୦ ରୁ ଉର୍ଦ୍ଧ ଦସ୍ତଖତ ସଂଗ୍ରହ କରି ମୁଖ୍ୟମନ୍ତ୍ରୀଙ୍କୁ ହସ୍ତାନ୍ତର କରି ତୁରନ୍ତ ସବଡିଭିଜନ୍ ଘୋଷଣା ସକାଶେ ପଦକ୍ଷେପ ନେବା ପାଇଁ ଦାବି କରିବାକୁ ଆଜିର ବୈଠକରେ ନିଷ୍ପତି ନିଆଯାଇଛି । ଆଗାମୀ ଦିନର ରଣନୀତି ବିଷୟରେ ନାରାୟଣ କର୍ମୀ, ଗୋପାଳ ପୁରୋହିତ, ନବିନ ମହାପାତ୍ର, ଶ୍ରୀକାନ୍ତ ମିଶ୍ର, ସୁରେଶ ମହାନ୍ତି, ରାମଚନ୍ଦ୍ର ତାଣ୍ଡି, ଗୋପୀନାଥ କହଁର, ଠାକୁର ନାୟକ, ପ୍ରଦୀପ ମହାକୁଡ, ଧରଣି ବିଭାର, ହରି ସାହୁ, ପପୁ ମିଶ୍ର ପ୍ରମୁଖ ସାମିଲ ହୋଇ ନିଜର ମତ ରଖିଥିଲେ । ବୈଠକରେ ୨୦୦ ରୁ ଉର୍ଦ୍ଧ୍ବ ସଂଗ୍ରାମୀ ସାମିଲ ହୋଇଥିଲେ ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




