ମରଣ ଯନ୍ତା ପାଲଟିଛି କଣ୍ଟାମାଳ ତରଭା ରାସ୍ତା l


ବୌଦ୍ଧ -୦୪|୧୦-(ହୃଦାନନ୍ଦ ମେହେର ) – ସରକାର ଗମନାଗମନ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି | ହେଲେ ଅନେକ କ୍ଷେତ୍ରରେ ଏହା ଲୋକଙ୍କ କାମରେ ଆସୁ ନାହିଁ | ସୂଚନା ଅନୁସାରେ ଆରମ୍ଭରୁ ସମସ୍ଯା ଘେରରେ ଥିବା କଣ୍ଟାମାଳ‐ତରଭା ରାସ୍ତାଟି ବର୍ତମାନ ସୁଦ୍ଧା ଅବହେଳିତ ହୋଇ ପଡି ରହିଛି। ପ୍ରଥମେ ବ୍ରିଜର ଡିଜାଇନ ସମସ୍ୟା, ପରେ ଜମି ଅଧିଗ୍ରହଣ ସମସ୍ଯା ଏବଂ ବର୍ତମାନ ରାସ୍ତା ଦୁରାବସ୍ଥା ସମସ୍ଯା ଜନସାଧାରଣଙ୍କ ପାଇଁ ଅଭିଶାପ ପାଲଟିଛି। ମିଳିଥିବା ସୂଚନା ଅନୁଯାୟୀ କଣ୍ଟାମାଳ ଠାରୁ ତରଭାର ଦୂରତା ମାତ୍ର ୧୫ କିଲୋମିଟର ଏବଂ ଏଥିପାଇଁ ତିନୋଟି ରାସ୍ତା ଅଛି । କିନ୍ତୁ ତିନୋଟି ଯାକ ରାସ୍ତା ମରଣଯନ୍ତା ସାଜିଛି। ଫଳରେ ଯିବା ଆସିବାରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି | ଉକ୍ତ ୧୫ କିଲୋମିଟର ରାସ୍ତା ଅତିକ୍ରମ ପାଇଁ ପ୍ରାୟ ଦେଢ ଘଣ୍ଟା ସମୟ ଲାଗୁଥିବା ଯାତ୍ରୀ କହିଛନ୍ତି | ପ୍ରତ୍ଯେକ ରାସ୍ତାରେ ବଡବଡ ଖାଲ ହୋଇ ଅନେକ ସମୟରେ ଦୁର୍ଘଟଣାମାନ ଘଟି ଅନେକ ଧନ ଜୀବନ ହାନି ହେଉଥିବା ଅଭିଯୋଗ ହୋଇଛି । ନିର୍ମାଣାଧିନ ରାସ୍ତାରେ ପିଚୁ ଫାଟି ଉଠି ଯାଇ ଖାଲଖମା ହୋଇ ପଡିଛି ଏବଂ ଉଭୟ ପାର୍ଶ୍ବରେ ବଡବଡ ଗର୍ତ୍ତ ମାନ ସୃଷ୍ଟି ହୋଇ ମାଟି ଧୋଇ ହୋଇଯିବାକୁ ବସିଲାଣି।ରାସ୍ତାର ଅବସ୍ଥା ଏପରି ହୋଇପଡିଛି ଯେ ମଟରସାଇକେଲରେ ଯିବା ମଧ୍ୟ ବିପଦପୂର୍ଣ ହୋଇପଡିଛି ।ଏହାର ପ୍ରମୂଖ କାରଣ ନିମ୍ନମାନର ନିର୍ମାଣ କାମ ସାଙ୍ଗକୁ ପ୍ରତିଦିନ ବାଲି, ମେଟାଲ, ପଥର, ଚିପସ ଆଦି ବୋଝେଇ ହୋଇ ହାଇୱା ଗୁଡ଼ିକ ବାରମ୍ବାର ଯିବା ଆସିବା ଦ୍ବାରା ନିମ୍ନ ମାନର ରାସ୍ତା ଦବି ଯାଇ ରାସ୍ତା ଖାଲଖମାରେ ପରିଣତ ହେଉଛି। ଏହାକୁ ମରାମତି ପାଇଁ ଅଞ୍ଚଳବାସୀ ଅଭିଯୋଗ କରି ଆସୁଥିଲେ ମଧ୍ୟ ବିଭାଗ ଆଖିବୁଜି ଦେଉଥିବା ଅଭିଯୋଗ ହେଉଛି। ବ୍ରିଜ ନିର୍ମାଣ ପରେ ମଧ୍ୟ ଏହାର ମରାମତି ଦାୟିତ୍ବ ସଂପୃକ୍ତ କମ୍ପାନୀ କରିବାର ସରକାରୀ ନିର୍ଦେଶ ରହିଥିବା ବେଳେ ବର୍ତମାନ କମ୍ପାନୀର ଦେଖା ମିଳୁନଥିବାରୁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି ।ଏଣୁ ଖୁବ ଶିଘ୍ର ଉକ୍ତ ରାସ୍ତା ମରାମତି କରିବା ପାଇଁ ଜନସାଧାରଣ ଦାବୀ କରିଛନ୍ତି ।
ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ ଓଡ଼ିଶା



