Crime

ଦପଲା ଅପହରଣ ଓ ଆକ୍ରମଣ ଘଟଣା:  ଏସପି ରାଜ ପ୍ରସାଦଙ୍କ ସାମ୍ବାଦିକ ସମ୍ମିଳନୀ, ୪ ଅଭିଯୁକ୍ତଙ୍କୁ ଗିରଫ ସହ କୋର୍ଟ ଚାଲାଣ

 

କଣ୍ଟାମାଳ, ତା ୮/୧/୨୪(ପ୍ରଭାତ କୁମାର ସାହୁ)ଦପଲା ଅପହରଣ ଓ ଆକ୍ରମଣ ଘଟଣାରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନାରେ ସୋମବାର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବୌଦ୍ଧ ଏସପି ରାଜ ପ୍ରସାଦ ମନମୁଣ୍ଡା ଥାନା ଦପଲା ଗ୍ରାମରେ ହୋଇଥିବା ଅପହରଣ ଓ ଆକ୍ରମଣ ଘଟଣାର ସୂଚନା ଦେଇଛନ୍ତି l କଣ୍ଟାମାଳ ଥାନା ଲମ୍ବସରି ପଞ୍ଚାୟତ ଖମାର ଗ୍ରାମର ପରମେଶ୍ୱର ମହାକୁଡ ମନମୁଣ୍ଡା ଥାନା ଦପଲା ଗ୍ରାମର ସମିତ ମହାଲିଙ୍ଗ ଓ ଶ୍ୟାମ ସୁନ୍ଦର ଦନ୍ତାଙ୍କଠାରୁ ୧୨ହଜାର ଟଙ୍କା ଧାର ନେଇ ଫେରସ୍ତ କରି ନ ଥିଲେ।ସେନେଇ ସମିତ ଓ ଶ୍ୟାମ ଦପଲା ଗ୍ରାମର ଚୈତନ୍ୟ ମହାକୁଡଙ୍କ ସହ ମିଶି ଗତ ୩ତାରିଖ ସନ୍ଧ୍ୟା ସମୟରେ ପରମେଶ୍ବରକୁ ଅପହରଣ କରି ଶ୍ୟାମଙ୍କ ଘର ପଛପଟରେ ଥିବା କପା ବଗିଚାରେ ଲୁଚାଇ ରଖିଥିଲେ। ପରବର୍ତ୍ତୀ ସମୟରେ ଅପହରଣକାରି ମାନଙ୍କ ସହ ଦପଲା ଗ୍ରାମର ମନୋଜ ଦନ୍ତା ଏବଂ ଆଉ ଦୁଇଜଣ ନାବାଳକ ଯୋଗ ଦେଇଥିଲେ।ପରମେଶ୍ବରଙ୍କ ମୁକ୍ତି ପାଇଁ ତାଙ୍କ ଶ୍ବଶୁର ମନୋହରପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଏବଂ ପତ୍ନୀ ଙ୍କ ଠାରେ ୧ ଲକ୍ଷ (ଏକ ଲକ୍ଷ) ଟଙ୍କା ଦାବି କରିଥିଲେ ଏବଂ ମୁକ୍ତିଧନ ଧରି ଦପଲା ଉଚ୍ଚ ବିଦ୍ୟାଳୟ ନିକଟକୁ ଆସିବାକୁ କହିଥିଲେ। ପୂର୍ଣ୍ଣଚନ୍ଦ୍ର ତାଙ୍କ ଭାଇ ମଦନମୋହନ ପ୍ରଧାନ ସହ ଟଙ୍କା ଧରି ସେଠାକୁ ଯାଇଥିଲେ।ସେଠାରେ ଉଭୟ ପକ୍ଷ ତଥା ଗୋଷ୍ଠୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଅପହରଣକାରୀ ଚୈତନ୍ୟଙ୍କ ବାପା ରାଜେନ୍ଦ୍ର ମହାକୁଡ ମଧ୍ୟ ସେହି ସମୟରେ ସେଠାକୁ ଆସିଥିଲେ। ତାହା ଦେଖି ପୂର୍ଣ୍ଣଚନ୍ଦ୍ର 112 ନମ୍ବରକୁ ଫୋନ୍ କରିବାରେ ଏ ଏସ ଆଇ କୁମୁଦ ଚନ୍ଦ୍ର ଭୋଇ ଅଳ୍ପ ସଂଖ୍ୟକ ପୁଲିସ ବଳ ସହ ସେଠାକୁ ପହଞ୍ଚିଥିଲେ।