ମାଆମାନଙ୍କର ଓଷା ପୁଅ ଜିଉଁନ୍ତିଆ ।ସନ୍ତାନମାନଙ୍କ ନିରାମୟ ଜୀବନ କାମନା କରି ପାଳନ ହେଲା ପୁଅ ଜିଉଁନ୍ତିଆ ଓଷା


କଣ୍ଟାମାଳ, ୭।୧୦(ପ୍ରଭାତ କୁମାର ସାହୁ): ମାଆ। ମାଆ ପରି କିଏ ସେ ହେବ । ବାସ୍ତବିକ କ୍ଷେତ୍ରରେ ମାଆଟିଏ ଅଙ୍କୁରାରୋପଣ ହେଲା ଠାରୁ ଛୁଆ ପ୍ରତି ତାର କର୍ତ୍ତବ୍ୟ ବଢି ଯାଇଥାଏ, ଏପରିକି ନିଜର ମୃତ୍ୟୁ ପର୍ଯ୍ୟନ୍ତ। ସେତିକିବେଳେ ନିଜର ସନ୍ତାନ ର ମଙ୍ଗଳ ପାଇଁ କେତେ କଣ ଦିଅଁ ଦେବାଙ୍କୁ ମାନସିକ କରି ପୂଜା ପାର୍ବଣ କରିଥାଏ। ଏହି ପର୍ବ ମଧ୍ୟରୁ ପଶ୍ଚିମ ଓଡ଼ିଶାର ମାଆମାନେ ନିଜର ସନ୍ତାନର ଦୀର୍ଘାୟୁ ,ନିରାମୟ ଜୀବନଯାପନ ପାଇଁ ଭାଦ୍ରବମାସର ଅଷ୍ଟମୀରେ ପୁଅ ଜିଉନ୍ତିଆ ପାଳନ କରାଯାଇଥାଏ। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ ପାଳନ କରାଯାଇଛି ପୁଅ ଜିଉଁନ୍ତିଆ ଓଷା । ସନ୍ତାନମାନଙ୍କ ନିରାମୟ ଓ ଦୀର୍ଘ ଜୀବନ କାମନା କରି ମା’ ମାନେ ଏହି ଓଷା ପାଳନ କରିଥିଲେ । ସକାଳୁ ଦିନତମାମ ନିର୍ଜଳା ଉପବାସ ରହି ସଂନ୍ଧ୍ୟାରେ ଏକତ୍ରୀତ ହୋଇ ଦୁତିବାହନଙ୍କୁ ପୂଜା କରିଥିଲେ । ଏହି ପୂଜାରେ ୨୧ ପ୍ରକାର ଫଳମୂଳ ଲାଗିବା ସହ ୧୦୮ ଦୁବ ଓ ଅରୁଆ ଚାଉଳ ଲାଗିଥାଏ । ପୂଜା ପାଇଁ ସମସ୍ତ ପ୍ରସ୍ତୁତି ସରିବା ପରେ ଦୂତିବାହନ ଓଷା ବହି ଗାନ କରିଥିଲେ ଏବଂ ସନ୍ତାନ ସନ୍ତତିଙ୍କ ମଙ୍ଗଳ କାମନା କରିଥିଲେ । ଆସନ୍ତା କାଲି ସକାଳୁ ନଦୀଘାଟ ଓ ପୋଖରୀ କୁଳରେ ବାଲୁକା ପୂଜା କରିବା ସହ ସୂର୍ଯ୍ୟଙ୍କୁ ପୂଜା କରିବେ l ଏହାପରେ ନିଜ ନିଜ ଘରେ ସନ୍ତାନମାନଙ୍କୁ ବନ୍ଦାଇବା ସହ ଦୂତିବାହନଙ୍କ ଠାରେ ଲାଗି ହୋଇଥିବା ଦୁବ, ଅରୁଆ ଚାଉଳ ଓ ସିନ୍ଦୁରକୁ ନେଇ ଚଢ଼ାଇବା ପରେ ପୁଅ ଜିଉଁନ୍ତିଆ ଓଷା ଶେଷ ହେବ l ଏହାପରେ ମା ମାନେ ସନ୍ତାନସନ୍ତତିଙ୍କୁ ଜିଉଁନ୍ତିଆ ପିନ୍ଧାଇବା ସହିତ ଉପବାସ ଭଙ୍ଗ କରିବାର ପରମ୍ପରା ରହିଛି । ଏହି ଓଷା କଣ୍ଟାମାଳ ବ୍ଳକର ଘଣ୍ଟାପଡା, ଆମ୍ବଗାଁ, ଖୁଣ୍ଟିଗୋରା, ଗୋଛାଗୋରା, ମସିଣାଗୋରା, ଖମନମୁଣ୍ଡା, କୁଳୁତାଜୋର, ଉମା ଆଦି ବିଭିନ୍ନ ସ୍ଥାନରେ ପାଳନ କରାଯାଇଛି l
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ ଓଡ଼ିଶା



