Orisha

ମଧୁପୁର ଠାରେ କୁଣହାଁ (ମିର୍ଦ୍ଧା) ସମାଜର ସାମୂହିକ ଅସ୍ଥି ବିସର୍ଜନ ଓ ବାର୍ଷିକ ମହାସଭା ଅନୁଷ୍ଠିତ

 

କଣ୍ଟାମାଳ, ୨୮|୧୧( ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଶିମିଳୀପଦର ପଞ୍ଚାୟତ ଅନ୍ତର୍ଗତ ଫଗୁଣାମାଲ ( ମହିପୁର)ଠାରେ ମିର୍ଦ୍ଧା ବର୍ଗଧାରୀ କୁଣହାଁ ସମାଜର ସାମୂହିକ ଅସ୍ଥି ବିସର୍ଜନ ଓ ବାର୍ଷିକ ମହାସଭା ଅନୁଷ୍ଠିତ ହୋଇ ଯାଇଛି | ମୁଖ୍ୟତଃ କଣ୍ଟାମାଳ ବ୍ଲକର ୧୭ଟି ଗ୍ରାମରେ ବସବାସ କରୁଥିବା ଲୋକଙ୍କ ସାମାଜିକ ଚଳଣି ସ୍ବତନ୍ତ୍ର ଓ ନିଆରା ।ଏମାନଙ୍କ ଉପାସନା ପୀଠ ହେଲା ପ୍ରକୃତି | ପ୍ରକୃତିକୁ ହିଁ ଏମାନେ ବିଶ୍ୱାସ କରିଥାନ୍ତି।କଣ୍ଟାମାଳ ବ୍ଳକର ୧୭ଟି ଗ୍ରାମ ଓ ସୁବର୍ଣ୍ଣପୁର ଜିଲ୍ଲାର କୁଢ଼ାଡେରା ଗ୍ରାମର ଲୋକେ ଗବଜୋର ଗ୍ରାମ ନିକଟସ୍ଥ ତେଲ ନଦୀର ସୁନାମୁହିଁ କୁଣ୍ଢି ଘାଟରେ ପରମ୍ପରାନୁଶାରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ବୁଢ଼ାରାଜାଙ୍କୁ ପୂଜାର୍ଚ୍ଚନା ସହ ପ୍ରତ୍ୟେକ ଗ୍ରାମରୁ ଏକ ବର୍ଷ ମଧ୍ୟରେ ମୃତ୍ୟୁବରଣ କରିଥିବା ପରିବାରଲୋକଙ୍କ ଅସ୍ଥି ପୂଜକଙ୍କ ଦ୍ୱାରା ପୂଜାର୍ଚ୍ଚନା କରିବା ସହ ସମସ୍ତେ ଅସ୍ଥି ବିସର୍ଜନ କରି ନଦୀରେ ସାମୁହିକ ସ୍ନାନ କରିଥିଲେ | ପରେ ବୌଦ୍ଧ ଜିଲ୍ଲା କୁଣହାଁ ସମାଜର ସଭାପତି ଲମ୍ବୋଦର ମିର୍ଦ୍ଧାଙ୍କ ସଭାପତିତ୍ବରେ ଏକ ମହାସଭା ମଧୁପୁରଠାରେ ଅନୁଷ୍ଠିତ ହୋଇଥିଲା। ଗଙ୍ଗାଗୁଡ଼ିର ସଭାପତି ବୃନ୍ଦାବନ ମିର୍ଦ୍ଧା, ଉପସଭାପତି ଲିଙ୍ଗରାଜ ଛତ୍ରିଆ, ସମ୍ପାଦକ ଉସ୍ତ ବାଘ, ସହସମ୍ପାଦକ ଶ୍ୟାମ ମାଝୀ, କୋଷାଧ୍ୟକ୍ଷ ବଳରାମ ପ୍ରଧାନ, ଘାଟିଆ ରାଜେନ୍ଦ୍ର ବାଘଙ୍କ ସମେତ ଶତାଧିକ ପୁରୁଷ ଓ ମହିଳା ମହାସଭାରେ ଉପସ୍ଥିତ ଥିଲେ | ସମାଜର ନବକଳେବର ସ୍ୱରୂପ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ନୂତନ ଜିଲ୍ଲା କମିଟି ଗଠନ କରାଯାଇଥିଲା | ନୂତନ ସଭାପତି ଭାବେ ପୂନଃର୍ବାର ଲମ୍ବୋଦର ମିର୍ଦ୍ଧା, ସମ୍ପାଦକ ସ୍ଵାଧୀନ ମିର୍ଦ୍ଧା, କୋଷାଧ୍ୟକ୍ଷ ମୁକୁନ୍ଦ କାଲସାଏଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଗଲା | ସମ୍ପ୍ରଦାୟର ସାମାଜିକ ପର୍ବପର୍ବାଣୀରେ ମଦ୍ୟପାନ ନିଷେଧ, ଆଦିବାସୀ ଭାଷା ଓ ଚଳନୀକୁ ପ୍ରାଧାନ୍ୟ, ମୃତାହ କାର୍ଯ୍ୟରେ ଆମିଷ ନିଷେଧ, ଯୌତୁକ ଓ ବାଲ୍ୟ ବିବାହ ନିଷେଧ ଭଳି ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଗଲା ଓ ଜିଲ୍ଲା ଆଦିବାସୀ ସଂସ୍ଥାକୁ ଆସୁଥିବା ଅନୁଦାନରୁ ଉକ୍ତ ସମ୍ପ୍ରଦାୟକୁ ଅଣଦେଖା କରିବା ଓ ସରକାରଙ୍କ ଭୁସଂସ୍କାର ଆଇନରେ ସଂଶୋଧନ କରି ଆଦିବାସୀ ଜମି ବିକ୍ରି ଆଇନକୁ ଅନୁମୋଦନ କରିବା ଆଦି ବିଷୟରେ ଆଲୋଚନା କରି ସମାଜ ପକ୍ଷରୁ କ୍ଷୋଭ ପ୍ରକାଶ କରିବା ସହ ଏକ ସ୍ମାରକପତ୍ର ଓଡିଶାର ରାଜସ୍ବ ମନ୍ତ୍ରୀ,ମୁଖ୍ୟମନ୍ତ୍ରୀ ଓ ଭାରତର ରାଷ୍ଟ୍ରପତିଙ୍କ ଅନୁମୋଦନ ନିମନ୍ତେ ପ୍ରେରଣ କରିବାକୁ ନିଷ୍ପତ୍ତି ନିଆ ଯାଇଥିଲା| ଆଗାମୀ ନିର୍ବାଚନ ପୂର୍ବରୁ ଏହାର କୌଣସି ସମାଧାନ ନହେଲେ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ନବନିର୍ବାଚିତ ଜିଲ୍ଲା ସମ୍ପାଦକ ସ୍ଵାଧୀନ ମିର୍ଦ୍ଧା ସୂଚନା ଦେଇଛନ୍ତି।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button