ଅପହରଣକାରୀ ଗୋଷ୍ଠୀ ଲୁହା ପାଇପ ଓ କାଠ ଛେଲାରେ ପ୍ରଥମେ ପୁଲିସ ଉପରେ ନିଷ୍ଠୁର ଭାବେ ଆକ୍ରମଣ କରିଥିଲେ ଏବଂ ତାପରେ ସେମାନେ ପୂର୍ଣ୍ଣଚନ୍ଦ୍ର ଏବଂ ମଦନ ଉପରେ ମଧ୍ୟ ତଦୃପ ଆକ୍ରମଣ କରିଥିଲେ। ସେମାନେ ପୂର୍ଣ୍ଣଚନ୍ଦ୍ରଙ୍କ ଠାରୁ ଏକ ଲକ୍ଷ ଟଙ୍କା ଲୁଟି ନେବା ସହ ସେମାନଙ୍କ ଦୁଇ ବାଇକ କୁ ଭଙ୍ଗାରୁଜା କରି ଫେରାର ହୋଇଯାଇଥିଲେ। ଅନ୍ୟ ପକ୍ଷରେ ଏହାର ସୁଯୋଗ ନେଇ ଅପହୃତ ବ୍ୟକ୍ତି ପରମେଶ୍ବର ସେଠାରୁ ପଳାଇଯାଇଥିଲେ । ଦୁର୍ବୃତ୍ତ ମାନଙ୍କ ଆକ୍ରମଣରେ ମଦନଙ୍କ ମୁଣ୍ଡରେ ଆଘାତ ହୋଇଥିବାରୁ ସୋନପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। କିନ୍ତୁ ପୂର୍ଣ୍ଣଚନ୍ଦ୍ର ଗୁରୁତର ଆହତ ହୋଇ ପ୍ରଥମେ ସୋନପୁର ଓ ପରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭୁବନେଶ୍ୱର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା।ଅନ୍ୟ ପକ୍ଷରେ ଆହତ ଏ ଏସ ଆଇ କୁମୁଦ ଚନ୍ଦ୍ର ଭୋଇ ବର୍ତ୍ତମାନ ସୁଦ୍ଧା ବରଗଡ଼ର ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଓ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଥିବା ଏସ ପି ରାଜ ପ୍ରାସାଦ କହିଛନ୍ତି। ତେବେ ଆଇ ଆଇ ସି ଭାବାନନ୍ଦ ପ୍ରଧାନ ଏବଂ ଏସଡିପିଓଙ୍କ ବଳିଷ୍ଠ ନେତୃତ୍ବରେ ୭ ଅଭିଯୁକ୍ତ ଙ୍କ ମଧ୍ୟରୁ ୪ ଅଭିଯୁକ୍ତଙ୍କୁ ଗିରଫ ଏବଂ ଜଣେ ନାବାଳକକୁ ଜିଲ୍ଲା ବାହାରୁ ଧରିବାରେ ସଫଳ ହୋଇଥିଲେ । ଗିରଫ ଅଭିଯୁକ୍ତମାନେ ହେଲେ ଦପଲା ଗ୍ରାମର ସମିତ ମହଲିଙ୍ଗ, ଶ୍ୟାମସୁନ୍ଦର ଦନ୍ତା, ଚୈତନ୍ୟ ମହାକୁଡ, ଏବଂ ମନୋଜ ଦନ୍ତା। ସେମାନଙ୍କ ଠାରୁ ପୁଲିସ ଆକ୍ରମଣରେ ବ୍ୟବହୃତ ମାରଣାସ୍ତ୍ର ଏବଂ ତିନୋଟି ବାଇକ ନଂ ଓଡି ୩୧ଏ ୩୧୮୧, ଓଡି ୩୧ ଏଲ ୪୭୧୧ ଏବଂ ଏକ ନଂ ବିହୀନ କାରକ ଜବତ କରିଛି। ମୃତକଙ୍କ ଭାଇ ମଦନଙ୍କ ଏତଲାକୁ ଭିତ୍ତି କରି ଆଇ ପି ସି ଧାରା 147,148,364ଏ,342,323,325,307,302,427,395,294,506,149 ରେ ଏକ ମାମଲା ନଂ 4/24 ଏବଂ ପୁଲିସ ତରଫରୁ ଆଇ ପି ସି ଧାରା 341,294,323,325,353,332,307,506,34 ରେ ରୁଜୁ ଆଉ ଏକ ମାମଲା ନଂ ୬/୨୪ ବଳରେ ପୁଲିସ ଆଜି ଉପରୋକ୍ତ ଲିଖିତ ୪ଜଣ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବାବେଳେ ଏଥିରେ ସଂପୃକ୍ତ ଜଣେ ନାବାଳକକୁ ପିଏମଜେଜେବିରେ ହାଜର କରାଯାଇଥିବା ଏସପି କହିଛନ୍ତି।ଅନୁସନ୍ଧାନ ଚାଲୁ ରହିଛି ଏବଂ ଏଥିରେ ସଂପୃକ୍ତ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଏସପି ଦୁଢକ୍ତି ପ୍ରକାଶ କରିଛନ୍ତି।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button